ଭୁବନେଶ୍ୱର,୩୧/୦୩: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସ)ର ସ୍ୱଚ୍ଛ ସର୍ବେକ୍ଷଣରେ ଯୋଡ଼ିହେଲା ଆଉ ଏକ ଫର୍ଦ୍ଦ । ବିଏମ୍‌ସି ହେବ ଜଳାତଙ୍କ ରୋଗ ମୁକ୍ତ ସହର । ଏଥିପାଇଁ ସୋମବାରଠାରୁ ସମଗ୍ର ବିଏମ୍‌ସି ଅଞ୍ଚଳରେ ଆରମ୍ଭ ହୋଇଛି ସାମୂହିକ ବୁଲା କୁକୁର ଟିକାକରଣ କାର୍ଯ୍ୟକ୍ରମ ।  ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମେୟର ସୁଲୋଚନା ଦାସ ଓ ବିଏମ୍‌ସି କମିଶନର ଚଞ୍ଚଳ ରାଣା ।

ବିଏମ୍‌ସି ପକ୍ଷରୁ ଜାନୁଆରୀ ମାସରେ ଭୁବନେଶ୍ୱର ମହାନଗର ନିଗମ, ବୈଷୟିକ ସହାୟତା ପାଇଁ ମିଶନ ରାବିସ୍ ଆଣ୍ଡ ଡବ୍ଲ୍ୟୁଭିଏସ୍ ଇଣ୍ଡିଆ ଏବଂ ବୈଜ୍ଞାନିକ ପରାମର୍ଶ ପାଇଁ ଓୟୁଏଟି ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏନ୍ଏପିଆର୍‌ଇ ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ କମିଟି ଗଠନ କରାଯାଇଛି । ବିଏମସି ଅଂଚଳରେ ସାମୂହିକ କୁକୁର ଟିକାକରଣ (ଏମ୍‌ଡିଭି) କାର୍ଯ୍ୟ ପାଇଁ ୭୫ରୁ ୯୦ ଦିନ ଲାଗିବ । ବୁଲା କୁକୁରଙ୍କୁ ଡଗ୍ କ୍ୟାଚରମାନେ ଜାଲ କିମ୍ବା ହାତରେ ଧରି ଜଳାତଙ୍କ ପ୍ରତିଷେଧକ ଟିକା ଦେବେ । ଟିକା ଦିଆଯାଇଥିବା କୁକୁରମାନଙ୍କୁ ଚିହ୍ନଟ କରିବା ପାଇଁ ଅଣ-ବିଷାକ୍ତ ଜୈବିକ ମାର୍କ ବ୍ୟବହାର କରାଯିବ । ମିଶନ୍ ରାବିସ୍-ଡବ୍ଲୁଭିଏସ୍ ଦ୍ୱାରା ବିକଶିତ ମୋବାଇଲ୍ ଆପ୍ ମାଧ୍ୟମରେ ରିଅଲ୍ ଟାଇମ୍ ତଥ୍ୟ ସଂଗ୍ରହ, ଟିକାକରଣ ପରେ କୁକୁରମାନଙ୍କୁ ସେମାନଙ୍କ ସ୍ଥାନରେ ଛାଡ଼ିବା ଆଦି କାର୍ଯ୍ୟ କରାଯିବ ।

ଅଧିକ ପଢ଼ନ୍ତୁ :-  ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଅତ୍ୟାବଶ୍ୟକୀୟ ସାମଗ୍ରୀର ଉପଲବ୍ଧତା ସମ୍ପର୍କରେ ନିୟମିତ କରନ୍ତୁ ମନିଟରିଂ

ଟିକାକରଣ ପରବର୍ତ୍ତୀ ରଣନୀତି ପାଇଁ ମଧ୍ୟ କେତେକ ପଦକ୍ଷେପ ନିଆଯାଇଛି । କୁକୁରମାନଙ୍କ ଶରୀରରେ ଏକ ସଶକ୍ତ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ପାଇଁ ସର୍ବନିମ୍ନ ୭୦ ପ୍ରତିଶତ ଟିକାକରଣ କରାଯିବାର ଆବଶ୍ୟକତା ରହିଛି । ଚଳିତ ବର୍ଷ ଏମ୍ଡିଭି ମାଧ୍ୟମରେ ପାଖାପାଖି ୩୭ ୦୦୦ ଏବଂ ଏବିସି ମାଧ୍ୟମରେ ପାଖାପାଖି ୩୦୦୦ (ଏପ୍ରିଲରୁ ଜୁନ) ଏପରି ମୋଟ ୪୦ ହଜାର କୁକୁରଙ୍କୁ ଟିକାକରଣ କରିବା ପାଇଁ ଯୋଜନା କରାଯାଇଛି । ଟିକା ଦିଆଯାଇଥିବା ବୁଲା କୁକୁରଙ୍କ ଶରୀରରେ କେତେ ପରିମାଣର ଆଣ୍ଟିବଡି ସ୍ତର ସୃଷ୍ଟି ହାଇଛି, ତାହା ସେରା-ସର୍ଭେଲାନ୍ସ ଜରିଆରେ ନମୁନା ସଂଗ୍ରହ କରି କେଭିଏଏଫ୍ଏସ୍ ୟୁସିଭିଏ ରାବିସ୍ ଡାଇଗ୍ନାଷ୍ଟିକ୍ ଲାବୋରେଟାରୀ, ବାଙ୍ଗାଲୋର ଭେଟେରିନାରୀ କଲେଜକୁ ପରୀକ୍ଷା ପାଇଁ ପଠାଯିବ । କାରଣ ବାଙ୍ଗାଲୋର ଭେଟେରିନାରୀ କଲେଜ ହେଉଛି ଭାରତର ଏକମାତ୍ର ବିଶ୍ୱ ପ୍ରାଣୀ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଓଏଏଚ୍)-ପଶୁ ରାବିସ୍ ପାଇଁ ପ୍ରମାଣିତ ସନ୍ଦର୍ଭ ପରୀକ୍ଷାଗାର ।

ସୋମବାର ବିଏମସି ମୁଖ୍ୟାଳୟଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡେପୁଟି ମେୟର ମଂଜୁଲତା କହଁର, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ଅତିରିକ୍ତ କମିଶନର ରତ୍ନାକର ସାହୁ, କୈଳାସ ଚନ୍ଦ୍ର ଦାସ, ଏବିସି ଡେପୁଟି କମିଶନର ଅଶୋକ କୁମାର ଦାସ, କାର୍ଯ୍ୟକ୍ରମର ନୋଡାଲ ଅଫିସର ଡାକ୍ତର ପ୍ରଶାନ୍ତ କୁମାର ଶିକା, ବିଏମ୍ସି ପ୍ରାଣୀ ଚିକିତ୍ସକ ଡାକ୍ତର ଦେବି ପ୍ରସାଦ କୁଣ୍ଡ, ଡାକ୍ତର ଦୀପକ ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁକୁର ଧରାଳି (ଡଗ୍ କ୍ୟାଚର) ଓ କର୍ମଚାରୀଙ୍କ ସହ ଟିମ୍ ବିଏମ୍‌ସି ଉପସ୍ଥିତ ଥିଲେ ।