ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଦିନକ ପରେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ: ଚୂଡାନ୍ତ ଏକାଦଶ ପାଇଁ ଭାରତର ତର୍ଜମା, ଫୋକସ୍‌ରେ ପେସ୍‌ ବୋଲିଂ

Published By : Prameya | November 21, 2024 9:22 AM

ପର୍ଥ,୨୧/୧୧: ସମୟ ପାଖେଇ ଆସୁଛି ।  ଆଉ ମାତ୍ର ଦିନକ ପରେ ଆରମ୍ଭ ହେବ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ । ଅପ୍ଟସ  ଷ୍ଟାଡିୟମ୍‌ରେ ଉଭୟ ଦଳ ଅଭ୍ୟାସ କରୁଛନ୍ତି । ଏପଟେ କ୍ୟୁରେଟର ପିଚ୍‌ ପ୍ରସ୍ତୁତ କରିବାରେ ବ୍ୟସ୍ତ ।  ସେପଟେ ଭାରତ ଏକାଦଶ ଚୂଡ଼ାନ୍ତ କରିବା ପାଇଁ ଜୋରଦାର ପରୀକ୍ଷା ନିରୀକ୍ଷା ଚଳାଇଛି ।  

ପ୍ରଥମ ଟେଷ୍ଟ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍‌ ୱାକା ଗ୍ରାଉଣ୍ଡର ପିଚ୍‌ ଭଳି ପେସ୍‌ ବୋଲରଙ୍କୁ  ସହାୟତା କରିବ । ଏହି ପିଚ୍‌ରେ ବହଳିଆ ଘାସର ଆବରଣ ରହିବ ବୋଲି କ୍ୟୁରେଟର ସ୍ପଷ୍ଟ କରିଛନ୍ତି ।  ତେଣୁ ପେସ୍‌ ବୋଲରମାନେ ଦିନ ତମାମ ବଲ୍‌କୁ  ସୁଇଂ କରାଇପାରିବେ । ତଥାପି ପାରମ୍ପରିକ ୱାକା  ପିଚ୍‌ ଭଳି ଏଠାରେ ପିଚ୍‌ ଫାଟିବ ନାହିଁ । ତେଣୁ  ବ୍ୟାଟରଙ୍କୁ ବିଶେଷ ସଂଘର୍ଷ କରିବାକୁ ପଡ଼ିବ ନାହିଁ ।  କ୍ରିଜ୍‌ରେ ଥରେ ଜମିଗଲେ ଓ ବଲର ଗତି ଓ ବାଉନ୍ସ  ସହ ଖାପ ଖୁଆଇ ନେଲେ ରନ୍‌ ସଂଗ୍ରହ ସହଜ  ହୋଇଯିବ । 

ସୂଚନାଯୋଗ୍ୟ, ୱାକା ଗ୍ରାଉଣ୍ଡ୍‌ରେ  ଟେଷ୍ଟ ମ୍ୟାଚ୍‌ ସମୟରେ ଦ୍ୱିତୀୟ କିମ୍ବା ତୃତୀୟ  ଦିନ ଆଡକୁ ପିଚ୍‌ରେ ଫାଟ ସୃଷ୍ଟି ହୋଇଥାଏ ।  ଫଳରେ ଏହି ଫାଟରେ ବଲ୍‌ ପଡ଼ିବା ମାତ୍ରେ ଖେଳିବା  କଷ୍ଟକର ହୋଇଯାଏ । ଏଥର ପର୍ଥରେ ଅଦିନିଆ  ବର୍ଷା ହେଉଥିବାରୁ ପିଚ୍‌କୁ ସେଭଳି ଶୁଷ୍କ ରଖିବା  କଷ୍ଟକର ହୋଇଯାଉଛି । ପିଚ୍‌ରେ ପାଖା ପାଖି ୧୦ମିଲି  ମିଟର ଉଚ୍ଚ ଘାସ ରହିଛି । ଜଳବାୟୁରେ ଆଦ୍ରତା  ଯୋଗୁଁ ପିଚରେ ଫାଟ ସୃଷ୍ଟି ହେବ ନାହିଁ ବୋଲି  କ୍ୟୁରେଟର ପ୍ରକାଶ କରିଛନ୍ତି ।  

