ନୂଆଦିଲ୍ଲୀ, ୧୩/୧୨: ରାଜଧାନୀରେ ବୋମା ଧମକ । ଦିଲ୍ଲୀର କିଛି ସ୍କୁଲକୁ ବୋମା ବିସ୍ଫୋରଣ ଧମକ ମିଳିଛି । ଇମେଲ  ଜରିଆରେ ଏହି ଧମକ ଦିଆଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମକ ମିଳିଥିବା ସ୍କୁଲଗୁଡିକ ହେଲା ଇଷ୍ଟ ଅଫ କୈଳାସ ସ୍ଥିତ ଡିପିଏସ, ସଲବାନ ସ୍କୁଲ, ମର୍ଡନ ସ୍କୁଲ ଓ କ୍ରେମ୍ବିଜ ସ୍କୁଲ ଇତ୍ୟାଦି ।

ସୂଚନା ମୁତାବକ, ଦିଲ୍ଲୀର ୬ଟି ସ୍କୁଲକୁ ଆଜି  ସକାଳେ ବୋମା ବିସ୍ଫୋରଣର ଧମକ ମିଳିଛି । ଇମେଲ ମାଧ୍ୟମରେ ଏହି ଧମକପୂର୍ଣ୍ଣ ମେସେଜ ଆସିଥିବା ବେଳେ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି । ସ୍କୁଲ ପରିସରରେ ପୋଲିସ ଓ ଦମକଳବାହିନୀ ପହଞ୍ଚି ଯାଞ୍ଚ ଜାରି ରଖିଛି। ହେଲେ  ଏବେ ସୁଦ୍ଧା ଯାଞ୍ଚରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଠାବ ହୋଇନଥିବା ସୂଚନା ରହିଛି ।  ଇମେଲ ମାଧ୍ୟମରେ ପଠାଯାଇଥିବା ଧମକରେ କୁହାଯାଇଛି ଯେ, '  ସ୍କୁଲ ପରିସରରେ ଅନେକ ବିସ୍ଫୋରକ ସାମଗ୍ରୀ ଅଛି ବୋଲି ଆପଣଙ୍କୁ ଜଣାଇବା ପାଇଁ ଏହି ଇ-ମେଲ ଅଟେ। ମୁଁ ନିଶ୍ଚିତ ଭାବରେ କହିପାରିବି ଯେ ଆପଣ ସମସ୍ତେ ବିଦ୍ୟାଳୟ ପରିସରରେ ପ୍ରବେଶ କରିବା ସମୟରେ ଆପଣଙ୍କ ଛାତ୍ରମାନଙ୍କ ବ୍ୟାଗକୁ ବାରମ୍ବାର ଯାଞ୍ଚ କରନ୍ତି ନାହିଁ । ଏଥିରେ ଏକ ଡ଼ାର୍କ ୱେବ୍ ଗୋଷ୍ଠୀ ଜଡିତ । ଲୋକଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏହି ବୋମା ଯଥେଷ୍ଟ । ଆଜି ଠାରୁ ୧୪ ଡିସେମ୍ବର ପର୍ଯ୍ୟନ୍ତ, ଅର୍ଥାତ୍ ଆସନ୍ତାକାଲି ଯାଏଁ ଉଭୟ ଦିନରେ ଏକ ଆଶାକର୍ମୀ ପିତାମାତା ଶିକ୍ଷକ ସଭା  ଅନୁଷ୍ଠିତ ହେବାକୁ ଯାଉଛି ।ଏହା ମଧ୍ୟ ଆମର ଗୋପନୀୟ ସୂତ୍ର ମାଧ୍ୟମରେ ନିଶ୍ଚିତ ହୋଇଛି ଯେ ଧମକ ଦିଆଯାଉଥିବା ଗୋଟିଏ ବିଦ୍ୟାଳୟ ବର୍ତ୍ତମାନ ଏହାର କ୍ରୀଡ଼ା ଦିବସ ପାଇଁ ମାର୍ଚ୍ଚ କରୁଛି। ଯେଉଁଥିରେ ଛାତ୍ରମାନେ ଏକ ପଡ଼ିଆରେ ଏକାଠି ହେଉଛନ୍ତି। ୧୩ ଏବଂ ୧୪ ଡିସେମ୍ବର ୨୦୨୪  ରେ, ଆପଣଙ୍କ ବିଦ୍ୟାଳୟରେ ବୋମା ବିସ୍ଫୋରଣ ହୋଇପାରେ । ' ତେବେ ବିଦ୍ୟାଳୟଗୁଡ଼ିକ ଏଭଳି ଧମକ ପାଇବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଏୟାରଲାଇନ୍ସକୁ ମଧ୍ୟ କ୍ରମାଗତ ଭାବରେ ଏଭଳି ଧମକ ମିଳୁଥିଲା । 

ସେହିପରି ଏହାପୂର୍ବରୁ ଦିଲ୍ଲୀର ୪୦ ରୁ ଅଧିକ ସ୍କୁଲକୁ ୮ ଡିସେମ୍ବର ରାତି ପ୍ରାୟ ୧୧:୩୮ ସମୟରେ ସମାନ ଧମକପୂର୍ଣ୍ଣ ଇମେଲ ମିଳିଥିଲେ। ଯେଉଁଥିରେ ଦାବି କରାଯାଇଥିଲା ଯେ ସେମାନଙ୍କ କ୍ୟାମ୍ପସରେ ବୋମା ଲଗାଯାଇଥିଲା। ମେଲରେ କୁହାଯାଇଥିଲା ଯେ ଯଦି ବୋମା ବିସ୍ଫୋରଣ ହୁଏ ତେବେ ବ୍ୟାପକ କ୍ଷତି ହେବ। ମେଲ୍ ଦେଇଥିବା ଅଭିଯୁକ୍ତ ବିସ୍ଫୋରଣ ବନ୍ଦ କରିବା ବଦଳରେ ୩୦ ହଜାର ଟଙ୍କା ମାଗିଥିଲେ।ବିଦ୍ୟାଳୟ ପରିଚାଳନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପିଲାମାନଙ୍କୁ ପଠାଇ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ସୂଚନା ଦେଇଥିଲା। ପରେ ଯେତେବେଳେ ଅନୁସନ୍ଧାନ କରାଯାଇଥିଲା, ଏହା ଏକ ନକଲି ଇ-ମେଲ ବୋଲି ଜଣାପଡିଥିଲା।