ଭୁବନେଶ୍ୱର,୨୬/୦୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଦିଲ୍ଲୀ ଗସ୍ତ ଅଛନ୍ତି । ଉଭୟଙ୍କ ଦିଲ୍ଲୀ ଗସ୍ତ ନେଇ ବିଜେପି ଶିବିରରେ ବିଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ଏବଂ ବୋର୍ଡ ଅଧ୍ୟକ୍ଷ ଚୟନ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବାକୁ ଉଭୟ ଦିଲ୍ଲୀ ଗସ୍ତ କରିଥିବା ଚର୍ଚ୍ଚା ହେଉଛି । ଏହି ଭିତରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। କେବଳ ସମ୍ପ୍ରସାରଣ ବିଷୟ ନୁହେଁ, ତାହା ସହିତ ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଦଳ ଓ ସରକାର ଏହାରି ଭିତରେ ଚୟନ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି। ସମ୍ଭବତଃ ଖୁବଶୀଘ୍ର ଏହା ଶେଷ ହେବ।

ଆସନ୍ତା ଜୁନରୁ ରାଜ୍ୟରେ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ ୨ ବର୍ଷ ପୂରିବ । ଏବେ ବି ୬ଟି ମନ୍ତ୍ରୀ ପଦ ଖାଲି ରହିଛି । ଏହି ପଦ ପୂରଣ ସହ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ଓ ସମ୍ପ୍ରସାରଣ ନେଇ ଗତ କିଛିଦିନ ହେବ ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଏହାସହ ନିଗମ, ବୋର୍ଡ ଆଦିରେ ଦଳୀୟ ନେତାମାନଙ୍କୁ ନିଯୁକ୍ତ କରିବା ନେଇ ଦୀର୍ଘଦିନରୁ ପ୍ରକ୍ରିୟା ଲଟକି ରହିଛି । ଏସବୁ ଦିଗରେ କିଛି ବଡ଼ ନିଷ୍ପତ୍ତି ଖୁବଶୀଘ୍ର ହୋଇପାରେ । ସେଥିପାଇଁ କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କ ସହ ମୋହନ ଓ ମନମୋହନ ଆଲୋଚନା କରିବାକୁ ଦିଲ୍ଲୀ ଯାଇଥିବା ଶୁଣାଯାଉଛି । ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷକ ନୀତିନ ନବୀନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସ୍ବାକ୍ଷାତ କରିଥିବା ସୂଚନା ମିଳିଛି। ଏହି ସମୟ କଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଓଡ଼ିଶା ଫେରିବା ପରେ ଜଣାପଡିବ।

ଅଧିକ ପଢ଼ନ୍ତୁ :-  Debashish Samantaray: ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ; ଦିଲ୍ଲୀରେ ମନମୋହନ ସାମଲଙ୍କ ଉପସ୍ଥିତିରେ ଧରିଲେ ପଦ୍ମ