ପୁରୀ/ଭୁବନେଶ୍ୱର, ୩/୦୬ : ପୁରୀରେ  ଆଜିଠୁ ‘ବ୍ରିକ୍ସ’ ସମ୍ମିଳନୀ ଆରମ୍ଭ ହେବ । ୫ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ । ଏଥିରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେବେ । ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ (ଡିଆର୍‌ଆର୍‌ଡବ୍ଲୁଜି)ର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ । ବ୍ରାଜିଲ୍‌, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍‌, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଓ ଚାଇନା ଭଳି ଦେଶର ପ୍ରତିନିଧିଗଣ ସାମିଲ ହେବେ । ଏଥିରେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ଓ ଅନ୍ତର୍ଜାତୀୟ ସହଯୋଗ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । 

ମଙ୍ଗଳବାର ଭୁବନେଶ୍ୱର ବିମାନବନ୍ଦରରେ ବ୍ରିକ୍ସ ରାଷ୍ଟ୍ରସମୂହର ପ୍ରତିନିଧି ଦଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି । ଆଜି ବିପର୍ଯ୍ୟୟ ପ୍ରତିରୋଧୀ କ୍ଷମତା, ନୂତନ ଜ୍ଞାନକୌଶଳ, ସହଯୋଗ ଓ ସ୍ଥାୟିତ୍ୱ ବିକାଶ ନେଇ ଆଲୋଚନା ହେବ । ଗୋଷ୍ଠୀଭିତ୍ତିକ ଡିଆର୍‌ଆର୍‌ ଶାସନ ବ୍ୟବସ୍ଥା, ବିପର୍ଯ୍ୟୟ ସମ୍ଭାବ୍ୟ ବିପଦ ପାଇଁ ସୁଦୃଢ଼ ଅର୍ଥ ବ୍ୟବସ୍ଥା, ବହୁମୁଖୀ ବିପଗ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା, ପ୍ରକୃତି ଆଧାରିତ ଓ ସ୍ୱଦେଶୀ ସମାଧାନ, ଡିଆରଆର କ୍ଷେତ୍ରରେ ବିଜ୍ଞାନ, ପ୍ରଯୁକ୍ତି ଓ ନୂତନ ଜ୍ଞାନକୌଶଳ ଉପରେ ଆଲୋଚନା ହେବ । ଜୁନ୍‌ ୪ରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେବେ । ଏହି ଅଧିବେଶନରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସ୍ଥାୟୀ ଅର୍ଥ ବ୍ୟବସ୍ଥା, ସମାବେଶୀ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଏଥିସହ ସଦସ୍ୟମାନେ କୋଣାର୍କ ପରିଦର୍ଶନ କରିବେ । ୫ ତାରିଖରେ ବୈଷୟିକ ଅଧିବେଶନ ହେବ । ଏଥିରେ ଜଳବାୟୁ ପ୍ରତିରୋଧ ଭିତ୍ତିଭୂମି, ପାରମ୍ପରିକ ଓ ପ୍ରକୃତି ଆଧାରିତ ସମାଧାନର ସମନ୍ୱୟ, ଡିଆରଆରରେ ବିଜ୍ଞାନ ଓ ପ୍ରଯୁକ୍ତିର ଭୂମିକା ଉପରେ ଆଲୋଚନା ହେବ । ଏଥିସହ ରାମଚଣ୍ଡୀରେ ନୌକା ଉଦ୍ଧାର କାର୍ଯ୍ୟକଳାପର କ୍ଷେତ୍ର ପରିଦର୍ଶନ କରିବେ ସଦସ୍ୟ । 

ଆହୁରି ପଢନ୍ତୁ- ଜୁଆଙ୍ଗ ଛାତ୍ର ବୈଲୋଚନଙ୍କ ପାଖରେ ପହଞ୍ଚିଲା ପ୍ରଶାସନ, ପାଠପଢା ପାଇଁ ଆର୍ଥିକ ସହାୟତା ଦେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶୃତି

ପୁରୀର ବଳିଆପଣ୍ଡାସ୍ଥିତ ତାଜ୍‌ ହୋଟେଲ ପରିସରରେ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ହୋଟେଲକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆ । ଏହି ସମୟରେ ଟ୍ରାଫିକ, ଭିଆଇପିଙ୍କ ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଟିକିନିଖି ଏସ୍‌ପି ପ୍ରତୀକ ସିଂଙ୍କଠାରୁ ବୁଝିଛନ୍ତି । ବୈଠକ ସମୟରେ ହୋଟେଲ ଚତୁଃପାଶ୍ୱର୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ଏଥିଲାଗି ବରିଷ୍ଠ ଅଧିକାରୀମାନଙ୍କ ସହ ୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ । ସମ୍ମିଳନୀରେ ସାମିଲ ହେବାକୁ ଥିବା ସଦସ୍ୟମାନେ କୋଣାର୍କ ଓ ଚିଲିକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିବାରୁ ସେମାନଙ୍କ ସୁରକ୍ଷାକୁ ପୁଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଡିଜିପିଙ୍କ ସମୀକ୍ଷା ସମୟରେ କେନ୍ଦ୍ରାଞ୍ଚଳ ଆଇଜି ଡ. ସତ୍ୟଜିତ୍‌ ନାୟକ, ଏସପି ପ୍ରତୀକ ସିଂଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସମ୍ମିଳନୀ ନେଇ ପୁରୀ ସହର ପ୍ରସ୍ତୁତ ହୋଇଛି । ସହରର ବିଭିନ୍ନ ସ୍ଥାନରେ ପ୍ରଚାର ପ୍ରସାର ପାଇଁ ବ୍ୟାନର ପୋଷ୍ଟର ଲଗାଯାଇଛି ।

କାହିଁକି ଅଟକିଗଲା ସେକାଳର ଶୂନଗାଡ଼ି କେବଳ ସ୍ମୃତି ହୋଇ ରହିଛି ଆଟଲାସ ସାଇକେଲ