ଫୋକସ୍‌ରେ ପେସ ବୋଲିଂ

ବିଭାଗ ପ୍ରଥମ ଟେଷ୍ଟ ପାଇଁ ଭାରତ ବର୍ତ୍ତମାନ ଏକାଦଶ  ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି । ଅଧିନାୟକ  ରୋହିତ ଶର୍ମା ଅଷ୍ଟ୍ରେଲିଆରେ ପହଞ୍ଚି ନଥିବାବେଳେ  ଶୁଭମନ ଗିଲ ଆହତ ହୋଇ ବାଦ ପଡ଼ିଛନ୍ତି ।  ଫଳରେ ବ୍ୟାଟିଂ ବିଭାଗରେ ବଡ଼ ପରିବର୍ତ୍ତନ  ନିଶ୍ଚିତ ରହିଛି । ପେସ୍‌ ବୋଲିଂ ବିଭାଗରେ ମଧ୍ୟ  ପରିବର୍ତ୍ତନ ନିଶ୍ଚିତ ।  ପ୍ରଥମ ଟେଷ୍ଟରେ ଭାରତର ୨ଜଣ ଖେଳାଳି  ପଦାର୍ପଣ କରିବେ ବୋଲି ଜଣା ପଡ଼ିଛି । ବ୍ୟାଟିଂ  ବିଭାଗ ଏକ ପ୍ରକାର ଚୂଡ଼ାନ୍ତ ହୋଇ ସାରିଛି । କେଏଲ  ରାହୁଲ ଓପନର ଓ ଦେବଦତ୍ତ ପାଡ଼ିକଲ ୩ନଂ  ସ୍ଥାନରେ ବ୍ୟାଟିଂ କରିବେ । ସେହିପରି ଫର୍ମରେ  ଥିବା ଧ୍ରୁବ ଜୁରେଲଙ୍କୁ ୬ନଂ ସ୍ଥାନ ମିଳିବ ।  ବ୍ୟାଟିଂ ବିଭାଗର ସବୁ ସଦସ୍ୟ ଟେଷ୍ଟ ପଦାର୍ପଣ  କରିସାରିଛନ୍ତି । ତେଣୁ ବୋଲିଂ ବିଭାଗ ଉପରେ  ବର୍ତ୍ତମାନ ନଜର । ଅଲ୍‌ରାଉଣ୍ଡର ନୀତିଶ କୁମାର  ରେଡ୍ଡୀ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା  ରହିଛି । କିନ୍ତୁ ଅନ୍ୟ ଯୁବ ପେସ୍‌ ବୋଲର ହର୍ଷିତ  ରାଣାଙ୍କୁ ଖେଳାଇବାକୁ ଯୋଜନା ହେଉଛି । ସେ  ଖେଳିଲେ ଆକାଶ ଦୀପ ଏକାଦଶରୁ ବାଦ ପଡ଼ିବେ ।  

ନୀତିଶଙ୍କ ଉପରେ  ଗୁରୁ ଦାୟିତ୍ୱ: ମୋର୍କେଲ ୨୧ ବର୍ଷୀୟ ଯୁବ ଅଲ୍‌ରାଉଣ୍ଡର ନୀତିଶ କୁମାର  ରେଡ୍ଡୀ ପ୍ରଥମ ଟେଷ୍ଟ ଖେଳିବା ଏକ ପ୍ରକାର ନିଶ୍ଚିତ  ହୋଇସାରିଥିବା ବୋଲିଂ କୋଚ୍‌ ମର୍ଣ୍ଣ ମୋର୍କେଲଙ୍କ  ମନ୍ତବ୍ୟରୁ ସ୍ପଷ୍ଟ ହୋଇ ଯାଇଛି । ନୀତିଶଙ୍କ ଉପରେ  ପେସ୍‌ ବୋଲିଂ ବିଭାଗ ନିର୍ଭର କରିବ ବୋଲି  ମୋର୍କେଲ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ପ୍ରକାଶ କରିଛନ୍ତି । ତାଙ୍କ ଦକ୍ଷତା ଉପରେ ଦଳ  ଭରସା ରଖିଥିବା ମୋର୍କେଲ ସ୍ପଷ୍ଟ କରିଦେଇଛନ୍ତି ।  

ସେ କହିଛନ୍ତି, ପ୍ରତ୍ୟେକ ଦଳ ପେସ୍‌ ବୋଲିଂ  ଅଲ୍‌ରାଉଣ୍ଡର ଆବଶ୍ୟକ କରନ୍ତି । ନୀତିଶଙ୍କ  ଦକ୍ଷତା ବେଶ ପ୍ରଭାବିତ କରିଛି । ତାଙ୍କ ବ୍ୟାଟିଂ  ବେଶ୍‌ ଚମତ୍କାର । ବଲ୍‌କୁ ନିର୍ମମ ପ୍ରହାର  କରିବାର କ୍ଷମତା ତାଙ୍କ ନିକଟରେ ରହିଛି ।  ଏହା ବ୍ୟତୀତ ନିୟମିତ ଭାବେ ଗୋଟିଏ ଲାଇନ  ଓ ଲେଙ୍ଗ୍‌ଥରେ ସେ ଲମ୍ବା ସ୍ପେଲ୍‌ ପକାଇ ପାରିବେ ।  ନୀତିଶଙ୍କ ଉପସ୍ଥିତି ଦଳର ବାକି ମୁଖ୍ୟ ପେସ  ବୋଲରଙ୍କୁ ବିଶ୍ରାମ ସମୟ ଯୋଗାଇ ପାରିବ ।  ସେହିପରି ହର୍ଷିତ ନିୟମିତ ଭାବେ ୧୪୦କିଲୋ  ମିଟର ପ୍ରତି ଘଣ୍ଟା ବେଗରେ ବୋଲିଂ କରୁଛନ୍ତି ।  କେବଳ ସେତିକି ନୁହେଁ, ସେ ପିଚ୍‌ରୁ ଅତିରିକ୍ତ  ବାଉନ୍ସ ପାଉଛନ୍ତି । ତେଣୁ ତାଙ୍କ ବୋଲିଂ ଦଳରେ  ବିଭିନ୍ନତା ଆଣିବ ।

