ମାଲକାନଗିରି , ୧୯/୩ : ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଲେବର କାର୍ଡ କରାଇଦେବା ନାମରେ ଲାଞ୍ଚ ନେବା ଓ ଜଣେ ଗରିବ ଆଦିବାସୀ ମହିଳାଙ୍କ ସ୍ୱାମୀର ମୃତ୍ୟୁକାଳୀନ ସହାୟତା ଟଙ୍କା ହଡ଼ପ କରିଥବା ନେଇ ଅଙ୍ଗନବାଡ଼ି କର୍ମୀଙ୍କ ନାଁରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।
ଏଭଳି ଘଟଣା ଘଟିଛି ମାଲକାନଗିରି ବ୍ଲକ ସ୍ଥ ଝରାପାଲି ପଞ୍ଚାୟତ ଅନ୍ତର୍ଗତ କନାଗୁଡା ଗ୍ରାମରେ । ସେହି ଗ୍ରାମର ଅଙ୍ଗନବାଡି କର୍ମୀ ଶ୍ରୀତି ଢାଲି ଉକ୍ତ ଗ୍ରାମର ଜଣେ ବିଧବା ଆଦିବାସୀ ମହିଳା ରତ୍ନା ପଡିଆମୀ ସ୍ୱାମୀ ଗଙ୍ଗା ପଡିଆମୀଙ୍କଠାରୁ ଲେବର କାର୍ଡରେ ତାଙ୍କ ସ୍ୱାମୀଙ୍କ ଇନ୍ସୁରାନ୍ସ ଟଙ୍କା ୧ଲକ୍ଷ ମିଳାଇ ଦେବା ପାଇଁ କହି ତାଙ୍କଠାରୁ ସମସ୍ତ କାଗଜପତ୍ର ନେଇ ୧ ବର୍ଷ ତଳେ ତତ୍କାଳୀନ ଲେବର ଅଫିସରେ ଦାଖଲ କରିଥିଲେ l
ଗତ ତା ୧୬/୧/୨୦୨୪ ରିଖରେ ୧ଲକ୍ଷ ଟଙ୍କା ତାଙ୍କ ଜମା ଖାତାରେ ଆସିଥିବା ଜାଣି ଅଙ୍ଗନବାଡି କର୍ମୀ ରତ୍ନାଙ୍କୁ ତା ୧୮/୧/୨୦୨୪ରିଖ ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ପଦ୍ମଗିରି ଶାଖାକୁ ଡାକି ନେଇ ସମସ୍ତ ଟଙ୍କା ଉଠାଇ ତାଙ୍କୁ ୪୦ ହଜାର ଦେଇଥିଲେ ଓ ବଳକା ବଡ ଅଫିସରଙ୍କୁ ଦେବା ପାଇଁ କହି ରଖିଥିଲେ ଏବଂ ଏହାକୁ କାହାକୁ ନ କହିବାକୁ କହିଥିଲେ । କିନ୍ତୁ ଏହି କଥା ଗ୍ରାମର କିଛି ଭଦ୍ର ବ୍ୟକ୍ତି ଜାଣିବା ପରେ ଅଙ୍ଗନବାଡ଼ି କର୍ମୀ ତାଙ୍କୁ ଗାଳି ଗୁଲଜ କରି ସେ କିଛି ଟଙ୍କା ରଖି ନ ଥିବା କଥା କହି ଫାଙ୍କି ଦେଇଥିଲେ l ଏମିତିକି ଉକ୍ତ ଅଙ୍ଗନବାଡି କର୍ମୀ ଉକ୍ତ ଗ୍ରାମର ଅନ୍ୟ ୫୦ଜଣରୁ ଊର୍ଦ୍ଧ୍ବ ଲୋକଙ୍କଠାରୁ ଲେବର କାର୍ଡ କରାଇଦେବା ପାଇଁ ଜଣ ପିଛା ୭୦୦ଟଙ୍କା ଲେଖାଏଁ ଆଦାୟ କରି ୧ବର୍ଷ ହେଲା ନେଇଯାଇଥିବା କଥା ମଧ୍ୟ ଗ୍ରାମବାସୀ ପ୍ରକାଶ କରିଛନ୍ତି l ଏ ନେଇ ରତ୍ନା ପଡ଼ିଆମୀ, ବିଜୟ ମାଡ଼କାମୀ, ମୁକୁନ୍ଦ ପଡ଼ିଆମୀ, ଚନ୍ଦ୍ର ପଡ଼ିଆମୀ ପ୍ରମୁଖ ୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ମଙ୍ଗଳବାର ମାଲକାନଗିରି ଆସି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି ଜଣାଇଛନ୍ତି l