ନୂଆଦିଲ୍ଲୀ, ୩୦।୧୦: ବ୍ରାଜିଲର ରିଓ ଡି ଜେନେରିଓରେ ଡ୍ରଗ ସଙ୍ଗଠନ ରେଡ୍ କମାଣ୍ଡ ବିରୋଧରେ ଏ ପର୍ଯ୍ୟନ୍ତ ସବୁଠୁ ବଡ଼ ଅପରେସନ ଚଳାଇଛି ପୁଲିସ । ରଣଭୂମି ପାଲଟିଛି ରାଜରାସ୍ତା । ବ୍ରାଜିଲ ପୁଲିସ ଓ ସୈନ୍ୟଙ୍କ ମିଳିତ ରେଡ୍ । ବ୍ରାଜିଲର ଇତିହାସରେ ସବୁଠୁ ବଡ଼ ହିଂସ୍ର ଅପରେସନ । ରାଜଧାନୀ ରିଓ ଡି ଜେନେରିଓରେ ମଙ୍ଗଳବାର ୨୫୦୦ ପୁଲିସକର୍ମୀ ହେଲିକପ୍ଟର ଦ୍ୱାରା ମିଳିତ ଭାବେ ଅନେକ ଅଞ୍ଚଳରେ ଚଢ଼ାଉ କରିଛନ୍ତି । ଏହି ରେଡ୍‌ରେ ଏ ପର୍ଯ୍ୟନ୍ତ ୧୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ୪ ଜଣ ପୁଲିସକର୍ମୀଙ୍କ ମୃତଦେହ ମଧ୍ୟ ସାମିଲ । ପୁରା ମାମଲା ଉପରେ ବ୍ରାଜିଲର ସୁପ୍ରିମ କୋର୍ଟ ରିପୋର୍ଟ ଦେବାକୁ କହିଛନ୍ତି । ରିଓ ପୁଲିସର କହିବାନୁସାର, ଏହି ରେଡ୍‌ରେ ୨୦୦ କିଲୋଗ୍ରାମର ଡ୍ରଗ୍ସ ଜବତ କରାଯାଇଛି ।

ସଂଯୁକ୍ତ ରାଷ୍ଟ୍ର ମାବଧିକାର ସଙ୍ଗଠନ ଏହି ନରସଂହାର ଉପରେ ଚିନ୍ତା ପ୍ରକଟ କରି କହିଛନ୍ତି, ଯିଏ ବ୍ରାଜିଲ ଇତିହାସରେ ସବୁଠୁ ବଡ଼ ଘାତକ ପୁଲିସ ଅଭିଯାନ ମଧ୍ୟରୁ ଗୋଟିଏ । ଅଧିକାରୀ ନାରକୋ ଆତଙ୍କବାଦ ସହ ଲଢ଼ିବାକୁ କହିଥିବା ବେଳେ ଅନ୍ୟପଟେ ନାଗରିକ ନ୍ୟାୟ ଜାବି କରିଛନ୍ତି । ପୁଲିସ ବିରୋଧରେ ଆଣିଥିବା ଅଭିଯୋଗର ଜବାବରେ କୁହାଯାଇଛି ଯେ, ପୁଲିସର ଟିମ୍ ଆଗକୁ ବଢ଼ିଥିଲେ, ଯାହା ପରେ ରେଡ୍ କମାଣ୍ଡର ସଦସ୍ୟ ବନ୍ଧୁକ ଚାଳନା କରିଥିଲେ । ପରେ ଗ୍ୟାଙ୍ଗ ରାସ୍ତା ଉପରେ ଜଳୁଥିବା ବ୍ୟାରିକେଟ୍ ଲଗାଇଥିଲେ ଓ ଡ୍ରୋନ ସାହାଯ୍ୟରେ ବମ୍ ପକାଇଥିଲେ । ଏଭଳି କରି ସେମାନେ ପୁଲିସକୁ ରୋକିବାକୁ ଚାହୁଁଥିଲେ ।

ବ୍ରାଜିଲର ରାଜରାସ୍ତାରେ ପଡ଼ିରହିଛି ମୃତଦେହ:

ପୁଲିସ ରେଡ୍‌ରେ ଏ ପର୍ଯ୍ୟନ୍ତ ୧୩୦ରୁ ଅଧିକ ଲୋକ ମୃତ୍ୟୁ ହୋଇସାରିଛି । ମୃତଦେହଗୁଡ଼ିକୁ ରାସ୍ତା ଉପରେ ରଖି ଲୋକ ପ୍ରଦର୍ଶନ ଜାରି ରଖିଛନ୍ତି । ଏହା ବ୍ରାଜିଲ ପୁଲିସର ସବୁଠୁ ହିଂସ୍ର ଅପରେସନ ଭିତରୁ ଗୋଟିଏ । ଏହି କାରଣରୁ ଏହି ପ୍ରଦର୍ଶନରେ ହୋଇଥିବା ହିଂସାରେ ହୋଇଥିବା ମୃତ୍ୟୁ ଘଟଣାକୁ ଯାଞ୍ଚ କରିବାକୁ ମାନବଧିକାର ସଙ୍ଗଠନ ଦାବି କରିଛି ।

ଅପରେସନର ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ଦାବି:

ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ଚର୍ଚ୍ଚାର ବିଷୟ ପାଲଟିଥିଲା । ସୁପ୍ରିମକୋର୍ଟ ମୃତକଙ୍କ ସଂଖ୍ୟା ଓ ଅପରେସନର ସ୍ଥିତିକୁ ନେଇ ପ୍ରଶ୍ନ କରିଛନ୍ତି । ସୁପ୍ରିମକୋର୍ଟର ଜଷ୍ଟିସ ଆଲେକଜେଣ୍ଡର ଡି ମୋରେସ କାସ୍ତ୍ରୋର ପୁଲିସ ଅଭିଯାନର ସମସ୍ତ ସୂଚନା ସଂଗ୍ରହ କରିବା ଲାଗି ଆଦେଶ ଦେଇଛନ୍ତି । ଆସନ୍ତା ସୋମବାର ରିଓରେ ରାଜ୍ୟର ରାଜ୍ୟପାଳ ଓ ସୈନ୍ୟ ଏବଂ ନାଗରିକ ପୁଲିସ ପ୍ରମୁଖଙ୍କ ସହ ଶୁଣାଣି ନିର୍ଦ୍ଧାରିତ କରିଛନ୍ତି ।