ରାଉରକେଲା, ୧୯/୧୧ : ବିଲୁପ୍ତପ୍ରାୟ କଳାରଙ୍ଗର ଟେରାକୋଟା ହସ୍ତଶିଳ୍ପ ପୁନର୍ଜୀବିତ ହେବ । ପରିବେଶ ଅନୁକୂଳ ପଦ୍ଧତିରେ ତିଆରି କରାଯିବ ସାମଗ୍ରୀ । ଏହାର କୌଣସି ପ୍ରତିକୂଳ ପ୍ରଭାବ କାରିଗରଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିବ ନାହିଁ । କେବଳ ଏତିକି ନୁହେଁ ଟେରାକୋଟା ସାମଗ୍ରୀ ପୋଡ଼ିବା ଲାଗି ଦିନ ଦିନ ଲାଗିବ ନାହିଁ । ୭ଘଣ୍ଟାରୁ କମ୍‌ ସମୟରେ ଉତ୍ପାଦ ବିକ୍ରି ଲାଗି ପ୍ରସ୍ତୁତ ହୋଇପାରିବ । ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ଗବେଷକମାନେ ଏଭଳି ଟେରାକୋଟା ସାମଗ୍ରୀ ନିର୍ମାଣ ପାଇଁ ପେଟେଣ୍ଟ (ନମ୍ବର. ୫୭୨୭୫୪, ଆବେଦନ ନଂ. ୨୦୨୫୩୧୦୦୮୦୯୦) ହାସଲ କରିଛନ୍ତି । ପାରମ୍ପରିକ କାରିଗରଙ୍କ ଜ୍ଞାନକୌଶଳ ଏବଂ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ମିଶ୍ରଣ ଏହି ପ୍ରାଚୀନ ହସ୍ତକଳାକୁ ନୂଆ ଦିଶା ଦେବ ବୋଲି ଆଶା ପ୍ରକାଶ ପାଇଛି ।

କଳାରଙ୍ଗର ଟେରାକୋଟା ଉତ୍ପାଦକୁ ପୁନର୍ଜୀବିତ କରାଇବା ଲକ୍ଷ୍ୟରେ ଏନ୍‌ଆଇଟିର ଗବେଷକ ଟିମ୍‌ କଠିନ ପରିଶ୍ରମ କରିଛନ୍ତି । ସେରାମିକ୍‌ ଇଞ୍ଜିନିୟରିଂ ବିଭାଗର ପ୍ରାଧ୍ୟାପକ ପ୍ରଫେସର ସ୍ୱଦେଶ କୁମାର ପ୍ରତିହାରଙ୍କ ନେତୃତ୍ୱରେ ଗଠିତ ଗବେଷକ ଦଳରେ ବରିଷ୍ଠ ବୈଷୟିକ ସହାୟକ ଶିବ କୁମାର ବର୍ମା ଏବଂ ଗବେଷଣା ସ୍ନାତକ ଡ. ରୂପେଶ ମଣ୍ଡଳ ସାମିଲ ଅଛନ୍ତି ।  "ଟେରାକୋଟା’ ଶବ୍ଦ ଇଟାଲୀୟ ଭାଷାରୁ ଆସିଛି, ଯାହାର ଅର୍ଥ "ପୋଡ଼ାଯାଇଥିବା ମାଟି’ । ସ୍ୱତନ୍ତ୍ର କୌଶଳରେ ନିର୍ମିତ ମାଟିରୁ ମୂର୍ତ୍ତି, ଟାଇଲ୍‌, ଘରସଜ୍ଜା ସାମଗ୍ରୀ, ରୋଷେଇ ଉପକରଣ ଆଦି ତିଆରି କରାଯାଉଛି ।

