ଭୁବନେଶ୍ୱର,୨୮/୦୨: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର କର୍ପୋରେସନ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ଏହି ବୈଠକରେ ସର୍ବସମ୍ମତ୍ତି  କ୍ରମେ ଚଳିତ ବର୍ଷର ବଜେଟ୍‌ ପାରିତ କରାଯିବ। ଏହା ସହ ବିଏମ୍‌ସିର ଆଗାମୀ ବର୍ଷର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବିଏମ୍‌ସି ପକ୍ଷରୁ ପୂର୍ବ କର୍ପୋରେସନ ବୈଠକରେ ୮୧୧ କୋଟି  ଟଙ୍କାର ଚିଠା ବଜେଟ୍‌ ଉପସ୍ଥାପନ କରାଯାଇଥିଲା । ଏ ସଂକ୍ରାନ୍ତରେ ସମସ୍ତ  କର୍ପୋରେଟରଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଶୁକ୍ରବାର ଚୂଡ଼ାନ୍ତ ବଜେଟ୍‌ ଉପସ୍ଥାପନ ହେବ ।

ଶୁକ୍ରବାର ସକାଳ ୧୦ଟାରେ ଅନୁଷ୍ଠିତ କର୍ପୋରେସନ ବୈଠକରେ ବଜେଟ୍‌ ଉପସ୍ଥାପନ ହେବ । ବିଏମ୍‌ସି ମୋଟ୍‌ ୭୮୪.୯୨  କୋଟି ଟଙ୍କା ବ୍ୟୟ ଲାଗି ଯୋଜନା କରିଛି । ଏଥିରେ ସିଂହଭାଗ ଟଙ୍କା ରାସ୍ତାଘାଟ ମରାମତି, ପରିମଳ, ଡ୍ରେନ୍‌ ପରିଚାଳନା ପାଇଁ ଖର୍ଚ୍ଚ ହେବାକୁ ଯୋଜନା କରାଯାଇଛି । ଏହାଛଡ଼ା ଏଷ୍ଟାବ୍ଲିସ୍‌ମେଣ୍ଟ ପାଇଁ ୧୧୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସେଥିମଧ୍ୟରେ ବିଏମ୍‌ସି କର୍ମଚାରୀଙ୍କ ଦରମା ବାବାଦକୁ ୨୪ କୋଟି, ବିଭିନ୍ନ ସରକାରୀ  ସୁବିଧା ପାଇଁ ୯ କୋଟି, ପେନସନ ପାଇଁ ୧୭ କୋଟି ଟଙ୍କା ଧାର୍ଯ୍ୟ ହୋଇଛି। ମଧୁବାବୁ ପେନସନ ଯୋଜନା ପାଇଁ ୨୫ କୋଟି ବ୍ୟୟ ଅଟକଳ ରଖାଯାଇଛି । ଆହାର ଯୋଜନା ପାଇଁ ୪ କୋଟି ୮୦ ଲକ୍ଷ ଧାର୍ଯ୍ୟ ହୋଇଛି । ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ୨୦୦  କୋଟି ଟଙ୍କା କମ୍‌ ବ୍ୟୟ ଅଟକଳ କରାଯାଇଥିବା ସୂଚନା ମିଳିଛି ।