କଟକ,୦୩/୧୧:୨୦୨୪- ୨୫ ଶିକ୍ଷାବର୍ଷର ମାଟ୍ରିକ୍‌ ପରୀକ୍ଷା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ  (ବୋର୍ଡ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜିଠୁ ପ୍ରାଥମିକ ପର୍ଯ୍ୟାୟରେ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି‌ । ମାଟ୍ରିକ୍‌ ରେଗୁଲାର ଓ  ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନ୍‌ଲାଇନ୍‌ରେ ବିଦ୍ୟାଳୟ  କର୍ତ୍ତୃପକ୍ଷଙ୍କ ଦ୍ୱାରା ହେବ ବୋଲି  ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି  କରାଯାଇଛି । ୩ ତାରିଖରୁ ଆରମ୍ଭ ହେଉଥିବା ଫର୍ମ ପୂରଣର ଶେଷ  ସମୟ ଆସନ୍ତା ୧୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ରହିଛି ।  

ଅନ୍ୟପକ୍ଷରେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ସିଲାବସ୍‌ ଆଧାରରେ ପାଠ୍ୟପୁସ୍ତକର ଅଧା କୋର୍ସ ତଥା  ଟର୍ମ-୧ ଅନୁସାରେ ବିଦ୍ୟାଳୟ  ସ୍ତରରେ ହୋଇଥିବା ଦୁଇଟି ଇଣ୍ଟର୍‌ନାଲ୍‌ ଆସେସ୍‌ମେଣ୍ଟ ଯଥା  ଫର୍ମେଟିଭ୍‌ ଆସେସ୍‌ମେଣ୍ଟ (ଏଫ୍‌ଏ-୧ ଓ ଏଫ୍‌ଏ-୨) ପରୀକ୍ଷା ନମ୍ବର  ଆଜିଠାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ  ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରିବେ ।  ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ ମାର୍କ ସହ  ଆସ୍‌ପ୍ରେସ୍‌ନାଲ୍‌ କମ୍ପୋନେଣ୍ଟସ୍‌ ମାର୍କ  ପ୍ରଧାନ ଶିକ୍ଷକମାନେ ଅପଲୋଡ୍‌  କରିବେ । 

ଆସନ୍ତାକାଲିଠାରୁ ଆରମ୍ଭ  ହେବାକୁ ଥିବା ଏହି ମାର୍କ ଅପଲୋଡ୍‌  ପ୍ରକ୍ରିୟା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ  ଚାଲିବ ବୋଲି ବୋର୍ଡ ପକ୍ଷରୁ ଜିଲ୍ଲା  ଶିକ୍ଷାଧିକାରୀ ଓ ହାଇସ୍କୁଲ୍‌ ପ୍ରଧାନ  ଶିକ୍ଷକମାନଙ୍କୁ ଅବଗତ କରାଯାଇଛି । ସେହିପରି ଟର୍ମ-୨ ସିଲାବସ୍‌  ଆଧାରରେ ଏଫ୍‌ଏ-୩ ଓ ଏଫ୍‌ଏ-୪ ପରୀକ୍ଷା ମାର୍କ ସହ ଆସ୍‌ପ୍ରେସ୍‌ନାଲ୍‌  କମ୍ପୋନେଣ୍ଟସ୍‌ ମାର୍କ ଆସନ୍ତା  ଜାନୁଆରୀ ସୁଦ୍ଧା ପ୍ରଧାନ ଶିକ୍ଷକମାନେ  ବୋର୍ଡ ୱେବ୍‌ସାଇଟ୍‌ରେ ଅପଲୋଡ୍‌  କରିବେ ବୋଲି ଯୋଜନା ରହିଛି ।  

ସୂଚନାଯୋଗ୍ୟ, ମାଟ୍ରିକ୍‌ ପରୀକ୍ଷାରେ ମୋଟ ୬ଟି ବିଷୟର  ୬୦୦ ମାର୍କ ପରୀକ୍ଷା ହେବ ।  ପରୀକ୍ଷାର୍ଥୀମାନେ ପ୍ରତି ବିଷୟରେ  ଶହେ ନମ୍ବର ଲେଖାଏଁ ପରୀକ୍ଷା  ଦେଲେ ମଧ୍ୟ ପ୍ରତି ବିଷୟରୁ  ୮୦ ନମ୍ବର ଏବଂ ଇଣ୍ଟରନାଲ୍‌  ଆସେସ୍‌ମେଣ୍ଟ ଓ ଆସ୍‌ପ୍ରେସ୍‌ନାଲ୍‌  କମ୍ପୋନେଣ୍ଟସ୍‌ ମାର୍କରୁ ୨୦ ନମ୍ବର  ନିଆଯାଇ ମୂଲ୍ୟାୟନ କରାଯିବ ।