କଟକ/ଭୁବନେଶ୍ୱର, ୧୮/୦୭ : ପାଠ୍ୟପୁସ୍ତକ ତ୍ରୁଟି ଘଟଣାର ପ୍ରକୃତ ଦୋଷୀକୁ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ । ପ୍ରକୃତରେ କିଏ ଭୁଲ୍‌ କରିଛି, କେଉଁ କାରଣରୁ ଭୁଲ୍‌ ବହି ଛପା ଗଲା । ଏଥିପାଇଁ କେଉଁମାନେ ଦାୟୀ ? ଏସବୁକୁ ଗୋଟି ଗୋଟି କରି ଯାଞ୍ଚ କରୁଛି । ମାମଲା ହେବା ପରଠୁ କ୍ରାଇମ୍‌ବ୍ରାଞ୍ଚ ପ୍ରତିଦିନ ନୂଆ ନୂଆ ଦିଗକୁ ଧରୁଛି । ଗତକାଲି ଭୁବନେଶ୍ୱରରେ କ୍ରାଇମ୍‌ବ୍ରାଞ୍ଚର ୪ଟି ଟିମ୍‌ ୩ ସ୍ଥାନରେ ଛାନ୍‌ଭିନ୍‌ କରିଛନ୍ତି । ପାଠ୍ୟପୁସ୍ତକ ସଂଯୋଜନା ଦାୟିତ୍ୱରେ ଥିବା ଏସ୍‌ସିଇଆର୍‌ଟିର ୧୫ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ କ୍ରାଇମ୍‌ବ୍ରାଞ୍ଚ ଆଗକୁ ଡାକି ଜେରା କରିବ । ଏଥିସହ ସଂପାଦନା ମଣ୍ଡଳୀ, ସମୀକ୍ଷକ ମଣ୍ଡଳୀ ଏବଂ ବିଶେଷଜ୍ଞ ଟିମ୍‌କୁ ମଧ୍ୟ ଜେରା କରାଯିବ । ଆବଶ୍ୟକ ସ୍ଥଳେ ପାଠ୍ୟପୁସ୍ତକକୁ ଅନୁମୋଦନ ଦେଇଥିବା କୋର୍‌ କମିଟିକୁ ମଧ୍ୟ ଜେରା ପାଇଁ ଡକା ଯାଇପାରେ । ଏହା ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌କୁ ଦୁଇ ଘରୋଇ ସଂସ୍ଥା ମାଲିକ ମଧ୍ୟ ଆସିଛନ୍ତି । ଏହି ଦୁଇ ଘରୋଇ ମୁଦ୍ରଣ ସଂସ୍ଥା ମାଲିକ ତ୍ରୁଟି ବିଷୟ ଜାଣିଥିଲେ ବୋଲି ତଦନ୍ତକାରୀ ଟିମ୍‌ ଜାଣିବାକୁ ପାଇଛି । ତେଣୁ ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ସୂଚନା ମିଳିଛି। 

