ଭୁବନେଶ୍ୱର,୦୩/୦୩: ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ  (ବିଏମ୍‌ସି ) ପକ୍ଷରୁ କୁକୁର ଗଣନାରେ ସଫେଇ କର୍ମୀଙ୍କୁ ନିୟୋଜିତ କରିବାକୁ ଆଲୋଚନା ହୋଇଛି ।  ପୁଣି ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜଧାନୀରେ କୁକୁର  ବନ୍ଧ୍ୟାକରଣ ଆରମ୍ଭ ହେବାକୁ ସ୍ଥିର ହୋଇଛି ।   

ଭୁବନେଶ୍ୱରରେ କୁକୁର ସଂଖ୍ୟା ବଢ଼ିଛି । ପ୍ରତିଦିନ  ବୁଲା କୁକୁର କାମୁଡ଼ୁଥିବା ଏବଂ କୁକରଙ୍କ ଯୋଗୁ  ଦୁର୍ଘଟଣା ଘଟୁଥିବା ମାମଲା ସାମ୍ମାକୁ ଆସୁଛି ।  ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ରାଜ୍ୟରେ  କୁକୁର ଗଣନା ଆରମ୍ଭ ହେବ । ପରୀକ୍ଷାମୂଳକ  ଭାବେ ସଫେଇ କର୍ମୀଙ୍କୁ ଏ ଦିଗରେ ନିୟୋଜିତ  କରାଯିବ । ପ୍ରଥମେ ଦୁଇରୁ ୩ଟି ୱାର୍ଡରେ  ଏହି ଗଣନା କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା  କରାଯାଇଛି । ଯଦି ଏହା ସଫଳ ହୁଏ, ତାହାଲେ  ଆଗକୁ ସବୁ ୱାର୍ଡରେ ଗଣନା କାର୍ଯ୍ୟ ଆରମ୍ଭ  ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା  ଦେଇଛନ୍ତି । ବିଏମ୍‌ସିରେ ଗତ ବର୍ଷରୁ କୁକୁର  ବନ୍ଧ୍ୟାକରଣ ବନ୍ଦ ରହିଛି । ପିଆରସି ସାର୍ଟିଫିକେଟ୍‌  ନ ଥିବାରୁ କୁକୁର ବନ୍ଧ୍ୟାକରଣ ଉପରେ ରୋକ୍‌  ଲାଗିଥିଲା । ଫଳରେ ରାଜଧାନୀରେ ବୁଲା କୁକୁରଙ୍କ  ସଂଖ୍ୟା ବୃଦ୍ଧି ପାଇଥିଲା । ଗତମାସରେ ବିଏମ୍‌ସି  ଟେଣ୍ଡର ଡାକିଥିଲା । ନୂଆ ସଂସ୍ଥାକୁ କୁକୁର  ବନ୍ଧ୍ୟାକରଣ ଦାୟିତ୍ୱ ମିଳିଛି । ମାର୍ଚ୍ଚ ମାସ ଶେଷ  ସୁଦ୍ଧା ବନ୍ଧ୍ୟାକରଣ ଆରମ୍ଭ ହେବ । ପ୍ରତିଦିନ  ୫୦ରୁ ଅଧିକ କୁକୁରକୁ ବନ୍ଧ୍ୟାକରଣ କରିବାକୁ  ଯୋଜନା ରଖାଯାଇଛି । 

ଫାଇଲ ଭିତରେ ପୋଷା କୁକୁର ବାଇ-ଲ

ହିଂସ୍ର ପୋଷା କୁକୁର ଆଉ ମାଲିକଙ୍କୁ  ଲଗାମ ଲଗାଇଥାନ୍ତେ ସରକାର । ବାହାରେ  ମଳତ୍ୟାଗ ବନ୍ଦ କରିଥାନ୍ତେ । ସାଧାରଣ  ଲୋକଙ୍କୁ ଆକ୍ରମଣ ବି ବନ୍ଦ ହୋଇଥାନ୍ତା ।  ଏଥିପାଇଁ ବିଏମ୍‌ସି ବଡ଼ ନିୟମ ଆଣିଥିଲା ।  ଯେତେ ଦାମିକିଆ କୁକୁର ହେଉ ଯଦି ପଦାକୁ  ବାହାରିବ ତେବେ ମାଲିକ ନାଁ ବେକରେ  ଝୁଲାଇ ବାହାରିବ । ଏହି ନିୟମ ଆଜିପର୍ଯ୍ୟନ୍ତ  କାର୍ଯ୍ୟକାରୀ ହେଲା ନାହିଁ । ତେଣୁ ଗୋଟିଏ  ବି କୁକୁର ପଞ୍ଜୀକରଣ ହୋଇପାରିଲା ନାହିଁ । ଏହା ଭିତରେ ପୋଷା କୁକୁର କାମୁଡ଼ାରେ  ଡଜନେରୁ ଅଧିକ ମାମଲା ହେଲାଣି ।  ବଡ଼ଗଡ଼, ଚନ୍ଦ୍ରଶେଖରପୁରେ କୁକୁର  କାମୁଡ଼ାରେ ଛାତ୍ର ଆହତ ହେଲେ । ସେହିପରି  ହଂସପାଳରେ କୁକୁର କାମୁଡ଼ାରେ ମହିଳା  ଗୁରୁତର ହେଲେ । ବିଏମସି କର୍ପୋରେସନ  ବୈଠକରେ ଏ ସଂକ୍ରାନ୍ତ ବାଇ-ଲ କୁ  ଅନୁମୋଦନ ମିଳିଥିଲା । ଏହା ପରେ ରାଜ୍ୟ  ସରକାରଙ୍କ ପାଖକୁ ପଠାଯାଇଥିଲା । ବର୍ଷେରୁ  ଅଧିକ ସମୟ ବିତିଲା, ବର୍ତ୍ତମାନ ସୁଦ୍ଧା ବିଜ୍ଞପ୍ତି  ପ୍ରକାଶ ପାଇଲା ନାହିଁ।