ନୂଆଦିଲ୍ଲୀ,୦୩/୧୧: ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆର୍ଆଇ) ପ୍ରକଳ୍ପକୁ ନେଇ ଚୀନ୍ ଓ ପାକିସ୍ତାନ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଚୀନ ନାଗରିକମାନଙ୍କୁ ପାକିସ୍ତାନୀ ଆତଙ୍କୀମାନେ ଟାର୍ଗେଟ କରୁଥିବାରୁ ଚୀନ୍ ଅସନ୍ତୋଷ ପ୍ରକଟ କରିଛି । ଗତ ୬ମାସ ଭିତରେ ଦୁଇଥର ଆତଙ୍କୀ ଆକ୍ରମଣ ଯୋଗୁ ୭ ଜଣ ଚୀନ୍ ନାଗରିକଙ୍କ ମୃତ୍ୟୁଘଟିଛି । ଆଜି ଏହି ପ୍ରସଙ୍ଗ ଉଠାଇ ଇସ୍ଲାମାବାଦରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ଜିଆଙ୍ଗ ଜାଇଡଙ୍ଗ ପାକିସ୍ତାନକୁ କଡା ବାର୍ତ୍ତା ଦେଇଛନ୍ତି । କହିଛନ୍ତି ଏଭଳି ଆକ୍ରମଣ ଆଦୌ ଗ୍ରହଣଯୋଗ୍ୟ ନୁହେଁ । ପାକିସ୍ତାନକୁ ଏସବୁ ବନ୍ଦ କରିବାକୁ ପଡିବ । ନଚେତ ଆମେ ଏହି ପ୍ରକଳ୍ପରେ ପୁଞ୍ଜିନିବେଶ କରିବା ନିଷ୍ପତ୍ତିର ପୁନର୍ବିଚାର କରିବୁ । ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ କିଛିଦିନ ତଳେ ପାକିସ୍ତାନ ଗସ୍ତରେ ଆସିଥିବା ବେଳେ ଏକଥା ରୋକ୍ଠୋକ ଜଣାଇ ଦେଇଥିଲେ ବୋଲି ସେ କହିଛନ୍ତି । ଗତମାସରେ କରାଚୀ ବିମାନବନ୍ଦର ନିକଟରେ ଆତଙ୍କୀ ଆକ୍ରମଣ ଯୋଗୁ ୨ ଜଣ ଚୀନ୍ ନାଗରିକଙ୍କ ମୃତ୍ୟୁଘଟିବା ସହ ୧୦ ଜଣ ଆହତ ହୋଇଥିଲେ । ସେହିଭଳି ଗତ ମାର୍ଚ୍ଚରେ ଖାଇବର ପାଖତୁନଖ୍ୱା ପ୍ରଦେଶର ବେସମ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ଯୋଗୁ ୫ ଜଣ ଚୀନ୍ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା । ପ୍ରାୟ ୧୦ ବର୍ଷ ତଳେ ଏହି ପ୍ରକଳ୍ପ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ୨୧ ଚୀନୀ ନାଗରିକଙ୍କ ମୃତ୍ୟୁ ଘଟିଲାଣି ।