ଭୁବନେଶ୍ୱର୨୯/୦୭:  ବୁଧବାର ହେବ ବିଏମ୍‌ସି କର୍ପୋରେସନ  ବୈଠକ। ତା ପୂର୍ବରୁ ସୋମବାର କଣ୍ଟ୍ରାକ୍ଟସ ଷ୍ଟାଣ୍ଡିଂ  କମିଟି ବୈଠକ ସରିଛି। ଏହି ବୈଠକ ବେଶ ସରଗରମ  ରହିବ । ପରିମଳ ବିଭାଗ ଏସ୍‌ଆଇଙ୍କ ବଦଳିକୁ ନେଇ କର୍ପୋରେଟରମାନେ ହୋହଲ୍ଲା କରିବା ସମ୍ଭାବନା ରହିଛି । ବିଏମ୍‌ସିରେ ଏକାବେଳକେ ୬୭ ୱାର୍ଡର ଏସ୍‌ଆଇମାନଙ୍କୁ  ପରିବର୍ତ୍ତନ କରାଯାଇଥିଲା । ଏହାକୁ ନେଇ କର୍ପୋରେଟରମାନେ  ଆପତ୍ତି ଉଠାଇଥିଲେ । ବଦଳି ଆଦେଶ ରଦ୍ଦ କରିବାକୁ ନେଇ ଧାରଣାରେ ବସିଥିଲେ । ଆସନ୍ତା କର୍ପୋରେସନ ବୈଠକ  ପୂର୍ବରୁ ମେଳି ବାନ୍ଧିଛନ୍ତି କର୍ପୋରେଟର । ବିଜେଡି, ବିଜେପି  ଏବଂ ସ୍ୱାଧୀନ ଏକାଠି ହୋଇଛନ୍ତି । ଯଦି ବଦଳି ଆଦେଶ  ପରିବର୍ତ୍ତନ କରାନଯାଏ ବୈଠକ ଅଚଳ କରିଦେବାକୁ  ଚେତାବନୀ ଦେଇଛନ୍ତି । 

ଅଗଷ୍ଟ ଶେଷରେ ସ୍ୱାୟତ୍ତ ଶାସନ  ଦିବସ । ବୈଠକରେ ନୂଆ ଯୋଜନା ସମ୍ପର୍କରେ ବିସ୍ତୃତ  ଆଲୋଚନା ହେବାକୁ ସ୍ଥିର ହୋଇଥିଲା । ହେଲେ ଏହାକୁ  ବିରୋଧ କରିବାକୁ କର୍ପୋରେଟରମାନେ ସଜବାଜ  ହେଲେଣି । ଡେଙ୍ଗୁ ମଶା ପ୍ରସଙ୍ଗ ଉଠିବ । ଚଳିତ ମଶା  ସଂଖ୍ୟା ବୃଦ୍ଧି ପାଉଛି । ହେଲେ ବିଏମ୍‌ସି ପକ୍ଷରୁ କୌଣସି  ପଦକ୍ଷେପ ନିଆଯାଉନି । ଜନ ସଚେତନତା କାର୍ଯ୍ୟକ୍ରମ  କରାଯାଉନି । ମଶା ଧୂଆଁ ବି ଠିକ୍‌ ଭାବରେ ଦିଆଯାଉନି ।  ସେହିପରି ସହରରେ ଲାଗି ରହିଥିବା ଜଳବନ୍ଦୀ ସମସ୍ୟା  ଉଠାଇବାକୁ କର୍ପୋରେଟର ଏକାଠି ହୋଇଛନ୍ତି ।