ପାଟଣାଗଡ,୨୦।୧ : ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକା ସହ ପ୍ରଥମେ ଶାରୀରିକ ସଂପର୍କ ରଖିଲା। ପ୍ରେମିକା ଅନ୍ତଃସ୍ୱତ୍ତା ହେବା ପରେ ଔଷଧ ଖୁଆଇ ଗର୍ଭନଷ୍ଟ କରାଇଲା ପ୍ରେମିକ। ଏହି ଅଭିଯୋଗରେ ଖପ୍ରାଖୋଲ ପୁଲିସ ଉକ୍ତ ଥାନା ସାଲେପାଲି ଗାଁର ଅଭିଯୁକ୍ତ ସଂଗ୍ରାମ ବାଗ (୨୨) କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରିକି ପ୍ରେମିକ ପ୍ରେମିକା ଓ ମୃତ ଶିଶୁପୁତ୍ରର ନମୁନା ସଂଗ୍ରହ କରି ଏହାର ଡିଏନଏ ଟେଷ୍ଟ ପାଇଁ ବଲାଙ୍ଗୀରକୁ ପଠାଯାଇଥିବା ନେଇ ଡିଏସପି ତାରାବତୀ ପ୍ରଧାନ ସୂଚନା ଦେଇଛନ୍ତି।

ଗତ ଦୁଇବର୍ଷ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀ ଜଣକ ଗର୍ଭବତୀ ହେବା ଜାଣିବା ପରେ ଯୁବକ ଜଣକ ଜାତିଭେଦ କୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା। ପରେ ଯୁବକ ଜଣକ ବୁଝାଇ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଡାକ୍ତର ଙ୍କ ବିନା ପରାମର୍ଶରେ ଗର୍ଭ ନଷ୍ଟ ପାଇଁ ୨ ଥର ଔଷଧ ଖୁଆଇଥିଲା। ମଙ୍ଗଳବାର ସନ୍ଧ୍ୟା ସମୟରେ ଯୁବତୀ ଙ୍କ ପେଟରେ ଭିଷଣ ଯନ୍ତ୍ରଣା ହେବା ସହ ଅତ୍ୟଧିକ ରକ୍ତ ସ୍ରାବ ହେବାରୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯୁବତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ଗର୍ଭରେ ଏକ ମୃତ ଶିଶୁ ପୁତ୍ର ଥିବା ଡାକ୍ତର ପରିବାର ବର୍ଗଙ୍କୁ କହିଥିଲେ। ଏହା ପରେ ଯୁବତୀ ଜଣକ ଏକ ପୂର୍ଣ୍ଣାଙ୍ଗ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଯୁବତୀ ଙ୍କ ଠାରୁ ଘଟଣା ସମ୍ପର୍କରେ ଅବଗତ ହେବା ପରେ ପରିବାର ଲୋକେ ଅଭିଯୁକ୍ତ ଯୁବକ ଓ ତାର ବାପାକୁ ଡାକ୍ତରଖାନାକୁ ଡାକିଥିଲେ। ଯୁବକ ଜଣକ ଯୁବତୀଙ୍କ ଏପରି ଅବସ୍ଥା ଦେଖି ଡାକ୍ତରଖାନା ରୁ ବାପାଙ୍କ ସହ ଫେରାର ମାରିଥିଲା। ପରେ ଯୁବତୀ ଙ୍କ ମା’ଙ୍କ ଅଭିଯୋଗ ଆଧାରେ ପୁଲିସ ତନାଘନା କରି ଅଭିଯୁକ୍ତକୁ ଗିରଫ କୋର୍ଟ ଚାଲାଣ କରିଥିଲା।