ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ମଙ୍ଗଳବାର ସକାଳେ ଦୁଇଟି ନାଇଟ୍‌ କ୍ଲବ୍ ବାହାରେ ଧମାକା ହେବାରୁ ଆତଙ୍କ ଖେଳି ଯାଇଛି। ଚଣ୍ଡିଗଡ଼ ସେକ୍ଟର ୨୬ରେ ସେଭିଲେ ବାର ଆଣ୍ଡ ଲାଉଞ୍ଜ ଓ ଡିଓରା କ୍ଲବ୍‌ ବାହାରେ ବାଇକ୍‌ରେ ବସିଥିବା ଦୁଇ ମାସ୍କପିନ୍ଧା ବୋମା ଫିଙ୍ଗି ଥିଲେ ଏବଂ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ସେଭିଲେ ବାର ଆଣ୍ଡ ଲାଉଞ୍ଜ କ୍ଲବରେ ପ୍ରସିଦ୍ଧ ରାପର ବାଦଶାହଙ୍କର ପାର୍ଟନରସିପ୍‌ ରହିଛି। ଧମାକା ଯୋଗୁଁ କ୍ଲବ୍‌ ବାହାରେ ଲାଗିଥିବା କାଚ ଭାଙ୍ଗି ଯାଇଛି। ପୋଲିସ୍‌ ଯାଞ୍ଚରେ ଜଣାପଡ଼ିଛି ଯେ କ୍ଲବ୍‌ ବାହାରେ ଦେଶୀ ବୋମା ଫିଙ୍ଗା ଯାଇଥିଲା , ଯାହାକି କ୍ଲବ୍‌ ତୀବ୍ରତାର ଥିଲା , ଉକ୍ତ ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ପୋଲିସ୍‌ ଓ ଫୋରେନ୍ସିକ ଟିମ୍‌ ଘଟଣାସ୍ଥଳରୁ ସାମ୍ପଲ ନେଇଛନ୍ତି। 

ସେପଟେ ରାଜଧାନୀ ଚଣ୍ଡିଗଡରେ ଏହି ଘଟଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତର ଠିକ୍‌ ପୂର୍ବରୁ ହେବାକୁ ଥିବା ସୁରକ୍ଷା ବନ୍ଦୋବସ୍ତ ଉପରେ ପ୍ରଶ୍ନ ଉଠିଛି। ସୂଚନା ଯେ , ପ୍ରଧାନମନ୍ତ୍ରୀ ମୋଦି ୩ ଡିସେମ୍ୱରରେ ଚଣ୍ଡିଗଡ଼ ଆସୁଛନ୍ତି। ଚଣ୍ଡିଗଡ଼ର ଯେଉଁ ଅଞ୍ଚଳରେ ଧମାକ ହୋଇଛି, ତାହା ଏକ ସମ୍ଭ୍ରାନ୍ତ ଅଞ୍ଚଳ । 

ଡିଏସପି ଦିଲବାଗ ସିଂହ କହିଛନ୍ତି କି ସକାଳ ୩.୨୫ରେ ଆମ କଣ୍ଟ୍ରୋଲ ରୁମ୍‌କୁ ସୂଚନା ମିଳିଥିଲା। କ୍ଲବ୍‌ର କାଚ ଭାଙ୍ଗି ଯାଇ ଥିବାର ପୋଲିସ୍‌ ଘଟଣା ସ୍ଥଳରେ ଦେଖିଥିଲା।  ବୟାନ ରେକର୍ଡ କରିବା ପରେ ପୋଲିସ୍ ମାମଲା ରୁଜୁ କରାଇଛି। ମାସ୍କ ପିନ୍ଧା ଅଭିଯୁକ୍ତ ସେକ୍ଟର -୨୬ ଥାନାର ଆଗରୁ ଆସିଥିଲେ। ଅଭିଯୁକ୍ତମାନେ ସ୍ଲିପ୍‌ ରୋଡ୍‌ରେ ବାଇକ୍‌ ରଖିଥିଲେ। ପ୍ରଥମେ ସେ ସେଭିଲେ ବାର୍‌ ଲାଉଞ୍ଜର ବାହାରେ ଦେଶୀ ବୋମା ଫିଙ୍ଗି ଥିଲେ। ଏହାପରେ ସେ ଡିଓରା କ୍ଲବ୍‌ ବାହାରେ ବୋମା ଫିଙ୍ଗିବାକୁ ପହଞ୍ଚି ଥିଲେ। ଏହି ଦୁଇ କ୍ଲବ୍‌ ମଧ୍ୟରେ ଦୂରତା ପାଖାପାଖି ୩୦ ମିଟର।

ଚଣ୍ଡିଗଡ଼ରେ କ୍ଲବ୍‌ ବାହାରେ ଯେଉଁ ସମୟରେ ଧମାକା ହୋଇଥିଲା , ଏହି ସମୟରେ କ୍ଲବ୍‌ ବନ୍ଦ ଥିଲା। ଏହି କାରଣର କୌଣସି ଜୀବନହାନି ଘଟି ନାହିଁ। ଘଟଣାସ୍ଥଳରେ କେବଳ ସିକ୍ୟୁରିଟି ଗାର୍ଡ ଥିଲେ, ଯିଏକି ପୋଲିସ୍‌କୁ ସୂଚନା ଦେଇଥିଲେ।