ମନମୁଣ୍ଡା,୨୨/୧୧ : ମନମୁଣ୍ଡା ଖେଳ ପଡ଼ିଆରେ ଆଜି ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ମହାସମାରୋହରେ ପାଳିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମିଳିତ ଆନୁକୁଲ୍ୟରେ ବୌଦ୍ଧ ସିଡିଭିଓ ଡାକ୍ତର ରାମା ରାଓ ପାଲୋଙ୍କ ଅଧ୍ୟକ୍ଷତାରେ ଏବଂ ମନମୁଣ୍ଡା ପ୍ରାଣୀ ଚିକିତ୍ସକ ଡାକ୍ତର ସୂର୍ଯ୍ୟସ୍ମିତା ରଥ ଏବଂ କଣ୍ଟାମାଳ ପ୍ରାଣୀ ଚିକିତ୍ସକ ସିମାରାଣି ବାଘଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଳାରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡ଼ାଙ୍ଗ ମୁଖ୍ୟ ଅତିଥି ଏବଂ ଜୋନ ନଂ ୧ ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ , ଜୋନ ନଂ ୨ ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ, ମନମୁଣ୍ଡା ଓମ୍ଫେଡ ସଭାପତି ଶିବ ପ୍ରସାଦ ରଥ ସମ୍ମାନିତ ଅତିଥିଭାବେ ଯୋଗଦେଇଥିବାବେଳେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦ୍ରୋପଦି ମାଝି, ପ୍ରାଣୀ ବିଭାଗର ପ୍ରାକ୍ତନ ଯୁଗ୍ମ ନିର୍ଦେଶକ ଡାକ୍ତର ଶ୍ରୀମନ୍ତ କୁମାର ନନ୍ଦ, ପ୍ରାଣୀ ଚିକିତ୍ସାଳୟର ପ୍ରାଧ୍ୟାପକ ଡାକ୍ତର ଜାଜ୍ଞସେନି ମେହେର, ମତ୍ସ୍ୟ ବିଭାଗ ବରିଷ୍ଠ ଅଧିକାରୀ ପ୍ରଫୁଲ୍ଲ କହଁର ପ୍ରମୁଖ ଅଧିକାରୀଗଣ ମଞ୍ଚାସିନ ରହିଥିଲେ।
କଣ୍ଟାମାଳ ପ୍ରାଣୀ ଚିକିତ୍ସକ ଡାକ୍ତର ବିମଳ ଚୌଧୁରୀ ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଏହା ଚାଷୀମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ । ସରକାରୀ ଯୋଜନା ଓ ଭଲ ଚାଷ ସଙ୍ଗେ ଅଧିକ ଲାଭ କେମିତି ମିଳିବ ଇତ୍ୟାଦି ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ମାଛ, ଚିଙ୍ଗୁଡ଼ି ଚାଷ କେଉଁ ଓ କିପରି ପଦ୍ଧତିରେ କରିବେ, ଯାଆଁଳା କେଉଁଠୁ ଆଣିବେ, ଠକାମୀରେ ପଡ଼ିବେ ନାହିଁ, ସେ ସମ୍ପର୍କରେ ସରକାରଙ୍କ ବିଭିନ୍ନ ଯୋଜନା, ସବସିଡି, ଋଣ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇ କହିଥିଲେ।
