ଦଶମନ୍ତପୁର,୨୨।୭ : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ମକାକନ ଗାଁର ଜଣେ ବାଳକ ପୋଖରୀରେ ଗାଧୋଉଥିବା ବେଳେ ବୁଡି ଯାଇ ମୃତ୍ୟୁ ଘଟିଛି। ମୃତ ବାଳକ ଜଣକ ହେଲେ ମିଟୁ ଦିଶାରୀଙ୍କ ପୁଅ ତପନ ଦିଶାରୀ (୧୪) ।
ତପନ ମଙ୍ଗଳବାର ପୂର୍ବାହ୍ନରେ ଗିର୍ଲି ଆଦିବାସୀ ସାହିରେ ତାଙ୍କ ସମ୍ପର୍କିୟ ଲୋକଙ୍କ ଘରକୁ ଯାଇ ଥିଲା। ଦିନ ଦ୍ବିପହରରେ ଖରା ପାଗ ହେବାରୁ ଗିର୍ଲି ଗାଁ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ଥିବା ପୋଖରୀରେ କେତେକ ସାଥୀମାନଙ୍କ ସହ ଗାଧୋଇବା ଲାଗି ଯାଇଥିଲେ। ଅନ୍ୟ ପିଲାମାନେ ପୋଖରୀର କମ୍ ପାଣି ଥିବା ପାଖରେ ଗାଧେଇ ଥିବା ବେଳେ ମୃତ ବାଳକ ପୋଖରୀ ଭିତରକୁ ପଶି ଯାଇଥିଲା। ସେଠାରେ ଗଭୀର ପାଣି ଥିବାରୁ ତପନ ବୁଡି ଯାଇଥିଲା। ସେ ପହଁରା ଜାଣି ନ ଥିବାରୁ ଆଉ ପଦାକୁ ବାହାରି ପାରି ନ ଥିଲା। ସାଙ୍ଗରେ ଗାଧୋଇବା ଲାଗି ଯାଇ ଥିବା କେତେକ ପିଲା ଗାଁରେ ଖବର ଦେଇ ଥିଲେ। କେତେକ ଯୁବକ ତୁରନ୍ତ ଯାଇ ପୋଖରୀରୁ ନାବାଳକକୁ ଉଦ୍ଧାର କରିଥିଲେ। ସେତେବେଳେ ତାଙ୍କ ମୃତ୍ୟୁ ହୋଇ ସାରିଥିଲା। ଏହା ପରେ ପରିବାର ଲୋକ ମୁରାନ ଫାଣ୍ଡି ଏବଂ ଦଶମନ୍ତପୁର ଥାନାରେ ଲିଖିତ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଥାନା ଅଧିକାରୀ ସୁକୁମା ହାଁସଦାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଛି। ବୁଧବାର ଶବ ବ୍ୟବଛେଦ କରା ଯିବ ବୋଲି ସରପଞ୍ଚ ପିତବାସ ମୁଦୁଲି ସୂଚନା ଦେଇଛନ୍ତି।