• ୨୦୨୬ ବ୍ରିକ୍ସ ସମ୍ମିଳନୀର ଆୟୋଜକ ଭାରତ
  • ଲୋଗୋ ଉନ୍ମୋଚନ କଲେ ବୈଦେଶିକ ମନ୍ତ୍ରୀ
  • ପଦ୍ମ ଫୁଲରେ ସଜାଇ ହେବ ବ୍ରିକ୍ସ ମଞ୍ଚ
  • ପାଳନ କରାଯିବ ୨୦ ତମ ବାର୍ଷିକୀ

ନୂଆଦିଲ୍ଲୀ,୧୩।୧: ଭାରତର ଅଧ୍ୟକ୍ଷତାରେ ୨୦୨୬ରେ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେବ। ପଦ୍ମ ଫୁଲରେ ସଜାଇ ଦିଆଯିବ ବ୍ରିକ୍ସର ମଞ୍ଚ । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଙ୍ଗଳବାର ବ୍ରିକ୍ସ ୨୦୨୬ ପାଇଁ ଅଫିସିଆଲ ଲୋଗୋ ଓ ଓ୍ବେବସାଇଟ୍ ଲଞ୍ଚ କରିଛନ୍ତି। ଏହି ଲୋଗୋ ଭିତରେ ପଦ୍ମ ଫୁଲ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା। ଲଞ୍ଚ ପରେ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ସମୂହ ଜରିଆରେ ବିଶ୍ବ କଲ୍ୟାଣକୁ ଆଗକୁ ବଢାଇବା ଉପରେ ଜୋର ଦିଆଯିବ, ବିଶେଷ ଭାବରେ ଏଭଳି ସମୟରେ ଯେତେବେଳେ ଗୋଷ୍ଠୀ ନିଜର ୨୦ ତମ ବାର୍ଷିକୀ ପାଳନ କରୁଛି।

ଅଧିକାରୀଙ୍କ କହିବା ଅନୁସାରେ, ନୂଆ ଲୋଗୋର ପ୍ରେରଣା ପଦ୍ମ ଫୁଲରୁ ନିଆଯାଇଛି। ଏହା ଭାରତର ଗଭୀର ସାଂସ୍କୃତିକ ଐତିହ ଓ ମଜବୁତିର ପ୍ରତୀକ। ଲୋଗୋର ପାଖୁଡାରେ ବ୍ରିକ୍ସ ଦେଶର ରଙ୍ଗ ଦେଖାଯାଇଛି,ଯାହାକି ଅଲଗା ଅଲଗା ଶବ୍ଦକୁ ଏକ ମିଳିତ ଉଦ୍ୟମ ସହ ଯୋଡିବାର ବାର୍ତ୍ତା ଦେଉଛି। ସେଭଳି ଲୋଗୋ ଭିତରେ ନମସ୍କାର ଚିହ୍ନ ରହିଛି,ଯାହାକି ସମ୍ମାନ ଓ ସହଯୋଗର ଭାବନାକୁ ଦର୍ଶାଉଛି। ଏହା ସହ ଏକ ଟ୍ୟାଗଲାଇନ୍ ମଧ୍ୟ ରହିଛି। ତାହା ହେଲା ‘ସ୍ୱଚ୍ଛତା, ନବସୃଜନ, ସହଯୋଗ ଏବଂ ବିକାଶ ପାଇଁ ନିର୍ମାଣ।’ ଜୟଶଙ୍କର ଏହି ସମୟରେ ବ୍ରିକ୍ସର ନୂଆ ଓ୍ବେବସାଇଟ୍ ମଧ୍ୟ ଲଞ୍ଚ କରିଥିଲେ। ଏହାର ଉଦେଶ୍ୟ ବ୍ରିକ୍ସ ସମ୍ପର୍କିତ ସୂଚନା ପାଇଁ ଏକ କେନ୍ଦ୍ରୀୟ ମଞ୍ଚ ତିଆରି କରିବା। ଅଧିକାରୀଙ୍କ କହିବା ଅନୁସାରେ, ଏଥିରେ ବ୍ରିକ୍ସର ହସ୍ତକ୍ଷେପ, ପ୍ରୋଜେକ୍ଟ,କାର୍ଯ୍ୟକ୍ରମ ଓ ଅଫିସିଆଲ ଦସ୍ତାବିଜର ସୂଚନା ରହିବ।

ଉଲ୍ଲେଖନୀୟ ଯେ, ଦୁନିଆର ୫ଟି ବଡ ଅର୍ଥବ୍ୟବସ୍ଥା ବ୍ରାଜିଲ, ରୁଷ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକା ବ୍ରିକ୍ସର ନେତୃତ୍ବ ନେଉଛନ୍ତି।ଏହାର ସ୍ଥାପନା ୨୦୦୬ ରେ ହୋଇଥିଲା। ଗତ କିଛି ବର୍ଷରେ ଏହି ଗୋଷ୍ଠୀ ବିସ୍ତାର ହୋଇଛି। ଇଜିପ୍ଟ, ଇଥିଓପିଆ, ଇରାନ, ୟୁଏଇ ଏବଂ ଇଣ୍ଡୋନେସିଆ ମଧ୍ୟ ସମ୍ପୂର୍ଣ୍ଣ ସଦସ୍ୟ ଭାବରେ ବ୍ରିକ୍ସରେ ସାମିଲ ହୋଇଛି। ବର୍ତ୍ତମାନ ବ୍ରିକ୍ସରେ ମୋଟ ୧୧ଟି ରାଷ୍ଟ୍ର ସାମିଲ ହୋଇଛନ୍ତି। ଯାହାକି ଦୁନିଆର ପ୍ରାୟ୪୯,୫% ଜନସଂଖ୍ୟା, ୪୦ ପ୍ରତିଶତ ଜିଡିପି ଓ ପ୍ରାୟ ୨୬% ବିଶ୍ବ ବାଣିଜ୍ୟକୁ ପ୍ରତିନିଧିତ୍ବ କରୁଛି। ସେଭଳି ଭାରତର ୨୦୨୬ ରେ ଅଧ୍ୟକ୍ଷତାରେ ବ୍ରିକ୍ସରୁ ବିଶ୍ବସ୍ତରରେ ସହଯୋଗ ଓ ପ୍ରଭାବ ବଢିବାର ଆଶା ରହିଛି।

ଆହୁରି ପଢନ୍ତୁ : ଗିଗ୍ ଓ୍ବାକର୍ସଙ୍କ ପାଇଁ ସରକାର ହଟାଇଲେ ଟାଇମ୍ ଲିମିଟ୍ ସର୍ତ୍ତ, ଏବେ ୧୦ ମିନିଟ୍‌ରେ ମିଳିବନି ଡେଲିଭରି