କଟକ,୨୯/୦୭: ଛାତ୍ରଛାତ୍ରୀମାନଙ୍କ ସ୍କୁଲ୍‌ ବସ୍ତାନି  ବୋଝ ଦିନକୁ ଦିନ ବଢ଼ିଚାଲିଥିବାରୁ ଉଦ୍‌ବେଗ ପ୍ରକାଶ  ପାଇଛି । ପୂର୍ବରୁ ଏନେଇ କଟକଣା ଥିଲେ ମଧ୍ୟ ଅନେକ  ସ୍କୁଲ୍‌ ଏହାକୁ ମାନୁନଥିବା ନେଇ ଅଭିଯୋଗ ହୋଇ ଆସୁଛି। ଏହାକୁ ନେଇ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପୁଣି ଥରେ ନିର୍ଦ୍ଦେଶନାମା ଜାରି କରାଯାଇଛି । ଛାତ୍ରଛାତ୍ରୀମାନେ ସେମାନଙ୍କ ଓଜନର ୧୦ ପ୍ରତିଶତରୁ କମ୍‌ ଓଜନର ସ୍କୁଲ୍‌ ବ୍ୟାଗ ନେବେ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି । ଉଦାହରଣ ସ୍ୱରୂପ ୩୦  କିଲୋ ଓଜନର ଛାତ୍ରଛାତ୍ରୀମାନେ ୩କିଲୋରୁ କମ୍‌ ଓଜନର  ସ୍କୁଲ୍‌ ବ୍ୟାଗ ନେବେ ।  ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ  ସଂଯୋଜକ ନିତ୍ୟାନନ୍ଦ ବାରିକ  ଏ ସଂପର୍କିତ ନିର୍ଦ୍ଦେଶନାମା  ଜିଲ୍ଲାର ସମସ୍ତ ବ୍ଲକ୍‌  ଶିକ୍ଷା ଅଧିକାରୀଙ୍କୁ ଜାରି  କରିଛନ୍ତି । ବିଇଓମାନେ  ସେମାନଙ୍କ ବ୍ଲକ୍‌ର ସମସ୍ତ  ସରକାରୀ, ଅନୁଦାନପ୍ରାପ୍ତ  ଓ ବେସରକାରୀ ସ୍କୁଲ୍‌  କର୍ତ୍ତୃପକ୍ଷଙ୍କୁ ଏ ନିର୍ଦ୍ଦେଶନାମା  ସଂକ୍ରାନ୍ତରେ ସୂଚନା  ଜାରି କରିବେ ବୋଲି  କୁହାଯାଇଛି । ଜୁଲାଇ ୩୦ ତାରିଖ ସୁଦ୍ଧା ପଦକ୍ଷେପ  ସଂକ୍ରାନ୍ତରେ ରିପୋର୍ଟ ପ୍ରକଳ୍ପ ସଂଯୋଜକଙ୍କ ଅଫିସ୍‌କୁ  ଜଣାଇବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି । 

ଅନ୍ୟପକ୍ଷରେ ବିଇଓମାନେ ଆଜି ଏନେଇ ପ୍ରତ୍ୟେକ  ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଛାତ୍ରଛାତ୍ରୀଙ୍କ  ସ୍କୁଲ୍‌ ବ୍ୟାଗ୍‌ ଓଜନ କମାଇବାକୁ କ୍ଲାସ୍‌ ଟିଚର୍‌ (ଶ୍ରେଣୀ  ଶିକ୍ଷକ)ମାନେ ଛାତ୍ରଛାତ୍ରୀମାନେ କେଉଁ ବହି ଓ ଖାତା  ଆଣିବେ ତାର ସୂଚନା ପୂର୍ବ ଦିନ ସଂଧ୍ୟାରୁ ପ୍ରଦାନ କରିବେ ।  ପ୍ରତ୍ୟେକ ସ୍କୁଲ୍‌ କର୍ତ୍ତୃପକ୍ଷ ପ୍ରବେଶ ଫାଟକ ନିକଟରେ  ଓଜନ ମେସିନ୍‌ ରଖିବେ । ବ୍ୟାଗ୍‌ ଓଜନ କରିବା ପରେ  ଛାତ୍ରଛାତ୍ରୀଙ୍କୁ କ୍ଲାସ୍‌ ରୁମ୍‌କୁ ଛଡ଼ାଯିବ । ସେହିପରି  କିଭଳି ସ୍କୁଲ୍‌ ବ୍ୟାଗ୍‌ରେ କମ୍‌ ବହି ରହିବ ସେଥିପାଇଁ  ମଧ୍ୟ ମାର୍ଗଦଶିର୍କାରେ ସୂଚନା ପ୍ରଦାନ କରାଯାଇଛି । 

ଏହି ନିର୍ଦ୍ଦେଶନାମା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି  କି ନା ସେ ସଂକ୍ରାନ୍ତରେ ବିଇଓମାନେ ନିୟମିତ ବ୍ୟବଧାନରେ  ବିଭିନ୍ନ ସ୍କୁଲ୍‌ ପରିଦର୍ଶନ କରିବେ ଓ ନିୟମ ଉଲ୍ଲଂଘନ  କରୁଥିବା ସ୍କୁଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିବେ । ସେହିପରି ଅଭିଭାବକମାନେ ମଧ୍ୟ ବସ୍ତାନି ଓଜନ  ବାବଦରେ ଅଭିଯୋଗ କରିପାରିବେ । ସ୍କୁଲ୍‌ କର୍ତ୍ତୃପକ୍ଷ  ଅଭିଭାବକମାନଙ୍କୁ ବସ୍ତାନି ଓଜନ ବାବଦରେ ସଚେତନ  କରିବେ । କେବଳ ବସ୍ତାନି ନୁହେଁ, ସ୍କୁଲ୍‌ରେ ପିଇବା  ପାଣି ବାବଦରେ ମଧ୍ୟ ଅନୁଧ୍ୟାନ କରାଯିବ । ସ୍କୁଲ୍‌ରେ  ଛାତ୍ରଛାତ୍ରୀମାନେ ସ୍ୱଚ୍ଛ ପିଇବା ପାଣି ପିଇବାକୁ ପାଉଛନ୍ତି କି  ନାହିଁ ସେ ବାବଦରେ ମଧ୍ୟ ବିଇଓମାନଙ୍କୁ ରିପୋର୍ଟ କରିବାକୁ  କୁହାଯାଇଛି । 

ସୂଚନାଯୋଗ୍ୟ, ଛାତ୍ରଛାତ୍ରୀମାନଙ୍କ ସ୍କୁଲ୍‌  ବ୍ୟାଗ୍‌ ଓଜନ କମ୍‌ କରିବାକୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ  ଦେଇସାରିଛନ୍ତି । ଏନେଇ ସରକାର ମଧ୍ୟ ଗାଇଡ୍‌ଲାଇନ  ଜାରି କରିଛନ୍ତି । ତେବେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଉନଥିବାରୁ ଅନେକ ସ୍କୁଲ୍‌ ବିଶେଷ କରି  ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପିଲାମାନଙ୍କ ଉପରେ  ଅତ୍ୟଧିକ ବସ୍ତାନି ବୋଝ ଲଦି ଦେଉଥିବା ଅଭିଯୋଗ  ହେଉଥିଲା । ଫଳରେ ପ୍ରଶାସନ ପକ୍ଷରୁ ଏନେଇ ଜିଲ୍ଲାର  ସମସ୍ତ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରି ପିଲାମାନଙ୍କ  ବସ୍ତାନି ବୋଝ କମ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।