କେନ୍ଦ୍ରାପଡ଼ା,୧୭/୧୨: ଘରେ ବିଭିନ୍ନ ସମୟରେ ଅକାରଣରେ ପାଟିତୁଣ୍ଡ ହେଉଥିଲା । ଯେତେ ଉପାର୍ଜନ କଲେ ବି ଅଣ୍ଟୁନଥିଲା । ଅଶାନ୍ତି ଲାଗି ରହୁଥିଲା । ତେଣୁ ଘରେ କେମିତି ସୁଖଶାନ୍ତି ଫେରିବ ଓ ପୁଣି ସ୍ୱାଭାବିକ ସବୁ ଚାଲିବ ସେଥିପାଇଁ ତାନ୍ତ୍ରିକଙ୍କ ପରାମର୍ଶ ଲୋଡ଼ିଥିଲେ । ତାନ୍ତ୍ରିକ କହିଥିଲେ କି ଘର ଆଖପାଖରେ ଅତୃପ୍ତ ଆତ୍ମା ଘୂରି ବୁଲୁଛି । ଏହି ଅତୃପ୍ତ ଆତ୍ମା କେହି ନୁହେଁ ବରଂ ଅଗଣାରେ ବହୁବର୍ଷ ଆଗରୁ ପୋତି ହୋଇ ରହିଥିବା ଅଶରୀରୀ । ଏହି ଆତ୍ମାକୁ ଦାହସଂସ୍କାର ନକରି ପୋତି ଦିଆଯାଇଥିବାରୁ ତା’ ଆତ୍ମା ଅଶାନ୍ତ ହୋଇ ବୁଲୁଛି । ଖୋଳିଲେ ମାଟି ତଳୁ କଙ୍କାଳ ଉଦ୍ଧାର ହେବ ଓ ପ୍ରଚୁର ସୁନା, ରୁପା, ହୀରା, ମୋତି, ମାଣିକ ମଧ୍ୟ ମିଳିବ ।
କଙ୍କାଳକୁ ଉଦ୍ଧାର କରି ରୀତିନୀତି ଅନୁସାରେ ସଂସ୍କାର ପରେ ଗୁପ୍ତଧନ ଭୋଗ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ତାନ୍ତ୍ରିକ କହିଥିଲେ । ଆଉ ଆଜି ଗୃହକର୍ତ୍ତା, ୩ ଜଣିଆ ତାନ୍ତ୍ରିକ ଟିମ୍ ସହ ଘର ଅଗଣାରେ ପ୍ରାୟ ୧୦ ଫୁଟ୍ର ଗାତ ଖୋଳୁଥିବା ବେଳେ ନିଜେ ଶବ ହୋଇ ଯାଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା କୋରୋ ପଞ୍ଚାୟତ ପାଳକଣା ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଜଗବନ୍ଧୁ ମହାରଣା(୪୦) । ଅଭିଯୋଗ ଅନୁସାରେ, ଦଣ୍ଡପାଣି ମହାରଣାଙ୍କ ଦୁଇ ପୁଅ ଚନ୍ଦ୍ରଭାନୁ ଓ ଜଗବନ୍ଧୁ । ଚନ୍ଦ୍ରଭାନୁ ବଡ଼ ଓ ଜଗବନ୍ଧୁ ସାନ । ଘରେ ଅଶାନ୍ତି ନ ହେବା ପାଇଁ ସେମାନଙ୍କୁ କେହି ପରାମର୍ଶ ଦେଇଥିଲା କି-ନେମାଳ ଅଞ୍ଚଳର କେହି ତାନ୍ତ୍ରିକ ସମସ୍ୟାର ସମାଧାନ କରିପାରିବେ । ଜଗବନ୍ଧୁ ଉକ୍ତ ତାନ୍ତ୍ରିକଙ୍କ ସହ ଯୋଗାଯୋଗ କରିଥିଲେ । ତାନ୍ତ୍ରିକ ଘରେ ପହଞ୍ଚି ଅଗଣାରେ ଗୁପ୍ତଧନ ସହ ଅତୃପ୍ତ ଆତ୍ମା ଥିବା କହିଥିଲେ । ତେଣୁ ତାଙ୍କୁ ଏଥିପାଇଁ ମାସାଧିକ କାଳ ଧରି ଘରେ ସ୍ୱତନ୍ତ୍ର ପୂଜାପାଠ କରିବାକୁ ପଡ଼ିବ ।
ପରିବାର ସଦସ୍ୟମାନଙ୍କୁ ବିଧି ମୁତାବକ ଚାଲିବାକୁ ହେବ ବୋଲି କହିଥିଲେ । ପରିବାର ତାନ୍ତ୍ରିକଙ୍କ କଥାରେ ରାଜି ହୋଇ ଘରେ ପୂଜାପାଠ କରିଥିଲେ । ଏଥିପାଇଁ ତାନ୍ତ୍ରିକ ଜଗବନ୍ଧୁଙ୍କ ପରିବାରଠାରୁ ବିଭିନ୍ନ ସମୟରେ ପ୍ରାୟ ଲକ୍ଷାଧିକ ଟଙ୍କା ନେଇଛନ୍ତି । ପୂଜାପାଠର ଆଜି ଥିଲା ଅନ୍ତିମ ଦିବସ । ଆଜି ଅଗଣାରେ ଅପରାହ୍ଣ ପ୍ରାୟ ୫ଟା ବେଳକୁ ତାନ୍ତ୍ରିକ ଟିମ୍ ଓ ଜଗବନ୍ଧୁ ଗାତ ଖୋଳିବାକୁ ଲାଗିଥିଲେ । ଗାତ ଖୋଳା ହେବା ବେଳେ ଚନ୍ଦ୍ରଭାନୁ ଉପରେ ବସି ଦେଖିଥିଲେ ଓ ଜଗବନ୍ଧୁ ଗାତରେ ଥିଲେ । ରାତି ପ୍ରାୟ ସାଢ଼େ ୭ଟାରେ ଅଚାନକ ମାଟି ଅତଡ଼ା ଖସିଯିବାରୁ ଜଗବନ୍ଧୁ ତା’ ଭିତରେ ଫସି ରହି ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ପ୍ରାୟ ୪୫ ମିନିଟ୍ ଧରି ଫସି ରହିବାରୁ ଗୁରୁତର ହୋଇ ପଡ଼ିଥିଲେ । ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ଗାଁ ଲୋକେ ସବୁକଥା ଜାଣିବାକୁ ପାଇଥିଲେ । ଘଟଣା ପରେ ତାନ୍ତ୍ରିକ ଟିମ୍ର ୩ଜଣିଆ ସଦସ୍ୟ ଖସି ପଳାଉଥିବା ବେଳେ ଗ୍ରାମବାସୀ ୨ ଜଣଙ୍କୁ ଧରି କ୍ଲବ୍ ଘରେ ଅଟକ ରଖିଥିଲେ । ନିକିରାଇ ପୁଲିସ ସେମାନଙ୍କୁ ଥାନାକୁ ଆଣିଛି ।