ବୌଦ୍ଧ,୨/୧ : ବୌଦ୍ଧ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତିକ ପରିଷଦ ଓ ଜିଲ୍ଲା ମହୋତ୍ସବ କମିଟି ଆନୁକୁଲ୍ୟରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ଓରମାସ ଓ ବୟନିକାର ସହଯୋଗରେ ବୌଦ୍ଧ ସହରସ୍ଥିତ କଚେରୀ ପଡ଼ିଆଠାରେ ଜିଲ୍ଲା ସ୍ୱନକ୍ଷେତ୍ର ଦିବସ ଅବସରରେ ଶୁକ୍ରବାରଠାରୁ ବୌଦ୍ଧ ମହୋତ୍ସବ ଓ ପଲ୍କୀଶ୍ରୀ ମେଳା, ଆତ୍ମନିର୍ଭର ଭାରତ ସ୍ୱଦେଶୀମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ନଗରଉନ୍ନୟନ ଓ ଗୃହ ନିର୍ମାଣ ଏବଂ ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ବୌଦ୍ଧ ଜିଲ୍ଲାର କଳା ଓ ସଂସ୍କୃତି ଅତି ମହାନ । ବୌଦ୍ଧ ଜିଲ୍ଲାକୁ ଏକ ସମୃଦ୍ଧ ଜିଲ୍ଲା ଭାବେ ଗଢି ତୋଳିବାକୁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଯୋଗଦେଇ ବୌଦ୍ଧ ଜିଲ୍ଲା ହେଉଛି ପର୍ଯ୍ୟଟନର ଗନ୍ତା ଘର, ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳି ରହିଛି । ସେହି ସବୁ ପର୍ଯ୍ୟଟନସ୍ଥଳକୁ ବିକାଶ ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ ଯୋଗଦେଇ ମହୋତ୍ସବ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଥାଏ । ଶିଳ୍ପ ଓ ବ୍ୟବସାୟୀମାନଙ୍କ ପାଇଁ ମହୋତ୍ସବ ଏକ ବଡ଼ ମାଧ୍ୟମ କହିଥିବାବେଳେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସ୍ୱାଗତ ଭାଷଣ ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
ସଂଗୀତାୟନ ପକ୍ଷରୁ ପ୍ରାରମ୍ଭିକ ସଂଗୀତଗାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଫୁଲବାଣୀର ନଟରାଜ କଳାମନ୍ଦିର ଓଡ଼ିଶୀ, ଆସାମର ବିହୁ, ମଥୁରାର ମୟୁରୀ, ବଲାଙ୍ଗିରର ବଜାଶାଲ ସମ୍ବଲପୁରୀ, କରାପୁଟର ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା ।