ପାଟଣାଗଡ଼,୨।୬ (ଆପ୍ର) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ପଞ୍ଚାୟତ ପାଣ୍ଡେସରା ଗାଁର ବିଧବା ବୃଦ୍ଧା ସୁରେଖା ନାଗ ଗୁରୁଣ୍ଡି ଗୁରୁଣ୍ଡି ଭତ୍ତା ଆଣିବା ପାଇଁ ଯାଉଥିବା ବେଳର ହୃଦୟ ବିଦାରକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏନେଇ ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ସୋମବାର ବୃଦ୍ଧା ଙ୍କ ପlଖକୁ ବ୍ଲକ ପ୍ରଶାସନ କର୍ମଚାରୀ ପହଞ୍ଚିଛନ୍ତି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ ଫଟାମୁଣ୍ଡା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ସୁରେଖା ଙ୍କ ଘରେ ପହଂଚିଥିଲେ। ଚଳିତ ମାସରୁ ବୃଦ୍ଧାଙ୍କ ପାଖକୁ ପିଇଓଙ୍କ ଜରିଆରେ ହାତାହାତି ଟଙ୍କା ପହଞ୍ଚାଇ ଦିଆଯିବ ବୋଲି ବିଏସଏସଓ କମଳାକାନ୍ତ ବାରିକ ସୂଚନା ଦେଇଛନ୍ତି।
ଅପରପକ୍ଷରେ, ବୃଦ୍ଧା ଜଣକ ପୂର୍ବରୁ ଚାଲ ଛପର ଘରେ ରହୁଥିବାବେଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଘରଟି ରକ୍ଷଣା ବେକ୍ଷଣ ଅଭାବରୁ ସମୟାନୁକ୍ରମେ ଭୁଶୁଡି ପଡିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ପାଖରେ କେହି ନାହାନ୍ତି। ସ୍ୱାମୀ ଜୀବିତ ଅବସ୍ଥାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପାଇଥିବା ଏକ ବ୍ୟକ୍ତିଗତ ଛେଳି ଗୁହାଳ ଘରେ ବୃଦ୍ଧା ଜଣକ ରହୁଥିବା ଦେଖିବାକୁ ମିଳିଛି। ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାପାଇଁ ଦାବି କରିଛନ୍ତି।