ଅସ୍ତରଙ୍ଗ,୨୧/୮ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ତାଳଦା ଗ୍ରାମର ମହିଳାଙ୍କ ମୃତଦେହକୁ ନେଇ ବଢିଲା ସସପେନ୍ସ । ଅଗଷ୍ଟ ୧୮ତାରିଖରେ ମହିଳା ନିଖୋଜ ହେବା ପରେ ଅଗଷ୍ଟ ୨୧ରେ ମୃତଦେହ ମିଳିଛି । ନିଖୋଜର ୪ଦିନ ପରେ ମହିଳାଙ୍କ ଗଳିତ ମୃତଦେହ ନିକଟସ୍ଥ ଦେବୀ ନଦୀ ପାର୍ଶ୍ୱବର୍ତ୍ତୀ ପଥରଡିରୁ ଉଦ୍ଧାର କରାଯାଇଛି । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ।
ସୂଚନା ମୁତାବକ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ତାଳଦା ଗ୍ରାମର ଅଜୟ ନାୟକଙ୍କୁ ବୈଦିକ ରୀତିନୀତିରେ ଦୀର୍ଘ ବର୍ଷ ପୂର୍ବେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଓସକଣା ଗ୍ରାମର ଶରତ ନାୟକଙ୍କ ଝିଅ ଲିଲିପ୍ରଭା ନାୟକ ବିବାହ କରିଥିଲେ। ବିବାହ ସମୟରେ ଜ୍ୱାଇଁ ଅଜୟକୁ ପରିବାର ଲୋକେ ୨ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର, ଘର ଆସବାବପତ୍ର ମଧ୍ୟ ଦେଇଥିଲେ । କିନ୍ତୁ ବିବାହ ୭ରୁ ୮ମାସ ପରେ ସ୍ୱାମୀ ଓ ଶାଶୁ, ଶଶୁର, ନଣଦ ଏକତ୍ରିତ ହୋଇ ବିଭିନ୍ନ ସମୟରେ ଯୌତୁକ ବାବଦକୁ ୫୦ହଜାର ଟଙ୍କା ଆଣିବା ପାଇଁ ବାରମ୍ବାର ବାଧ୍ୟ କରୁଥିଲେ । କିନ୍ତୁ ଅଗଷ୍ଟ ୧୮ତାରିଖରେ ଜ୍ୱାଇଁ ଅଜୟ ନାୟକ ଲିଲିଙ୍କ ବାପା ଶରତଙ୍କୁ ଫୋନ କରି କହିଥିଲେ ତୁମ ଝିଅ କୁଆଡେ ପଳେଇ ଯାଇଛି । ଫଳରେ କିଛି ଘଣ୍ଟା ମଧ୍ୟରେ ଲିଲିଙ୍କ ବାପା ଅଜୟଙ୍କ ଘରେ ପହଂଚି ଦେଖିଥିଲେ ଲିଲି ନାହାନ୍ତି।
ଏହାପରେ ଲିଲିଙ୍କ ଶାଶୁଙ୍କୁ ପଚାରିବାରୁ ସେ କହିଥିଲେ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତୁମ ଝିଅ ଲିଲି କୁଆଡେ ଯାଇଛି ଆମେ ଜାଣିନୁ। ବିଭିନ୍ନ ସ୍ଥାନରେ ଝିଅକୁ ଖୋଜିବା ପରେ ଅସହାୟ ହୋଇ ଲିଲିଙ୍କ ବାପା ଶରତ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। କିନ୍ତୁ ଅଭିଯୋଗକୁ ପୋଲିସ ଗୁରୁତର ସହ ନେଇ ନ ଥିବା ବେଳେ ଲିଲିଙ୍କ ବାପ ଘର ଲୋକ ତାଳଦାରେ ପହଂଚି ଜ୍ୱାଇଁ ଅଜୟକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଏକ ମଠ ମଧ୍ୟରୁ ଜ୍ୱାଇଁ ଅଜୟ ଓ ତାର ସହଯୋଗୀକୁ ଧରି ଅସ୍ତରଙ୍ଗ ପୁଲିସ ମାଧ୍ୟମରେ ବୁଧବାର ମଧ୍ୟାହ୍ନ ସମୟରେ ଜିମା ଦେବା ପରେ ଅସ୍ତରଙ୍ଗ ପୋଲିସ ଜ୍ୱାଇଁ ଅଜୟ ଓ ସହଯୋଗୀଙ୍କୁ ଆଣି ଅଟକ ରଖି ଗୁରୁବାର ପଚରାଉଚରା ପରେ ଛାଡି ଦେଇଥିଲେ।
