ଭୁବନେଶ୍ୱର,୧୯/୩: ବିଏମ୍ସି ୱାର୍ଡ ନଂ.୫୫ ନାଗେଶ୍ୱର ଟାଙ୍ଗୀ ଜନବସତିରେ ବହୁ ଶିକ୍ଷିତ ଓ ବୁଦ୍ଧିଜୀବୀ ରହୁଛନ୍ତି । ଏଠାରେ ମାଳ ମାଳ ଆପାର୍ଟମେଣ୍ଟ, ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ । କିନ୍ତୁ ପରିମଳ ବ୍ୟବସ୍ଥା ଯେମିତି ନ କହିବା ଭଲ । ବଡ଼ ବଡ଼ିଆ ଲୋକ ସବୁ ଏଠାରେ ରାସ୍ତା କଡ଼ରେ ଅଳିଆ ଗଦାନ୍ତି । ପଚାରିଲେ ବିଏମ୍ସିକୁ ଦୋଷ ଦିଅନ୍ତି ।

ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରେ ଥିବା ସିରାଜ ହୋଟେଲ ଗଳିର ଏକ ଅଳିଆ ଗଦାକୁ ନେଇ ବିବାଦ ଦେଖାଦେଇଛି । ଏହି ଅଳିଆ ବିଏମ୍ସିର ସୃଷ୍ଟି ବୋଲି ସ୍ଥାନୀୟ ଲୋକ କହୁଥିବାବେଳେ ବିଏମ୍ସି ଲୋକଙ୍କ ଉପରେ ଦୋଷ ଲଦିଛି । ଏହିପରି ପରସ୍ପର କାଦୁଅ ଫିଙ୍ଗାରେ ଅଳିଆ ଗଦାର ଉଚ୍ଚତା ଦିନକୁ ଦିନ ବଢ଼ିବାରେ ଲାଗିଛି । ହାସ୍ୟାସ୍ପଦ କଥା ହେଲା ଅଳିଆ ଯେଉଁଠାରେ ଗଦା ହୋଇଛି, ସେ କାନ୍ଥରେ ବିଏମ୍ସି ପକ୍ଷରୁ ଲେଖା ହୋଇଛି ‘ଏଠାରେ ଅଳିଆ ପକେଇବା ଦଣ୍ଡନୀୟ ଅପରାଧ । ଏଠାରେ ଅଳିଆ ପକାଇଲେ ୧୦୦୦ ଟଙ୍କା ଜାରିମାନା ଦେବାକୁ ପଡିବ’ । କିନ୍ତୁ ସେ ଲେଖାକୁ କାହାର ଭୃକ୍ଷେପ ନାହିଁ ।

ଆହୁରି ପଢନ୍ତୁ-ବଢ଼ିଲାଣି ଖରା, ଜଳିଲାଣି ଦେହ: ପାଣି ପାଇଁ ଡହଳ ବିକଳ ପଥଚାରୀ ଏବଂ ପଶୁ ପକ୍ଷୀ

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବିଏମ୍ସିର ସଫେଇ କର୍ମଚାରୀ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳର ବିଭିନ୍ନ ଗଳି କନ୍ଦିରୁ ଅଳିଆ ଆଣି ଏଠାରେ ପକାଉଛନ୍ତି । କିନ୍ତୁ ଟ୍ରାକ୍ଟରରେ ଅନ୍ୟତ୍ର ନେଉନାହାନ୍ତି । ଫଳରେ ଅଳିଆ ପରିମାଣ ବଢ଼ି ଚାଲିଛି । ସେଥିରୁ ଦୁର୍ଗନ୍ଧ ବ୍ୟାପୁଛି । ଗାଈ, ଗୋରୁ, ବୁଲା କୁକୁର ସେଥିରୁ ବର୍ଜ୍ୟ ଖାଦ୍ୟ ସହ ପଲିଥିନ୍ ଜରି ଆଦି ଖାଇ ରୋଗରେ ପଡ଼ି ପ୍ରାଣ ହରାଉଛନ୍ତି । ଆମେ ଏ ସମ୍ପର୍କରେ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କେହି ଶୁଣୁନାହାନ୍ତି । ସେପଟେ ୱାର୍ଡରେ କାମ କରୁଥିବା ବିଏମ୍ସି କର୍ମଚାରୀଙ୍କୁ ପଚାରିବାରୁ ସେ କହିଲେ ଯେ ଏହି କଲୋନୀରେ ଥିବା ଲୋକେ ଏପଟେ ଯାବତୀୟ ଅଳିଆ ଗଦାଉଛନ୍ତି । ସେଥିପାଇଁ ବିଏମ୍ସି ପକ୍ଷରୁ ଯିଏ ଅଳିଆ ପକାଇଲେ ଜରିମାନା ଲାଗିବ ବୋଲି ଲେଖାଯାଇଛି । ତାକୁ କେହି ମାନୁ ନାହାନ୍ତି । ଏ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ଧନଞ୍ଜୟ ମହାନ୍ତିଙ୍କୁ ପଚାରିବାରୁ ସେ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି ।