ନୂଆଦିଲ୍ଲୀ, ୦୫/୦୬ : ବୁଲା କୁକୁର ଲାଗି ଦୁଇ ଦେଶ ମଧ୍ୟରେ ଟଣାଓଟରା। ବ୍ରାଜିଲ୍ କହୁଛି ମୋର, ମେକ୍ସିକୋ କହୁଛି ମୋର। ଏବେ ଚିନ୍ତାର ବିଷୟ ଏହି ବୁଲା କୁକୁର କାହାର ? ତେବେ ବିବାଦ ଉପୁଜିଥିବା ଏହି କୁକୁରଟିର ନାଁ ହେଉଛି କାରାମେଲୋ। ବ୍ରାଜିଲରେ ଏହି ପ୍ରଜାତିର ଲୋକପ୍ରିୟତା ଅଧିକ। ସେମାନଙ୍କ ପାଇଁ ଫୁଟ୍ବଲ ଓ ସାମ୍ବା ସଙ୍ଗୀତ ଯେତିକି ଖାସ୍ କାରାମେଲୋ ସେତିକି ଖାସ୍। ବ୍ରାଜିଲରେ ଏମାନଙ୍କ ଉପରେ ମିମ୍ ହୁଏ, ଟି-ସାର୍ଟ ଛପା ହୁଏ, ଭାଇରାଲ ଗୀତ ପ୍ରସ୍ତୁତ ହୁଏ ଏବଂ କାର୍ନିଭାଲ ପରେଡ୍ରେ ଏମାନଙ୍କ ସମ୍ମାନରେ ଶୋଭାଯାତ୍ରା ବାହାରେ। ଏପରିକି ଏମାନଙ୍କୁ ବ୍ରାଜିଲ ମୁଦ୍ରାରେ ସ୍ଥାନ ଦେବାର ପ୍ରସ୍ତାବ ମଧ୍ୟ ଚର୍ଚ୍ଚାକୁ ଆସିଥିଲା ।
ମେକ୍ସିକୋ କାରାମେଲୋକୁ ଗତ ଏପ୍ରିଲରେ ସ୍ଥାନୀୟ ପ୍ରଜାତି ଘୋଷଣା କରିଛି। ଯାହାପରେ ବିବାଦ ଆରମ୍ଭ ହୋଇଛି। ମେକ୍ସିକୋର ଏହି ନିଷ୍ପତ୍ତି ବ୍ରାଜିଲରେ ଆକ୍ରୋଶ ସୃଷ୍ଟି କରିଛି। ସେମାନଙ୍କ ସାଂସ୍କୃତିକ ପରିଚୟକୁ ସେମାନଙ୍କ ଠାରୁ ଛଡାଇ ନିଆଯାଉଥିବା ବ୍ରାଜିଲବାସୀ କହୁଛନ୍ତି। ତେବେ ବୈଜ୍ଞାନିକ ଦୃଷ୍ଟିକୋଣରୁ କାରାମେଲୋ କୌଣସି ଶୁଦ୍ଧ ପ୍ରଜାତିର କୁକୁର ନୁହେଁ। ବ୍ରାଜିଲର ଜେନେଟିକ୍ସ କମ୍ପାନି ଡିଏନ୍ଏ ପେଟ୍ସର ଅଧ୍ୟୟନ ଅନୁସାରେ, ଏହା ୩୦୦ରୁ ଅଧିକ ବିଦେଶୀ ପ୍ରଜାତିର କୁକୁରଙ୍କ ମିଶ୍ରଣରୁ ଜନ୍ମ ହୋଇଛି। ଅନେକ ପିଢ଼ି ଧରି ଶତାଧିକ ପ୍ରଜାତିର ପ୍ରାକୃତିକ ମିଶ୍ରଣରୁ ଏହାର ସୃଷ୍ଟି। ହାଲୁକା ଧୂସର ବା ଟଫି ଭଳି ରଙ୍ଗ ଯୋଗୁ ଏହାର ନାଁ କାରାମେଲୋ ହୋଇଛି।
ଲାଟିନ୍ ଆମେରିକାରେ ୟୁରୋପୀୟ ଆକ୍ରମଣକାରୀଙ୍କ ଠାରୁ କାରାମେଲୋର କାହାଣୀ ଆରମ୍ଭ। ୟୁରୋପରୁ ଆସିଥିବା ଫ୍ରନ୍ସିସ୍ ଏବଂ ଇଂରେଜ ତାଙ୍କ ସହ କୁକୁର ଆଣି ଆସିଥିଲେ। ଧୀରେ ଧୀରେ ସେମାନେ ଏସିଆ, ଆଫ୍ରିକା ଏବଂ ଅଷ୍ଟ୍ରେଲିଆରୁ ମଧ୍ୟ କୁକୁର ଆଣିଲେ। ବହୁ ବର୍ଷ ଯାଏଁ ଏହି ସବୁ କୁକୁରଙ୍କ ମଧ୍ୟରେ ଅନିୟନ୍ତ୍ରିତ ପ୍ରଜନନ କାରଣରୁ କାରାମେଲୋ ପ୍ରଜାତିର ସୃଷ୍ଟି। ୟୁରୋପୀୟ ଯିବା ପରେ ଲୋକମାନେ ଘରେ ଘରେ ଏହି କୁକୁରଙ୍କୁ ପାଳିବା ଆରମ୍ଭ କଲେ। ବ୍ରାଜିଲବାସୀ ଏହାକୁ ସେମାନଙ୍କ ଇତିହାସ ଏବଂ ସଙ୍ଘର୍ଷ ଏବଂ ପରିବର୍ତ୍ତନର ପ୍ରତୀକ କହୁଛନ୍ତି। ସେହିଭଳି ମେକ୍ସିକୋ ଏହାକୁ ତାର ରାଷ୍ଟ୍ରୀୟ ଧରୋହର କହୁଛି।
ଆହୁରି ପଢନ୍ତୁ- Iran War: ଯୁଦ୍ଧ ଶୀଘ୍ର ଶେଷ ନ ହେଲେ ହାହାକାର ସ୍ଥିତି, ଦରଦାମ ହେବ ଉତ୍କଟ, ଭୋକ ନେବ ବିଶ୍ୱର ଅଧା ଜୀବନ