ଟସ୍‌ ପୂର୍ବରୁ ଗିଲଙ୍କ ଉପରେ ନିଷ୍ପତ୍ତି: ମୋର୍କେଲ ଇନ୍‌ଟ୍ରା ସ୍କ୍ୱାଡ ମ୍ୟାଚ୍‌ରେ ଆହତ ହୋଇଥିବା  ଶୁଭମନ ଗିଲ ଧିରେ ଧିରେ ସୁସ୍ଥ ହେଉଥିବା  ମୋର୍କେଲ ପ୍ରକାଶ କରିଛନ୍ତି । ସେ କହିଛନ୍ତି,  ଗିଲଙ୍କ ଚିକିତ୍ସା ଉପରେ ଧ୍ୟାନ ରଖାଯାଇଛି । ଧିରେ  ଧିରେ ତାଙ୍କ ଆଙ୍ଗୁଳିରୁ ଯନ୍ତ୍ରଣା କମୁଛି ଓ ସେ  ସୁସ୍ଥ ହେଉଛନ୍ତି । ଟସ୍‌ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା  କରାଯିବ । ଆଜି ଗିଲ୍‌ ଅଭ୍ୟାସ ଶିବିରରେ ଯୋଗ  ଦେଇଥିଲେ ଓ ହାଲକା ୱାର୍ମ ଅପ୍‌ କରିଥିଲେ ।  ନେଟ୍‌ସରେ ବ୍ୟାଟିଂ କରିନଥିଲେ । କେବଳ ସାଥୀ  ଖେଳାଳି ଓ କୋଚମାନଙ୍କ ସହ ଆଲୋଚନା କରି  ହୋଟେଲକୁ ଫେରି ଯାଇଥିଲେ । 

ଖଲିଲ ଆହତ,  ଦୟାଲଙ୍କୁ ଡାକରା 

ଭାରତୀୟ ଦଳର ରିଜର୍ଭ ଖେଳାଳି ଭାବେ  ଅଷ୍ଟ୍ରେଲିଆ ଯାତ୍ରା କରିଥିବା ବାମ ହାତି  ପେସ୍‌ ବୋଲର ଖଲିଲ ଅହମ୍ମଦ ଆହତ  ହୋଇଛନ୍ତି । ଫଳରେ ତାଙ୍କ ସ୍ଥାନରେ ଉତ୍ତର  ପ୍ରଦେଶର ବାମ ହାତି ପେସ୍‌ ବୋଲର ୟଶ  ଦୟାଲଙ୍କୁ ଡାକରା ମିଳିଛି । ସେ ଭାରତୀୟ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇ ଦକ୍ଷିଣ ଆଫ୍ରିକା  ଯାତ୍ରା କରିଥିଲେ । ମାତ୍ର ସେଠାରେ ତାଙ୍କୁ  ଖେଳିବାକୁ ସୁଯୋଗ ମିଳିନଥିଲା । ଏପଟେ  ଖଲିଲ ଆହତ ହେବା ଫଳରେ ଦୟାଲଙ୍କୁ  ଅଷ୍ଟ୍ରେଲିଆ ଯିବାକୁ ନିର୍ଦ୍ଦେଶ ମିଳିଥିଲା । ସେ  ସିଧା ଜୋହାନ୍ସବର୍ଗରୁ ପର୍ଥ ଅଭିମୁଖେ ଯାତ୍ରା  କରିଛନ୍ତି । ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ମିଚେଲ  ଷ୍ଟାର୍କଙ୍କ ପାଇଁ ପ୍ରସ୍ତୁତ ହେବା ଉଦ୍ଦେଶ୍ୟରେ  ଖଲିଲଙ୍କୁ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ  ପଠା ଯାଇଥିଲା । ସେ ଅଭ୍ୟାସ ବେଳେ ଆହତ  ହୋଇଥିଲେ । ତେଣୁ ତାଙ୍କ ସ୍ଥାନରେ ଅନ୍ୟ  ବାମ ହାତି ବୋଲର ଦୟାଲଙ୍କୁ ଡାକରା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.