ମେଲବର୍ଣ୍ଣ, ୨୧/୧୨: ବର୍ଡ଼ର-ଗାଭାସ୍କର  ଟ୍ରଫିର ଶେଷ ୨ଟି ଟେଷ୍ଟ ପାଇଁ ଘରୋଇ ଅଷ୍ଟ୍ରେଲିଆ ଦଳ ଘୋଷଣା ହୋଇଛି । ଦଳରେ ୨ଟି ପରିବର୍ତ୍ତନ କରାଯାଇଛି । ସଂଘର୍ଷରତ ଯୁବ ଓପନର ନାଥାନ ମ୍ୟାକ୍‌ସ୍ୱିନିଙ୍କ ସ୍ଥାନରେ ସାମ୍‌ କନ୍‌ଷ୍ଟାସ୍‌ ଏବଂ ଆହତ  ପେସ୍‌ ବୋଲର ଜୋସ ହାଜେଲଉଡ୍‌ଙ୍କ ସ୍ଥାନରେ ଝେୟ ରିଚାର୍ଡସନ୍‌ଙ୍କୁ ଦଳରେ ସାମିଲ କରାଯାଇଛି । କନ୍‌ଷ୍ଟାସ୍‌  ମେଲବର୍ଣ୍ଣରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ  ପଦାର୍ପଣ କରିବା ସମ୍ଭାବନା ରହିଛି । ସେ ଉସ୍‌ମାନ  ଖୱାଜାଙ୍କ ସହ ଓପନ କରିପାରନ୍ତି । ରିଚାର୍ଡସନ୍‌ ଦୀର୍ଘ  ୩ବର୍ଷ ପରେ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।  ମାତ୍ର ଏକାଦଶରେ ସୁଯୋଗ ପାଇବା ସମ୍ଭାବନା କମ୍‌ ।  ସ୍କଟ୍‌ ବୋଲାଣ୍ଡ ତୃତୀୟ ପେସ୍‌ ବୋଲର ଭାବେ ଖେଳିବା  ଏକ ପ୍ରକାର ନିଶ୍ଚିତ । ଅନ୍ୟ ପଟରେ ଜୋସ୍‌ ଇଂଲିଶ୍‌  ଓ ବିଉ ୱେବଷ୍ଟର ଦଳରେ ସ୍ଥାନ ବଜାୟ ରଖିଛନ୍ତି । 

୧୯ ବର୍ଷୀୟ କନ୍‌ଷ୍ଟାସ୍‌ ମାତ୍ର ୧୨ଟି ପ୍ରଥମ ଶ୍ରେଣୀ  ମ୍ୟାଚ୍‌ ଖେଳି ୨ଶତକ, ୩ ଅର୍ଦ୍ଧଶତକ ସହ ମୋଟ ୭୧୮  ରନ୍‌ କରିଛନ୍ତି । ଗତ ଭାରତ ବିପକ୍ଷ ପିଙ୍କ୍‌ ବଲ୍‌ ଅଭ୍ୟାସ  ମ୍ୟାଚ୍‌ରେ ସେ ୧୦୭ରନ୍‌ର ଇନିଂସ୍‌ ଖେଳିଥିଲେ ।  ଏହାପୂର୍ବରୁ ଭାରତ ଏ’ ବିପକ୍ଷ ଅନଫିସିଆଲ୍‌ ଟେଷ୍ଟରେ  ଅପରାଜିତ ୭୩ ରନ୍‌ କରିଥିଲେ । ଚଳିତ ବର୍ଡର-ଗାଭାସ୍କର ଟ୍ରଫି ୧-୧ରେ ବରାବର ରହିଛି । ଆସନ୍ତା ୨୬  ତାରିଖରୁ ମେଲବର୍ଣ୍ଣରେ ଚତୁର୍ଥ ଟେଷ୍ଟ ଆରମ୍ଭ ହେବ ।

 ଅଷ୍ଟ୍ରେଲିଆ ଦଳ: ପ୍ୟାଟ୍‌ କମିନ୍ସ (ଅଧିନାୟକ), ସିନ୍‌  ଆବୋଟ, ସ୍କଟ୍‌ ବୋଲାଣ୍ଡ, ଆଲେକ୍ସ କ୍ୟାରୀ, ଟ୍ରେଭିସ୍‌  ହେଡ୍‌, ଜୋସ୍‌ ଇଂଲିଶ୍‌, ଉସମାନ ଖୱାଜା, ସାମ୍‌ କନ୍‌ଷ୍ଟାସ୍‌,  ମାର୍ନସ ଲାବୁସାନ, ନାଥାନ ଲାୟନ, ମିଚେଲ ମାର୍ଶ, ଝେୟ  ରିଚାର୍ଡସନ୍‌, ଷ୍ଟିଭେନ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ, ବିଉ ୱେବଷ୍ଟର ।