କ୍ରାଇମ୍‌ବ୍ରାଞ୍ଚର ସମସ୍ତ ଟିମ୍‌ ଗତକାଲି ଏକା ସାଙ୍ଗେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା), ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆର୍‌ଟି), ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ (ଟିବିପିଏମ୍‌)ରେ ଖୋଳତାଡ଼ କରିଛନ୍ତି। ସ୍କୁଲକୁ କେତେ ପାଠ୍ୟପୁସ୍ତକ ଯିବ, କେତେ ଦିନ ଭିତରେ ଯିବା କଥା, କେତେ ଟଙ୍କା ଖର୍ଚ୍ଚ ହେବ ଏସବୁ ଦାୟିତ୍ୱ ସଂପୂର୍ଣ୍ଣ ଭାବେ ଓସେପା ହାତରେ ରହିଛି । ତେଣୁ କ୍ରାଇମ୍‌ବ୍ରାଞ୍ଚ ଓସେପା କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଓସେପା ନିର୍ଦ୍ଦେଶକ କୌଣସି କାରଣରୁ ନଥିବାରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା । ପାଠ୍ୟପୁସ୍ତକ ସେକ୍ସନର ଦାୟିତ୍ୱରେ ଥିବା ଉପନିର୍ଦ୍ଦେଶକ ଇତିଶ୍ରୀ ନାୟକଙ୍କୁ ତଦନ୍ତକାରୀ ଟିମ୍‌ ପଚାରଉଚରା କରିଛନ୍ତି । ସେଠାରୁ କେତେ ପରିମାଣର ପାଠ୍ୟପୁସ୍ତକ ଛାପିବା ପାଇଁ ଓସେପା ପ୍ରାରମ୍ଭିକ ଯୋଜନା କରିଥିଲା ତାର ତଥ୍ୟ ମାଗିଛନ୍ତି । ପାଠ୍ୟପୁସ୍ତକ ପ୍ରସ୍ତୁତିର ସମସ୍ତ ପ୍ରକ୍ରିୟା କ’ଣ ଥିଲା? କେତେ ପିଲାଙ୍କ ପାଇଁ ବହି ଛାପିବାକୁ କୁହାଯାଇଥିଲା? କେତେ ପରିମାଣର ବହି ଛାପିବାକୁ କୁହାଯାଇଥିଲା? କେତେ ଟଙ୍କା ଏହି ବାବଦକୁ ଖର୍ଚ୍ଚ ହୋଇଛି, କେଉଁ ଆଧାରରେ ଏହି ସବୁ ଟଙ୍କା ଓସେପାରୁ ଅନୁମୋଦନ ପାଇ ଦିଆଯାଇଛି? କେତେ ଥରରେ ଏହି ଟଙ୍କାକୁ ଅନୁମୋଦନ କରାଯାଇଛି? କେଉଁ କେଉଁ ଆଧାରରେ ଏହା ଦିଆଯାଇଛି? ଏନେଇ ସମୟସୀମା କ’ଣ ରହିଥିଲା? ଏହି ସମସ୍ତ ତଥ୍ୟ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଏକାଠି କରି ସଂଧ୍ୟା ସୁଦ୍ଧା କ୍ରାଇମ୍‌ବ୍ରାଞ୍ଚ୍‌ କାର୍ଯ୍ୟାଳୟରେ ପହଞ୍ଚାଇବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । 

ଆଉ ଏକ ଟିମ୍‌ ଏସ୍‌ସିଇଆର୍‌ଟି କାର୍ଯ୍ୟାଳୟକୁ ଯାଇ ପୁଣି ପାଠ୍ୟପୁସ୍ତକ ପ୍ରସ୍ତୁତି ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଯାଞ୍ଚ କରିଛନ୍ତି । ବିଶେଷ କରି ପାଠ୍ୟପୁସ୍ତକ ପ୍ରସ୍ତୁତି ସମୟରେ କରାଯାଇଥିବା ମୂଳ ପାଣ୍ଡୁଲିପି (ମାନୁସ୍କ୍ରିପ୍ଟ)କୁ ନେଇଛନ୍ତି । ୫୫ଟି ବହିର ଏହି ପାଣ୍ଡୁଲିପିକୁ ସଂଗ୍ରହ କରିଛନ୍ତି । ସମୀକ୍ଷା ପରେ ଡିଟିପି ହୋଇ ଆସିଥିବା ସ୍କ୍ରିପ୍ଟକୁ ମଧ୍ୟ ନେଇଛନ୍ତି । ଏଥିସହ ଆଉ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ନେଇଛନ୍ତି । ଅନ୍ୟ ଏକ ତଦନ୍ତକାରୀ ଟିମ୍‌ ଖାରବେଳନଗରରେ ଥିବା ଟିବିପିଏମ୍‌ ଯାଇ ଦୀର୍ଘ ସମୟ ତନାଘନା କରିଛି । ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ତଦନ୍ତକାରୀ ଟିମ୍‌ ରହିଥିଲା । ସେଠାରେ ଏସ୍‌ସିଇଆର୍‌ଟିରୁ ପାଠ୍ୟପୁସ୍ତକ ମୁଦ୍ରଣ ପାଇଁ ଆସିଥିବା ଦସ୍ତାବିଜ୍‌କୁ ସାଙ୍ଗରେ ନେଇଛନ୍ତି । ପ୍ରିଣ୍ଟିଂ ପରେ ପ୍ରକାଶିତ ୫୫ଟି ପାଠ୍ୟପୁସ୍ତକକୁ ମଧ୍ୟ ଏକା ସାଙ୍ଗେ ନେଇଛନ୍ତି । ଏସ୍‌ସିଇଆର୍‌ଟି ପକ୍ଷରୁ ହୋଇଥିବା ଚିଠି ଏବଂ ଘରୋଇ ପ୍ରେସ୍‌କୁ ଛାପିବା ଦାୟିତ୍ୱ ଦେବାରୁ ହୋଇଥିବା ଟେଣ୍ଡର ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି । ବହିଛପା ତ୍ରୁଟି ଜାଣିବା ପାଇଁ ହାର୍ଡକପି ସହିତ ପିଡିଏଫ୍‌ ଜବତ କରାଯାଇଛି । 

