ସଇଁତଳା, ୦୯/୦୭: ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ଦାଦନ ଶ୍ରମିକ ସମସ୍ୟା ବଢ଼ି ଚାଲିଛି । ଲୋକଙ୍କୁ ସ୍ଥାନୀୟ ନିଯୁକ୍ତି ଦେବାରେ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ । ଗତ ଛଅ ମାସ ଭିତରେ ୩ରୁ ଅଧିକ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଥିବା ବେଳେ ଆଜି ଆଉ ଜଣେ ଶ୍ରମିକର ମୃତଦେହ ଗାଁକୁ ଫେରିଛି ।
ସୂଚନା ମୁତାବକ, ସଇଁତଳା ବ୍ଲକ ବିବିନା ପଞ୍ଚାୟତ ଛୋକରବାଞ୍ଜି ଗାଁର ଗିରିଧାରୀ ପଧାନ (୩୧ବର୍ଷ) ସେ ଗୁଜୁରାଟରେ ଠିକା ଶ୍ରମିକ ଭାବେ କାମ କରୁଥିବା ବେଳେ ତାଙ୍କ ମୃତ୍ୟୁ ହୋଇଛି । ତାଙ୍କର ୪ ବର୍ଷର ଗୋଟିଏ ଶିଶୁ କନ୍ୟା ଥିବାବେଳେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ସେହିପରି ସଇଁତଳା ବ୍ଲକ ଧରବଗଡ଼ ପଞ୍ଚାୟତ ପେଣ୍ଡରାମାଲ ଗାଁର ପର୍ଖିତ ମାଝୀଙ୍କ ୨୦ ବର୍ଷୀୟ ପୁଅ ଜଗନି ମାଝୀ ଗତ ୨ ମାସ ତଳେ ଗୁଜରାଟର ଭୁଜ ଅଞ୍ଚଳକୁ ଏକ ଠିକା ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ତେବେ ୪ ଦିନ ତଳେ ସେଠାରେ କୌଣସି କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା। ପଇସା ପତ୍ର ଅସୁବିଧା ଯୋଗୁଁ ମୃତ୍ୟୁର ୪ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ଶବ ଗାଁକୁ ଫେରି ନଥିଲା । ତେବେ ବହୁ କଷ୍ଟ କରି ପଇସା ପତ୍ର ସଂଗ୍ରହ କରି ପରିବାର ଲୋକେ ପଠାଇବା ପରେ ମୃତଦେହ ଗାଁକୁ ଫେରିଥିଲା। ଜଗନ ପରିବାରର ରୋଜଗାରିଆ ପୁଅ ହୋଇଥିବାରୁ ଏବେ ପରିବାରର ମେରୁଦଣ୍ଡ ଭାଙ୍ଗି ପଡ଼ିଛି ।
ସେହିପରି ଆମ୍ବପାଲି ପଞ୍ଚାୟତ ଆମ୍ବପାଲି ଗାଁର କିଶୋର ମାଝୀ (୪୦ବର୍ଷ) ୪ ମାସ ତଳେ ଶିକନ୍ଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଦିନକୁ ଦିନ ଦାଦନ ଶ୍ରମିକ ବେଆଇନ ଭାବେ ଚାଲାଣ ହୋଉଥିବା ବେଳେ ଏହାକୁ ରୋକିବା ପାଇଁ ଫେଲ୍ ମାରିଛି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ । ଅନ୍ୟପଟେ ସରକାର ଦାଦନ ରୋକିବା ପାଇଁ ଟାସ୍କ ଫୋର୍ସ ଗଠନ କରିଥିବା ବେଳେ ସରକାରର ଟାସ୍କ ଫୋର୍ସକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ତେବେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ମନରେଗା ଯୋଜନାର ସଠିକ ଉପଯୋଗ କରିବା ପାଇଁ ସଧାରଣରେ ଦାବି ହେଉଛି।