କଟକ,୦୮/୦୩: ପୂଜା ପାର୍ବଣ ଆସିଲେ କଟକ ସହର ଉତ୍ସବ ମୁଖର ହୋଇଉଠେ । ନୂଆ ବର୍ଷ ପରେ ପ୍ରଥମ ସାର୍ବଜନୀନ ପର୍ବ ଦୋଳଯାତ୍ରା । ଆଉ ଦୋଳ ଆସିଲେ କଟକର ସବୁ ସାହି, ଗ୍ରାମ ଓ ବସ୍ତିରୁ ଦୋଳ ବିମାନ ଆସି ସାହିରୁ ସାହି ବୁଲେ ।  ବିମାନ ଆଗରେ ନାମ ସଂକୀର୍ତ୍ତନ ସହ ମୃଦଙ୍ଗ(ଖୋଳ), ଝାଞ୍ଜ,  ଘଣ୍ଟ ବାଦ୍ୟ ବାଜେ । ସହରର ସବୁ ସଂକୀର୍ତ୍ତନ ମଣ୍ଡଳରରେ  ମୃଦଙ୍ଗ(ଖୋଳ), ଝାଞ୍ଜ, ଘଣ୍ଟ ଆଦି ବାଦ୍ୟର ତାଳେ ତାଳେ  ଦୋଳ ବିମାନରେ ରାଧାକୃଷ୍ଣଙ୍କୁ ବସାଇ ସହରର ସାହି ଓ ବସ୍ତି  ବୁଲନ୍ତି । ଚଳିତ ବର୍ଷ କଟକ ସହରରେ ଦୋଳଯାତ୍ରାରେ ବାଜିବ  ପିତଳ ମୃଦଙ୍ଗ । ପିତଳରେ ସଂକୀର୍ତ୍ତନ ମୃଦଙ୍ଗ(ଖୋଳ)  ତିଆରି କରି ଚର୍ଚ୍ଚାରେ କଟକ ସହରର ରାଉସାପାଟଣା । 

ଶ୍ରୀଶ୍ରୀ ରଘୁନାଥଜିଉ ସଂକୀର୍ତ୍ତନ ମଣ୍ଡଳ ପକ୍ଷରୁ ପିତଳରେ  ମୃଦଙ୍ଗ(ଖୋଳ) ତିଆରି କରାଯାଇଛି । ପାଖାପାଖି ୧୫୦ କିଲୋ  ପିତଳରେ ୧୫ଟି ମୃଦଙ୍ଗ ତିଆରି ପାଇଁ ଦିଆଯାଇଥିବା ବେଳେ  ସେଥିମଧ୍ୟରୁ ୧୦ଟି ଖୋଳ ତିଆରି ସରିଛି । ଏଥିପାଇଁ ଦୁଇ  ଲକ୍ଷଟଙ୍କା ଖର୍ଚ୍ଚ ହୋଇଛି । ଏହି ସମସ୍ତ ମୃଦଙ୍ଗ ଗୁଡ଼ିକ ଟାଙ୍ଗୀ  ଅଞ୍ଚଳର ଭଟିମୁଣ୍ଡା ଠାରେ ତିଆରି ହୋଇଛି । ମାଟିରେ ଥିବା  ମୃଦଙ୍ଗଠାରୁ ଏହି ପିତଳ ମୃଦଙ୍ଗର ଶବ୍ଦ ଭିନ୍ନ ପ୍ରକାରର ।  ପିତଳ ମୃଦଙ୍ଗ କୋଲକାତାର ନଦିଆ ନବଦୀପ୍‌ଠାରେ ସବୁ  ପୂଜାରେ ବାଜେ । ତାକୁ ଦେଖି କଟକରେ ଏହି ମୃଦଙ୍ଗ  ତିଆରି ହୋଇଛି । ରାଉସାପାଟଣାର ଇତିହାସ ୫୦୦ ବର୍ଷ  ପୁରୁଣା । ଚୈତନ୍ୟ ମହାପ୍ରଭୁଙ୍କ କଟକ ଆଗମନରେ ଓଡ଼ିଶା  ସଂକୀର୍ତ୍ତନର ଆରମ୍ଭ ହୋଇଛି । ଆଉ ଏଥର ଦୋଳରେ ପିତଳ  ମୃଦଙ୍ଗ ତାଳେ ତାଳେ ରାଉସାପାଟଣାର ଶ୍ରୀଶ୍ରୀ ରଘୁନାଥଜିଉ  ସଂକୀର୍ତ୍ତନ ମଣ୍ଡଳ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ।  

ଅନ୍ୟପକ୍ଷରେ ଶ୍ରୀଶ୍ରୀ ରଘୁନାଥଜିଉ ସଂକୀର୍ତ୍ତନ ମଣ୍ଡଳର  ଅଧିକାରୀ ପ୍ରତାପ ଚନ୍ଦ୍ର ଦାସ, ମହନ୍ତ ଅଶୋକ କୁମାର ଦେ,  କଟୁଆଳ ଶିବନାଥ ସେନାଙ୍କ ନେତୃତ୍ୱରେ ଦୋଳ ମେଲଣ ଯାତ୍ରା  କରାଯାଇଥାଏ । ମହାଦେବ ପୂଜାକମିଟିର ସଭାପତି ବସନ୍ତ କୁମାର  ସେନ, ସାଧାରଣ ସମ୍ପାଦକ ଜ୍ୟୋତି ଦାସଙ୍କ ସମେତ ସଂକୀର୍ତ୍ତନ  ମଣ୍ଡଳର ସଦସ୍ୟ ଗୋବିନ୍ଦ ସେନ, ରାଜଦୀପ ସେନ, ପୂର୍ଣ୍ଣଚନ୍ଦ୍ର  ଦାସ, ମନୋଜ ଚୌଧୁରୀ, ସୁଶାନ୍ତ ସେନ, ମହେଶ କୁମାର ସେନ,  ଅଲେଖ ବେହେରା, ନୃସିଂହ ସେନ, ଶିବରାମ ନନ୍ଦୀ, ଦେବାଶିଷ  ସେନ, ଜଗନ୍ନାଥ ସ୍ୱାଇଁ, ରବୀନ୍ଦ୍ର ଦାସ, କ୍ରୀଷ୍ଣା ରାଓ ବିଶାଲ ଦାସଓ  କିଶୋର ମହାରଣା ପ୍ରମୁଖ ଚଳିତ ବର୍ଷ ଦୋଳଯାତ୍ରାରେ ଭାଗନେବା  ସହିତ ସମସ୍ତ ସାହିବାସୀ ସହଯୋଗର ହାତ ବଢ଼ାଇଥାନ୍ତି ।