ଇସଲାମାବାଦ,୧।୧୧: ପାକିସ୍ତାନର ମାସ୍ତୁଙ୍ଗ ଜିଲ୍ଲାରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ। ଏଥିରେ ୫ ଶିଶୁ, ଜଣେ ପୋଲିସ କର୍ମଚାରୀଙ୍କ ସହ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ୧୭ ଜଣ ଆହତ ହୋଇଛନ୍ତି। କଲାତ ଡିଭିଜନର କମିଶନର ନଇମ ବଜଇ କହିଛନ୍ତି ବିସ୍ଫୋରଣ ମାସ୍ତୁଙ୍ଗ ସିଭିଲ ହସ୍ପିଟାଲ ନିକଟରେ ସକାଳ ପ୍ରାୟ ୮ଟା ୩୫ ମିନିଟ୍ରେ ଘଟିଥିଲା। ହସ୍ପିଟାଲକୁ ଲାଗିକି ସେହି ଛକରେ ଗାର୍ଲସ୍ ସ୍କୁଲ ମଧ୍ୟ ରହିଛି। ବିସ୍ଫୋରଣ ସମୟରେ ସେଠାରେ ପୋଲିସ ଭ୍ୟାନ୍ ମଧ୍ୟ ରହିଥିଲା। ଏକ ବାଇକ୍ରେ ଇଆଇଡି(ଇପ୍ରୋଭାଇଜ୍ ଏକ୍ସପ୍ଲୋସିଭ୍ ଡିଭାଇସ୍) ଫିଟ୍ କରାଯାଇଥିଲା। ବିସ୍ଫୋରଣ ପାଇଁ ରିମୋଟ୍ କନଟ୍ରୋଲର ବ୍ୟବହାର କରାଯାଇଥିଲା।
ବିସ୍ଫୋରଣରେ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଦୁଇଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରେ ନଓ୍ବାବ୍ ଗୌସ୍ ବଖଶ ରାୟସାନି ମେମୋରିଆଲ ହସ୍ପିଟାଲ ଓ ମସ୍ତୁଙ୍ଗ ଜିଲ୍ଲା ହେଡକ୍ବାଟର ହସ୍ପିଟାଲରେ କରାଯାଉଥିଲା। ସେମାନଙ୍କ ମଧ୍ୟରେ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କ୍ବେଟା ଟ୍ରାମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଭିତରେ ଅଧିକାଂଶ ଶିଶୁ ରହିଛନ୍ତି।
କ୍ବେଟା ଟ୍ରାମା ସେଣ୍ଟରକୁ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ଭିତରେ ଜଣେ ୫ ବର୍ଷର ଝିଅ ରହିଛି। କ୍ବେଟା ଟ୍ରାମା ସେଣ୍ଟରର ମ୍ୟାନେଜିଂ ଡାଇରେକ୍ଟର ଅରବାବ୍ କାମରାନଙ୍କ ପକ୍ଷରୁ ଜାରି କରାଯାଇଥିବା ରୋଗୀଙ୍କ ଲିଷ୍ଟ ଅନୁସାରେ, ୧୧ ଜଣଙ୍କ ଭିତରୁ ୫ ଜଣ ଗୁରୁତର ରହିଛି। ମସ୍ତୁଙ୍ଗ ଜିଲ୍ଲାର ପୋଲିସ ଅଧିକାରୀ ମିୟାଁଦାଦ ଉମାରନୀ କହିଛନ୍ତି, ଆହତଙ୍କ ଭିତରେ ୪ ଜଣ ପୋଲିସ କର୍ମଚାରୀ ରହିଛନ୍ତି। ମୃତ ଶିଶୁଙ୍କ ମଧ୍ୟ ୫ରୁ ୧୦ ବର୍ଷୀ ପିଲା ରହିଛନ୍ତି। ବିସ୍ଫୋରଣ କାରଣରୁ ଏକ ପୋଲିସ ଭ୍ୟାନ୍ ଓ ବହୁ ଅଟୋ ରିକ୍ସା କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାକୁ ନେଇ ବେଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ମୀର ସରଫରାଜ ବୁଗତି ନିନ୍ଦା କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଶହୀଦ ପୋଲିସ କର୍ମଚାରୀ ଓ ନିରିହ ପିଲାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ଆତଙ୍କବାଦୀମାନେ ଶ୍ରମିକଙ୍କ ସହ ନିରୀହ ପିଲାଙ୍କୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀଙ୍କ ସଫ୍ଟ ଟାର୍ଗେଟରେ ଏବେ ଶିଶୁ ରହିଛନ୍ତି। ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦୀଙ୍କ ଉପରେ ନଜର ରଖିବାକୁ ହେବ।