ପାଟଣାଗଡ଼, ୯/୧ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଉଦଯାପିତ ହୋଇଯାଇଛି । ବିଡିଓ ସୁମନ ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ନିଲକାନ୍ତ ବାଗ, ମୁଖ୍ୟବକ୍ତା ଭାବେ ନାଟ୍ୟଗୁରୁ ବିନୋଦ ବିହାରି ଦାସ, ସମ୍ନାନିତ ଅତିଥି ଭାବେ ତହସିଲଦାର ରୁଦ୍ରମୋହନ ନାୟକ, ଏନ୍ଏସି କାର୍ଯ୍ୟ ନିର୍ବାହ ଅଧିକାରୀ ନାରାୟଣ ଦଣ୍ଡସେନା, ବ୍ଲକ କଳା ସଂସ୍କୃତି ସଂଘ ଉପ ସଭାପତି ମନୋଜ ବାଗ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ଏକକ, ଦଲିୟ ଲୋକ ସଙ୍ଗୀତ, ରାମଲିଲା, ଦୁଲଦୁଲି, କରମସାନି, ଘୁଡ଼କା, ସଙ୍କୀର୍ତ୍ତନ ଆଦି କଳାକାରମାନେ ପରିବେଷଣ କରିଥିଲେ ।

ଏଥିରେ ବିଚାରକ ଭାବେ ଜନସନ ନାଗ, ଦିପ୍ତି ପ୍ରକାଶ ଦାସ, ରାଘବ ବଗର୍ତ୍ତି, ସାନ୍ତୁନୁ ସାହୁ, କ୍ଷିରୋଦ୍ର କୁମାର ସାହୁ, ଭରତ ବାଗ ପ୍ରମୁଖ ରହିଥିଲେ । ଅପରପକ୍ଷରେ ବିଡିଓ ସୁମନ ମିଞ୍ଜଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପ୍ରଚାର ପ୍ରସାର ଅଭାବରୁ ଗ୍ରାମାଞ୍ଚଳରେ ଥିବା କଳାକାରମାନେ ଏହି ଉତ୍ସବରେ ଯୋଗଦେଇ ପାରିନଥିଲେ । ଫଳରେ ଚୌକି ଗୁଡ଼ିକ ଖାଲି ପଡ଼ିଥିବା ଦେଖିବାକୁ ମିଲିଥିଲା । ସେହିପରି ବ୍ଲକର ବିଭିନ୍ନ ଅଞ୍ଚଳରୁ ଏହି ଉତ୍ସବକୁ ଆସିଥିବା କଳାକାରମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ ଅଣଦେଖା କରୁଥିବାରୁ ସେମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଥିଲା । ଏପରିକି କଳାକାରମାନଙ୍କ ପାଇଁ ସାଜସଜ୍ଜାର କୌଣସି ସୁବ୍ୟବସ୍ଥା ନ ଥିବାରୁ ଅନେକ କଳାକାର ଗଛ ତଳେ, ଛାତ ଉପରେ, ବ୍ଲକ ପ୍ରଶାସନ ପାଇଁ ତିଆରି କରାଯାଇଥିବା ଗାଟି ରଖିବା ସ୍ଥାନରେ ଭଙ୍ଗାଦଦରା କୋଠରୀରେ ସାଜସଜ୍ଜା ହେଉଥିବାର ଦେଖିବାକୁ ମିଳିଥିଲା ।

ବିଶେଷ କରି ମହିଳା କଳାକାରମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । କଳାକାରମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା । ହେଲେ ଖୋଲା ଆକାଶ ଗଛ ତଳେ ଅବ୍ୟବସ୍ଥା ଭିତରେ ଖାଦ୍ୟ ପ୍ରସ୍ତୁତ ହୋଇଥିବାରୁ ଅନେକ କଳାକାର ନ ଖାଇ ଘରକୁ ଫେରିଯାଇଥିଲେ । ଉତ୍ସବସ୍ଥଳରେ ପିଇବା ପାଣି ପାଇଁ ବ୍ୟବସ୍ଥା ନ ଥିବା ନେଇ କଳାକାରମାନଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ଏପରିକି ପ୍ରଚାର ପ୍ରସାର ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଇଥିବାରୁ ସେମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ କଳାକାର ମାନେ ଦାବି କରିଛନ୍ତି ।