ପ୍ରମୂଖ ଖବର

କଳିଙ୍ଗ ଆଲୁମିନାରେ ବ୍ରେକ୍‌ ! କାର୍ଯ୍ୟାଳୟ ମୁଖ୍ୟଙ୍କ ସହ ବହୁ ଅଧିକାରୀଙ୍କ ବଦଳି

Published By : Rasmita Pradhan | October 10, 2024 1:11 PM

ରାୟଗଡ଼ା, ୧୦/୧୦ : ଜିଲ୍ଲାରେ ଆଦାନି ଗ୍ରୁପର ପ୍ରସ୍ତାବିତ କଳିଙ୍ଗ ଆଲୁମିନା ଲିଃରେ ଲାଗିଛି ଏକପ୍ରକାର ବ୍ରେକ୍‌ । ୪୧ ହଜାର ୬୫୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ଭାଗ୍ୟ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଏଥିସହ ଆଦାନି ଗ୍ରୁପ୍‌ ପକ୍ଷରୁ ରାୟଗଡାରେ ମେଡିକାଲ କଲେଜ ସ୍ଥାପନ ପାଇଁ ସରକାରଙ୍କୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା, ସେଥିରେ ମଧ୍ୟ ଅନ୍ତରାୟ ସୃଷ୍ଟି ହୋଇଥିବା ଜଣାପଡିଛି । ଜିଲ୍ଲାରେ ରାଜନୈତିକ ଅସ୍ଥିରତା କାରଣରୁ ଏଭଳି ସ୍ଥିତି ଉପୁଜିଥିବା ଚର୍ଚ୍ଚା ହେଉଛି । ଏହା ପଛରେ ବି କିଛି ଠୋସ୍‌ କାରଣ ରହିଛି । ପ୍ରକଳ୍ପ ପାଇଁ ଏଠାରେ ଯେଉଁ ଅଫିସ୍‌ ଖୋଲାଯାଇଥିଲା, ସେଠାରୁ ପ୍ରକଳ୍ପ ମୁଖ୍ୟଙ୍କଠାରୁ ଆରମ୍ଭ କରି ମହାପ୍ରବନ୍ଧକ ଏବଂ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । କେବଳ ନାଁକୁ ମାତ୍ର ଜଣେ ସୁରକ୍ଷାକର୍ମୀ ଓ ତଳିଆ କର୍ମଚାରୀ ରହିଛନ୍ତି । ଏହି ଅଫିସ ମଧ୍ୟ ଚାଲିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । 

୨୦୨୨ ଅଗଷ୍ଟ ମାସରେ ଜିଲ୍ଲାର କାଶୀପୁର ଏବଂ କଲ୍ୟାଣସିଂହପୁର ବ୍ଲକର ମଧ୍ୟବର୍ତ୍ତୀ ସ୍ଥାନରେ ଆଦାନି ଗ୍ରୁପ୍‌ ପକ୍ଷରୁ ୪୧ ହଜାର ୬୫୩ କୋଟି ଟଙ୍କା ବ୍ୟୟରେ ୪ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଆଲୁମିନା କାରଖାନା ଏବଂ ୧୭୫ ମେଗାୱାଟ୍‌ର ଏକ କ୍ୟାପ୍‌ଟିଭ୍‌ ପ୍ଲାଣ୍ଟ ସ୍ଥାପନ ଲାଗି ଘୋଷଣା କରାଯାଇଥିଲା । ଶାଶୂବୋହୂମାଳି ପାହାଡ଼ରୁ ବକ୍ସାଇଟ୍‌ ଉତ୍ତୋଳନ କରି କାରଖାନା ଚଲାଇବା ଲାଗି ଯୋଜନା କରିଥିଲା ଗ୍ରୁପ । ଏମିତିକି କାରଖାନା ସହିତ ରାୟଗଡ଼ାରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା । ଅଥଚ ଗତ ସାଧାରଣ ନିର୍ବାଚନ ପରେ ଉଭୟ ପ୍ରକଳ୍ପର ଭାଗ୍ୟ ଅନ୍ଧାରରେ ରହିଛି । କାରଣ ରାଜ୍ୟ ଓ କେନ୍ଦ୍ରରେ ଚାଲିଛି ବିଜେପି ଶାସନ । ରାୟଗଡ଼ା ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦ ରହିଛନ୍ତି କଂଗ୍ରେସର । ଏଣେ ବ୍ଲକ ଓ ପୌର ପରିଷଦ ରହିଛି ବିଜେଡି କବ୍‌ଜାରେ । ବିଭିନ୍ନ ସମୟରେ ରାଜନୈତିକ ଛକାପଞ୍ଝା ଏବଂ ଅସ୍ଥିରତା ନଜରକୁ ଆସୁଛି । ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ବିକାଶ କାମକୁ ନେଇ ତାଳମେଳ ରହୁନି । ଏଥିଲାଗି କାରଖାନାର ଭବିଷ୍ୟତକୁ ନେଇ ଆଦାନି ଗ୍ରୁପ୍‌ ସନ୍ଦିହାନ ହୋଇପଡିଛି । 