ଆଜିକାର ସମୟରେ ଲାଲ୍‌ ଟେରାକୋଟାର ବ୍ୟବହାର ବେଶି । ସ୍ୱତନ୍ତ୍ର ଭାଟିରେ ପୋଡ଼ି ଉତ୍ପାଦ ଏହାକୁ ତିଆରି କରାଯାଏ । ମାଟିରେ ଥିବା ଲୌହ ଅଂଶ ନିଆଁ ସଂସ୍ପର୍ଶରେ ଆସିଲେ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରି ଲାଲ୍‌ ରଙ୍ଗରେ ପରିଣତ ହୁଏ । ରାସାୟନିକ ଫେରିକ୍‌ ଅକ୍ସାଇଡ୍‌ ଏହି ଲାଲ ରଙ୍ଗ ପାଇଁ ବିଶେଷ ଭାବେ ଦାୟୀ ।  କିନ୍ତୁ ଚମକ ପାଇଁ କଳାରଙ୍ଗର ଟେରାକୋଟା ଜଣାଶୁଣା । ଭାରତ ସମେତ ଅନେକ ଦେଶରେ ପୁରୁଣା ପଦ୍ଧତିରେ ଏହାକୁ ତିଆରି କରାଯାଉଛି । ଉତ୍ତରପ୍ରଦେଶର ନିଜାମାବାଦ କଳାପାତ୍ର ଏହାର ଏକ ଉଦାହରଣ । ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ମାଟି, ଉଦ୍ଭିଦଜାତ ସାମଗ୍ରୀରୁ ପ୍ରସ୍ତୁତ ସ୍ୱତନ୍ତ୍ର ଗ୍ଲେଜ୍‌ରେ ଏହାକୁ ଆବୃତ କରାଯାଏ । ସୋରିଷ ତେଲରେ ପଲିସ୍‌ କରିବା ଦ୍ୱାରା ଏହା ଦର୍ପଣ ପରି ଚମକିଥାଏ । ମାତ୍ର ପାରମ୍ପରିକ ପଦ୍ଧତିରେ ଉତ୍ପାଦ ପ୍ରସ୍ତୁତ କରାଯାଉଥିବା ପ୍ରାୟ ୨ ଦିନ ସମୟ ଲାଗୁଛି । ଏଥିରେ ଓପନ ପିଟ୍‌ ଫାୟାରଂ ବ୍ୟବହାର ହେଉଥିବାରୁ ଧୂଆଁରେ ସଲଫର ଅକ୍ସାଇଡ୍‌ ଓ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ଭଳି କ୍ଷତିକାରକ ଗ୍ୟାସ୍‌ ବାହାରିଥାଏ । ଏହା କାରିଗରଙ୍କ ଶ୍ୱାସଜନିତ ରୋଗର କାରଣ ସାଜୁଛି । ଏନ୍‌ଆଇଟି ଗବେଷକଙ୍କ ଦ୍ୱାରା ବିକଶିତ ନୂତନ କୌଶଳ ଏହି ସମସ୍ୟାର ସମାଧାନ କରିବ । ଗବେଷଣା ସମ୍ପର୍କରେ ପ୍ରାଧ୍ୟାପକ ପ୍ରଫେସର ଶ୍ରୀ ପ୍ରତିହାର କହିଛନ୍ତି, ବାୟୁ ବିହୀନ ଚାମ୍ବରରେ କଞ୍ଚା ଟେରାକୋଟା ସାମଗ୍ରୀଗୁଡ଼ିକୁ ଆବଶ୍ୟକ ଉତ୍ତାପ ଦିଆଯାଇଥାଏ । ଏଥିରେ ବ୍ୟବହୃତ କାର୍ବନଯୁକ୍ତ ତୈଳର ଅପଘଟନରୁ କାର୍ବନ ମନୋକ୍ସାଇଡ୍‌ ଓ କାର୍ବନ ଶୁଟ୍‌ ଉତ୍ପନ୍ନ ହୁଏ । ଯାହା ମାଟିପାତ୍ରକୁ କଳା କରିଦିଏ । ଏହି କୌଶଳ କଳାରଙ୍ଗର ଟେରାକୋଟା ସାମଗ୍ରୀ ଉତ୍ପାଦନ କରୁଥିବା କାରିଗରଙ୍କ ଲାଗି ଆଶୀର୍ବାଦ ସାବ୍ୟସ୍ତ ହେବ ।