ନୂଆଦିଲ୍ଲୀ,୦୩/୦୧:ଦକ୍ଷିଣ ବ୍ରାଜିଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ସହ ବାଲି ବୋଝେଇ ଟ୍ରକର ମୁହାଁମୁହିଁ ଧକ୍କା । ଫଳରେ ଅତିକମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି । ଦକ୍ଷିଣ ବ୍ରାଜିଲର ରିଓ ଗ୍ରାଣ୍ଡେ ଡୋ ସୁଲ୍ ରାଜ୍ୟର ଏକ ଫେଡେରାଲ୍ ରାଜପଥରେ ଏହି ଦୁର୍ଘଟଣା ଘଟିଛି।
ରଏଟର୍ସର ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକର ବାଲି ବସ୍ ଭିତରେ ପଶିଯାଇଥିଲା, ଯାହା ଫଳରେ ଯାତ୍ରୀମାନଙ୍କୁ ବାହାର କରିବା ଅତ୍ୟନ୍ତ କଷ୍ଟକର ହୋଇଯାଇଥିଲା। ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ଦୀର୍ଘ ଟ୍ରାଫିକ୍ ଜାମ୍ ହୋଇଥିଲା। ବ୍ରାଜିଲର ଫେଡେରାଲ୍ ହାଇୱେ ପୁଲିସ କହିଛି ଯେ, ଟ୍ରକର ବାଲି ବସ୍ ମଧ୍ୟରେ ପଶିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ଆହତ ଏବଂ ମୃତକଙ୍କ ପାଖକୁ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଯାତ୍ରୀମାନଙ୍କୁ ବାହାର କରିବା ପାଇଁ କିଛି ଘଣ୍ଟାର ପ୍ରୟାସ ପରେ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲା।
ଦୁର୍ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସ୍ଥାନୀୟ ପ୍ରଶାସନ ଆହତମାନଙ୍କର ଚିକିତ୍ସା ଏବଂ ପୀଡିତଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛି।ଫେଡେରାଲ୍ ହାଇୱେ ପୁଲିସ କହିଛି ଯେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ଚାଲିଛି। ପ୍ରାରମ୍ଭିକ ଭାବରେ, ଦ୍ରୁତ ଗତି କିମ୍ବା ରାସ୍ତା ଅବସ୍ଥାକୁ ସମ୍ଭାବ୍ୟ କାରଣ ଭାବରେ ବିବେଚନା କରାଯାଉଛି, କିନ୍ତୁ ତଦନ୍ତ ସରିବା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ପୁଲିସ ଦୁର୍ଘଟଣାସ୍ଥଳରେ ଅସ୍ଥାୟୀ ଭାବରେ ଯାତାୟାତ ବନ୍ଦ କରିଦେଇଛି।