ବର୍ତ୍ତମାନ ପରିସ୍ଥିତିରେ କାରଖାନା ନିର୍ମାଣ କାମ ଆଗକୁ ନବଢ଼ାଇ କିଛିଦିନ ନିରବ ରହିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଯଦି କାରଖାନା ନାହିଁ, ତାହେଲେ ମେଡିକାଲ କଲେଜ କାହିଁକି ନ୍ୟାୟରେ ବୋଲି ତାକୁ ବି ସ୍ଥଗିତ ରଖାଯାଇଛି । ଆଦାନି ଗ୍ରୁପର ଏଭଳି ନିଷ୍ପତ୍ତି ଶିଳ୍ପାୟନକୁ ଏକ ବଡ଼ ଝଟକା ବୋଲି କହିଛନ୍ତି ବିଶେଷଜ୍ଞ । କାରଣ ଏହି ଗ୍ରୁପ୍‌ ହେଉଛି ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଏକ କାରଖାନା । ଜିଲ୍ଲାରେ ଏକ ବୃହତ ନିବେଶ ପାଇଁ ଯୋଜନା କରିଥିଲା । ମାତ୍ର ଦୁଇ ବର୍ଷ ମଧ୍ୟରେ ସେଥିରେ ଏକପ୍ରକାର ଯବନୀକା ପଡ଼ିଛି । କାରଖାନା ନିର୍ମାଣ ସ୍ଥଗିତ ହେବା ଯେତିକି ଚିନ୍ତାଜନକ, ତାଠାରୁ ଅଧିକ କଷ୍ଟଦାୟକ ହେଉଛି ପ୍ରସ୍ତାବିତ ମେଡିକାଲ କଲେଜ ବନ୍ଦ ରହିବା । ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ଏକ ମେଡିକାଲ କଲେଜ ନିହାତି ଆବଶ୍ୟକ ଥିଲା । 

୨୦୨୭ ପଂଚାୟତ ନିର୍ବାଚନ ପର୍ଯ୍ୟନ୍ତ ଗ୍ରୁପ୍‌ କୌଣସି କାର୍ଯ୍ୟ ଆଗକୁ ବଢ଼ାଇବ ନାହିଁ ବୋଲି ସୂଚନା ମିଳିଛି । କେବଳ ଦେଖିବାର କଥା, ଏହି ବୃହତ ପ୍ରକଳ୍ପର ଭାଗ୍ୟ ଆଗକୁ କେଉଁ ମୋଡ ନେଉଛି । ଏ ସଂପର୍କରେ ଆମେ କଳିଙ୍ଗ ଆଲୁମିନା ଲିଃର ଆଡମିନ୍‌ ଅଧିକାରୀ ରୁବେଲ୍‌ ଦାସ କହିଛନ୍ତି ଯେ ବରିଷ୍ଠ ଅଧିକାରୀମାନେ ଅନ୍ୟତ୍ର କାମରେ ଯାଇଛନ୍ତି । ପ୍ରକଳ୍ପ କାମ ଜାରି ରହିଛି । ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଏବେ ନନ୍ଦପୁର ବାଲ୍‌ଡା ଖଣି ପାଇଁ କାମ ଚାଲିଛି । ସେଥିଲାଗି ଅଧିକାଂଶ ଅଧିକାରୀଙ୍କୁ ସେଠାକୁ ପଠାଯାଇଛି । ଏହି କାମ ସରିବା ପରେ କୁଟ୍ରୁମାଳି ଖଣିକୁ ଗୁରୁତ୍ୱ ଦିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.