ରାଜସ୍ଥାନ ୧୬/୧୨: ରାଜସ୍ଥାନ ଝାଲୱାରର ଜଣେ ବ୍ରେନ୍ ଡେଡ୍ ରୋଗୀ ଅଙ୍ଗଦାନ ମାଧ୍ୟମରେ ୬ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ତାଙ୍କ ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ରବିବାର ହେଲିକପ୍ଟରରେ ଝାଲୱାରରୁ ଜୟପୁର ଓ ଯୋଧପୁର ନିଆଯାଇଥିଲା । ସେଠାରେ ଅଙ୍ଗ ପ୍ରତ୍ୟାରୋପଣ ଲାଗି ଅପେକ୍ଷା କରିଥିବା ୬ଜଣ ରୋଗୀଙ୍କ ଶରୀରରେ ତାକୁ ସଫଳତାର ସହିତ ପ୍ରତ୍ୟାରୋପଣ କରାଯାଇଥିଲା । ଏଥିସହିତ ସେମାନେ ନୂଆ ଜୀବନ ପାଇଛନ୍ତି । ରାଜସ୍ଥାନରେ କୌଣସି ରୋଗୀଙ୍କ ଅଙ୍ଗକୁ ଏୟାରଲିଫ୍ଟ କରାଯିବାର ଏହା ପ୍ରଥମ ଘଟଣା ।
ଝାଲୱାର ଜିଲ୍ଲା ମନପୁରା ପିପାଜୀ ଗାଁର ୩୩ ବର୍ଷୀୟ ବିଷ୍ଣୁ ପ୍ରସାଦ ଡିସେମ୍ବର ୧୦ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ତାଙ୍କୁ ଝାଲୱାର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନଙ୍କର ଶତ ଚେଷ୍ଟା ସତ୍ତେ୍ୱ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ଡିସେମ୍ବର ୧୨ରେ ମେଡିକାଲ କମିଟି ତାଙ୍କୁ ବ୍ରେନ୍ ଡେଡ୍ ଘୋଷିତ କରିଥିଲେ । ଏହାପରେ ତାଙ୍କ ପତ୍ନୀ ଅନୀତାଙ୍କ ସମେତ ପରିବାର ସଦସ୍ୟଙ୍କୁ ଅଙ୍ଗଦାନ ଲାଗି କାଉନ୍ସିଲିଂ କରାଯାଇଥିଲା । ସେମାନେ ପ୍ରଥମେ ରାଜିନଥିଲେ ବି ପରେ ଏଥିପାଇଁ ସମ୍ମତି ଦେଇଥିଲେ ।

ଏହି ପ୍ରକ୍ରିୟା ସହ ଜଡ଼ିତ ଅଧିକାରୀମାନେ କହିଛନ୍ତି, ପ୍ରସାଦଙ୍କର ଗୋଟିଏ କିଡ୍ନୀ, ଦୁଇଟି ଫୁସଫୁସ୍ ଓ ହାର୍ଟକୁ ହେଲିକପ୍ଟରରେ ଜୟପୁରର ସୱାଇ ମାନସିଂହ ହସ୍ପିଟାଲକୁ ନିଆଯାଇଥିଲା । ଅନ୍ୟ ଏକ କିଡ୍ନୀ, ଲିଭରକୁ ଯୋଧପୁର ଏମ୍ସକୁ ପଠାଯାଇଥିଲା । ସଡ଼କ ପଥରେ ନିଆଯାଇଥିଲେ ଏଥିଲାଗି ପ୍ରାୟ ୪-୬ ଘଣ୍ଟା ସମୟ ଲାଗିଥାନ୍ତା । ତେବେ ଏୟାରଲିଫ୍ଟ କରାଯିବାରୁ ସେହି ସମୟ ୧ ଘଣ୍ଟା ୧୫ ମିନିଟ୍କୁ ହ୍ରାସ ପାଇଛି । ଏହା ଅଙ୍ଗର ଗୁଣବତ୍ତା ଭଲ ରହିବାକୁ ସୁନିଶ୍ଚିତ କରିବ । ସୱାଇ ମାନସିଂହ ମେଡିକାଲ କଲେଜର ଅଧ୍ୟକ୍ଷ ଡାକ୍ତର ଦୀପକ ମାହେଶ୍ୱରୀ କହିଛନ୍ତି, ତାଙ୍କ ଇନ୍ଷ୍ଟିଚ୍ୟୁଟ୍ରେ କିଡ୍ନୀ, ଲିଭର, ହାର୍ଟ ପରି ବିଭିନ୍ନ ଅଙ୍ଗର ପ୍ରତ୍ୟାରୋପଣ କରାଯାଇଥାଏ । ତେବେ ପ୍ରଥମ ଥର ଲାଗି ସେଠାରେ ଫୁସଫୁସ୍ ପ୍ରତ୍ୟାରୋପଣ କରାଯାଇଛି । ଫୁସ୍ଫୁସ୍ ସୁସ୍ଥ ରହିବା ଲାଗି ଚେନ୍ନାଇରୁ ଏକ ସ୍ୱତନ୍ତ୍ର ଫ୍ଲୁଇଡ୍ ମଗାଯାଇଥିଲା । ଏହି ପ୍ରକ୍ରିୟା ଅତି ଜଟିଳ ହୋଇଥିବାବେଳେ ସମସ୍ତଙ୍କ ସହଯୋଗରେ ଏହା ସମ୍ଭବପର ହୋଇଛି ।
ତେବେ ଅଙ୍ଗ ପ୍ରତ୍ୟାରୋପଣର କୋ-ଅର୍ଡିନେଟର ଡାକ୍ତର ମନୀଷ ଅଗ୍ରୱାଲ ପ୍ରସାଦଙ୍କ ପରିବାର ସଦସ୍ୟମାନଙ୍କର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । ଏହା ଅଙ୍ଗଦାନ ଲାଗି ଅନ୍ୟମାନଙ୍କୁ ପ୍ରେରିତ କରିବ ବୋଲି ସେ କହିଛନ୍ତି । ତାଙ୍କ ଅନୁସାରେ, ପ୍ରସାଦଙ୍କର ବିଭିନ୍ନ ଅଙ୍ଗକୁ ପ୍ରଥମେ ଝାଲୱାରରୁ ଜୟପୁର ଓ ପରେ ଜୟପୁରରୁ ଯୋଧପୁର ନିଆଯାଇଥିଲା । ଉଭୟ ସ୍ଥାନରେ ଡାକ୍ତରମାନେ ସଫଳତାର ସହ ତାକୁ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରିଛନ୍ତି ।