ଭୁବନେଶ୍ୱର ୨୬/୦୫: ଆସନ୍ତା ଜୁନ୍ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ ବ୍ରିକ୍ସ ସମ୍ମିଳନୀ । ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ (ଡିଆର୍ଆର୍ଡବ୍ଲୁଜି)ର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ । ପୁରୀର ଏକ ଘରୋଇ ରିସୋର୍ଟରେ ହେବାକୁ ଥିବା ଏହି ସମ୍ମିଳନୀରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେଯୋଗଦେବା କାର୍ଯ୍ୟକ୍ରମ ରହିଛି । ଉଲ୍ଲେଖଯୋଗ୍ୟ ଯେ, ବ୍ରାଜିଲ୍, ଇଜିପ୍ଟ , ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଓ ଚାଇନା ଭଳି ଦେଶର ପ୍ରତିନିଧିଗଣ ସାମିଲ ହେବେ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଆହୁର କହିଛନ୍ତି ଯେ, ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ଚୟନ କରାଯାଇଥିବାର ପ୍ରଚ୍ଛଦରେ ରହିଛି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ। ବିଶେଷକରି ବାତ୍ୟା ପରିଚାଳନା, ଗୋଷ୍ଠୀ-ଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡିଶା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇ ଆସିଛି।
ଅଧିକ ପଢ଼ନ୍ତୁ :- Cabinet Expansion : ଦିଲ୍ଲୀରେ ମୋହନ- ମନମୋହନ, କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ କହିଲେ ରାଜସ୍ବ ମନ୍ତ୍ରୀ
ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ BRICS ଦେଶମାନଙ୍କ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ-ବିନିମୟ, ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍ପରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ଏହି ପରିପ୍ରେକ୍ଷୀରେ BRICS ରାଷ୍ଟ୍ରସମୂହଙ୍କୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀ ପୁରୀଠାରେ ଅୟୋଜିତ ହେବା। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟସ୍ତରରେ ପ୍ରଚାରିତ କରିବା ସହ ବିଶ୍ବସ୍ତରରେ ଓଡ଼ିଶାର ଛବିକୁ ଆହୁରି ସମୃଦ୍ଧ କରିବ।