ମୁମ୍ବାଇ ୨୨/୦୬: ଯାଞ୍ଚ୍‌ ପରିସରକୁ ଆସିଛି ବଲିଉଡ୍‌ ବାଦଶାହ ଶାହରୁଖଙ୍କ ବଙ୍ଗଳା ମନ୍ନତ । ଗତ ଶୁକ୍ରବାର ମୁମ୍ବାଇର ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ୍‌ ଅଞ୍ଚଳରେ ସ୍ଥିତ ମନ୍ନତରେ ନିର୍ମାଣ ସମ୍ବନ୍ଧୀୟ ଯାଞ୍ଚ୍‌ ହୋଇଛି । ବିଏମ୍‌ସି ଟିମ୍‌ ଓ ଜଙ୍ଗଲ ବିଭାଗ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି । ରିପୋର୍ଟ ଅନୁସାରେ, ଶାହରୁଖଙ୍କର ଏହି ବଙ୍ଗଳା ସମୁଦ୍ର କୂଳରେ ଅବସ୍ଥିତ । ତଟୀୟ ନିୟମ କ୍ଷେତ୍ରର (ସିଆର୍‌ଜେଡ୍‌)ର ନିୟମ ଉଲ୍ଲଂଘନ ଅଭଯୋଗରେ ଏହାର ଯାଞ୍ଚ୍‌ କରାଯାଇଛି । 

ମନ୍ନତ ଏକ ଐତିହ୍ୟ ସମ୍ପତ୍ତି । ଏଥିରେ ଏକ ମୁଖ୍ୟ ବଙ୍ଗଳା ଏବଂ ତା’ ପଛରେ ଏକ ବହୁମହଲାବିଶିଷ୍ଟ ଅଟ୍ଟାଳିକା ରହିଛି । ଏବେ ଆନେକ୍ସ ବିଲ୍ଡିଂରେ ଦୁଇଟି ଅତିରିକ୍ତ ମହଲାର ନିର୍ମାଣ କାମ ଚାଲିଛି । ଶାହରୁଖ ଓ ତାଙ୍କ ପରିବାର ଏବେ ନିକଟସ୍ଥ ଅନ୍ୟ ଏକ ସ୍ଥାନରେ ରହୁଛନ୍ତି । ଯାଞ୍ଚ୍‌ ଟିମ୍‌କୁ ମନ୍ନତର ଜଣେ କର୍ମଚାରୀ କହିଛନ୍ତି, ଅଟ୍ଟାଳିକା ନିର୍ମାଣ ସମ୍ପର୍କିତ ସମସ୍ତ ମଞ୍ଜୁରି ପୂର୍ବରୁ ନିଆଯାଇଛି । ଦସ୍ତାବିଜ ମଧ୍ୟ ଖୁବ୍‌ଶୀଘ୍ର ଦାଖଲ କରାଯିବ । ଅନ୍ୟପକ୍ଷେ, ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନୀ କହିଛନ୍ତି, କୌଣସି ଅଭିଯୋଗ ନାହିଁ । ନିର୍ଦ୍ଧାରିତ ନିର୍ଦ୍ଦେଶାନୁସାରେ ନିର୍ମାଣ କାମ ଚାଲିଛି । ଜଙ୍ଗଲ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଅଭିଯୋଗ ପରେ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ସେହି ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯିବ । ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି, ଜଙ୍ଗଲ ବିଭାଗର ଅନୁରୋଧରେ ସେମାନେ ମନ୍ନତରେ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ, ସମାଜକର୍ମୀ ସନ୍ତୋଷ ଡାଉଣ୍ଡକର ପୂର୍ବରୁ ବିଏମ୍‌ସିକୁ ଏହି ନିର୍ମାଣ ବିରୋଧରେ ଅଭିଯୋଗ କରିଥିଲେ । ପୂର୍ବ ଆଇପିଏସ୍‌ ଅଧିକାରୀ ଏବଂ ଓକିଲ ୱାଇପି ସିଂହ ମଧ୍ୟ ଗତ ଶୁକ୍ରବାର ଏହି ନିର୍ମାଣ ଉପରେ ପ୍ରଶ୍ନ କରିଥିଲେ । ସେ କହିଥିଲେ, ମନ୍ନତର ମୂଳ ନାଁ ଭିଲା ଭିଏନା ଥିଲା । ଏହା ଏକ ଐତିହ୍ୟ ଢାଞ୍ଚା । ପରେ ଏହାର ନାମ ବଦଳାଗଲା । ୨୦୦୫ରେ ବଙ୍ଗଳା ପଛରେ ୭ ମହଲା ଅଟ୍ଟାଳିକା ନିର୍ମାଣ ହୋଇଥିଲା । ସେତେବେଳେ ଅର୍ବାନ ଲ୍ୟାଣ୍ଡ ସିଲିଂ ଅଧିନିୟମ ଲାଗୁ ହେଉଥିଲା । ଏହା ଅନ୍ତର୍ଗତ ବଡ଼ ଅଟ୍ଟାଳିକା ନିର୍ମାଣ ହୋଇ ପାରୁନଥିଲା । ଏହି ସ୍ଥିତିରୁ ବଞ୍ଚିବା ପାଇଁ ବିଏମ୍‌ସିରୁ ୧୨ ଛୋଟ ଫ୍ଲାଟ୍‌ର ମଞ୍ଜୁରି ନିଆଗଲା । ମଞ୍ଜୁରି ମିଳିବା ପରେ ଏହି ଫ୍ଲାଟ୍‌ଗୁଡ଼ିକୁ ଯୋଡ଼ି ଏକ ବଡ଼ ବିଳାସପୂର୍ଣ୍ଣ ଘର ନିର୍ମାଣ କରାଗଲା । ନଗରନିଗମ ଅଧିକାରୀଙ୍କ ହାତ ବିନା ଏହି କାମ ସମ୍ଭବ ହୋଇନଥାନ୍ତା ବୋଲି ୱାଇପି ସିଂହ ଅଭିଯୋଗ କରିଥିଲେ । ଏବେ ଏହି ଅଧିନିୟମ ଲାଗୁ ହେଉନଥିଲେ ମଧ୍ୟ ସେ ସମୟର କାର୍ଯ୍ୟାନୁଷ୍ଠାନକୁ ବୈଧ ବିବେଚନା କରାଯାଏ ବୋଲି ସେ କହିଥିଲେ ।