ସେହିପରି ବୌଦ୍ଧ ସିଡିଭିଓ ଶ୍ରୀ ପାଲୋ ପ୍ରାଣୀ ପାଳନ ଯୋଜନା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ସେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା - ଗୋ ଓ ମଇଁଷି ପାଳନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗରେ ଅତିରିକ୍ତ ରିହାତି, ଗୋ ସମ୍ପଦ ବୀମା ଯୋଜନା, ତୃଣ ଉଦ୍ୟୋଗ ; ପ୍ରାଣୀ ସମୃଦ୍ଧି ଯୋଜନା - ବ୍ରୟେଳର କୁକୁଡ଼ା ଫାର୍ମ ଓ ଅଣ୍ଡା ଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ ଆର୍ଥିକ ସହାୟତା, କ୍ଷୁଦ୍ର କୁକୁଡ଼ା ଦାନା ପ୍ରସ୍ତୁତି କାରଖାନା ଓ କୁକୁଡ଼ା ଚିଆଁ ପାଳନ କେନ୍ଦ୍ର ପାଇଁ ଆର୍ଥିକ ସହାୟତା, ଘର ଅଗଣା ରେ କୁକୁଡ଼ା ଓ ବତକ ପାଳନ, ଛେଳି ମେଣ୍ଢା ପାଇଁ ଆର୍ଥିକ ସହାୟତା, ଘୁଷୁରୀ ଚାଷ ; ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା - ଗୋଶାଳା ପ୍ରତିଷ୍ଠା ପାଇଁ ଆର୍ଥିକ ସହାୟତା, ଭର୍ମି କମ୍ପୋଷ୍ଟ ଗୋଧନ କେନ୍ଦ୍ର ପାଇଁ ସହାୟତା ଏବଂ ଜାତୀୟ ପ୍ରାଣୀଧନ ମିସନ ଇତ୍ୟାଦି ଉପରେ ବିସ୍ତୃତ ଭାବେ ବୁଝାଇ କହିଥିଲେ। ଶେଷରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଡ଼ାଙ୍ଗ ଧାନ ଚାଷ ବ୍ୟତୀତ ଚାଷୀମାନଙ୍କ ଆର୍ଥିକ ସ୍ଥିତି ବୃଦ୍ଧି ପାଇଁ ଓ ସ୍ବାବଲମ୍ବୀ ହେବା ପାଇଁ ମୋଦି ଓ ମୋହନ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଉପରେ ଗୁରୁତ୍ବ ସହ କାମ କରୁଥିବା କହିଥିଲେ। ମାଛ ଚାଷ ଓ ଗୋପାଳନ ଓ ଅନ୍ୟ ପ୍ରାଣୀ ଚାଷ ପାଇଁ ସରକାର ଚାଷୀ ମାନଙ୍କ ପାଇଁ ଅନେକ ଯୋଜନା କରିଥିବା ଓ ତହିଁର ଲାଭ ଉଠାଇବାକୁ କହିଥିଲେ । ଚାଷୀମାନଙ୍କୁ ଉପଯୁକ୍ତ ତାଲିମ ଓ ବୈଷୟିକ ଜ୍ଞାନ ପ୍ରଦାନ ସହ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ପ୍ରଦାନ କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇ ଉତ୍ସାହିତ କରିଥିଲେ।
ଏହି ଅବସରରେ ଅନେକ ଚାଷୀମାନଙ୍କୁ କାର୍ଯ୍ୟାଦେଶ ଏବଂ ମାନ ପତ୍ର, ଉତ୍ତରୀୟ ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀ ଉପରେ ୧୨ଟି ଷ୍ଟଲ ପ୍ରଦର୍ଶନ କରାଯାଇ ବିଭାଗୀୟ ଯୋଜନା ଓ ନୂତନ ଜ୍ଞାନ କୌଶଳ ପ୍ରଦର୍ଶିତ ହୋଇଥିଲା। ମୁଖ୍ୟ ଅତିଥି ଓ ଅନ୍ୟ ସମସ୍ତେ ତାହା ପରିଦର୍ଶନ କରିଥିଲେ ଏବଂ ଗୋ ପୂଜା ମଧ୍ୟ କରାଯାଇଥିଲା । ଏତଦବ୍ୟତୀତ ଓଡ଼ିଶା ରାଜ୍ୟସ୍ତରୀୟ ଇଲେକ୍ଟ୍ରୋ ହୋମିଓପାଥି ସଂଘ ତରଫରୁ ଜୈବ ପ୍ରତିରୋଧକ ସପ୍ତାହ ପାଳନ ଉପଲକ୍ଷେ ଗୋରୁମାନଙ୍କୁ ଏଲୋପଥି ବଦଳରେ ବିକଳ୍ପ ସ୍ୱରୂପ ଆୟୁର୍ବେଦ, ହୋପମିଓପଥି, ଇତ୍ୟାଦି ଚିକିତ୍ସା ଉପରେ ଆଲୋଚନା ମଧ୍ୟ କରାଯାଇଥିଲା। ଶେଷରେ କବି ଡ଼ା: ବିଶ୍ନୁପ୍ରସାଦ ତ୍ରିପାଠୀ ଙ୍କ ସଂଯୋଜନା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।