ଆହୁରି ପଢନ୍ତୁ- IIC Death Mystery: ବିଉଟି ମହାନ୍ତି ମୃତ୍ୟୁ ମାମଲାରେ ପୁଲିସକୁ ମିଳିଲା ଡିଜିଟାଲ୍ ପ୍ରମାଣ, ଦୁଇଟି ମୋବାଇଲ୍‌ ତଥ୍ୟରୁ ଚାଲିଛି ଖିଅ ଖୋଜା

ମିଳିଥିବା ସୂଚନା ଅନୁଯାୟୀ, କ୍ରାଇମ୍‌ବ୍ରାଞ୍ଚ ଏସ୍‌ସିଇଆର୍‌ଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ମୂଳ ପାଣ୍ଡୁଲିପି ଏହାପରେ ପ୍ରସ୍ତୁତ ହୋଇଥିବା ଡିଟିପି ଏବଂ ଟିବିପିଏମ୍‌କୁ ମୁଦ୍ରଣ ପାଇଁ ଦିଆଯାଇଥିବା ହାର୍ଡ ଓ ପିଡିଏଫ୍‌ ଫାଇଲକୁ ମିଳାଇବେ । ଏନ୍‌ସିଇଆରଟି ଗାଇଡଲାଇନ୍‌ ଅନୁସାରେ ବହି ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି । ତେବେ ବହି ପ୍ରସ୍ତୁତି ପାଇଁ ସମୟ କମ୍‌ ଥିବାରୁ ତରବରିଆ ଭାବେ କାମ ହୋଇଥିଲା । ଏହି କାରଣରୁ ତ୍ରୁଟି ହୋଇଥାଇପାରେ ବୋଲି କହିଛନ୍ତି ଟିବିପିଏମ୍‌ ନିର୍ଦ୍ଦେଶକ । ସେପଟେ ଏହି ଘଟଣାରେ ଗିରଫ ହୋଇଥିବା ଏସ୍‌ସିଇଆରଟି ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ବର୍ତ୍ତମାନ ତଥ୍ୟ ପ୍ରମାଣ ସଂଗ୍ରହ ଚାଲିଛି । ଅଧିକ ତଦନ୍ତ ପାଇଁ ଆସନ୍ତା ସପ୍ତାହରେ ରିମାଣ୍ଡ ଆବେଦନ କରାଯିବ । ରିମାଣ୍ଡ ସମୟରେ ତାଙ୍କ ଠାରୁ କିଛି ତଥ୍ୟ ମିଳିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଆଶା ରଖିଛି । ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଜି କ୍ରାଇମବ୍ରାଞ୍ଚ ଟିମ ଚଢ଼ଉ କରିଥିଲା । ଶ୍ରୀ ବେହେରା କହିଛନ୍ତି, ଓସେପା କାର୍ଯ୍ୟାଳୟରେ ଉପନିର୍ଦ୍ଦେଶିକାଙ୍କୁ ପଚରାଉଚରା କରାଯାଇଛି । ଅନେକ କାଗଜପତ୍ର ଯାଞ୍ଚ କରାଯାଇଛି । ସେଥିରୁ ଅନେକ ଲିଙ୍କ୍‌ ମିଳିଛି।

ହଜିଗଲା ମାଳିନୀ ନଈ, ଲୁଚିଛି ରଥଯାତ୍ରାର ଇତିହାସ