ଫଳରେ ପୋଲିସ ତଦନ୍ତକୁ ନେଇ ସନ୍ଦେହ ବଢିଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଥିଲେ। ଗୁରୁବାର ଦେବୀ ନଦୀରେ କିଛି ମତ୍ସ୍ୟଜୀବି ମାଛ ଧରି ଫେରୁଥିବାବେଳେ ଅସ୍ତରଙ୍ଗ ଥାନା ପଥରଡି ନିକଟ ଦେବୀ ନଦୀର ଅପରପାର୍ଶ୍ୱରେ ଗଳିତ ଅବସ୍ଥାରେ ଏକ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଲିଲିଙ୍କ ପରିବାର ପହଂଚି ମୃତଦେହକୁ ଚିହ୍ନଟ ପରେ ଘଟଣାସ୍ଥଳରେ ଗୁରୁବାର ଅପରାହ୍ନରେ ଅସ୍ତରଙ୍ଗ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା । ପୁରୀ ସାଇଣ୍ଟିଫିକ ଅଧିକାରୀ ଆଦିତ୍ୟ ରଞ୍ଜନ ନାୟକ, ରମେଶ ଚନ୍ଦ୍ର ବାରିକ, ବିଶ୍ୱଜିତି ସାହୁ, ଅସ୍ତରଙ୍ଗ ଥାନା ଅଧିକାରୀ ଦୁର୍ଗା ଚରଣ ମହାପାତ୍ର, ଉପନିରୀକ୍ଷକ ଦୀପକ ସାମନ୍ତସିଂହାରଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ପହଂଚି ମୃତଦେହ ପଡ଼ିଥିବା ସ୍ଥାନ ଓ ମୃତଦେହକୁ ତଦାରଖ କରିଥିଲେ। କେମିତି ହେଲା ମହିଳାଙ୍କ ମୃତ୍ୟୁ ? ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଏମିତି କରାଯାଇଥିଲା କି ? ମୃତ ଦେହ ମିଳିବା ପରେ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡିଛି । ପାରିପାର୍ଶ୍ଵିକ ସ୍ଥିତିରୁ ଏହା ବିଭତ୍ସ ହତ୍ୟା କାଣ୍ଡ ବୋଲି ସନ୍ଦେହ କରାଯାଉଛି। ତେବେ କିଏ ଓ କାହିଁକି ଏମିତି କାଣ୍ଡ ଘଟାଇଲେ, ନା ନିଜ ସ୍ୱାମୀ ଏଭଳି କରିଛନ୍ତି। ହତ୍ୟା ପଛର ପ୍ରକୃତ କାରଣ କ’ଣ ? ଅନ୍ୟପଟେ ଅସ୍ତରଙ୍ଗ ପୁଲିସ ଲିଲିପ୍ରଭା ନାୟକଙ୍କ ସ୍ୱାମୀ ଅଜୟ ନାୟକଙ୍କୁ ଅସ୍ତରଙ୍ଗ ଥାନାରେ ଅଟକ ରଖିଥିବାବେଳେ ଥାନାରେ କେଶ ନଂ ୧୭୨/୨୫ରେ ମାମଲା ରୁଜୁ କରି,ପୁଲିସ ପୋଷ୍ଟ ମୋଟମ ରିପୋର୍ଟକୁ ଅପେକ୍ଷା କରିଥିବାବେଳେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରୀ ରଖିଛି।