ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ବଡ ବୟାନ ରଖିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । କହିଛନ୍ତି ଯେ, ବିଶ୍ୱ ବ୍ୟବସ୍ଥାରେ ଆର୍ଥିକ ନୀତି ଗୁଡ଼ିକ ନିରପେକ୍ଷ ଏବଂ ସ୍ୱଚ୍ଛ ହେବା ଉଚିତ। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ନୀତି ଗୁଡ଼ିକ ସମସ୍ତ ଦେଶର ବିକାଶ ଏବଂ ଲାଭ ପାଇଁ ହେବା ଉଚିତ, ଯାହା ଦ୍ଵାରା ସମାନତା ବଜାୟ ରହିବ।
ଜୟଶଙ୍କର ଭର୍ଚୁଆଲ୍ ବ୍ରିକ୍ସ ବୈଠକରେ କହିଛନ୍ତି ଯେ, ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାରେ ନିରପେକ୍ଷ ଏବଂ ସ୍ୱଚ୍ଛତା ରହିବା ଉଚିତ। ବିଶ୍ୱ ସ୍ତରରେ ଆର୍ଥିକ ଆଚରଣର ଉଦ୍ଦେଶ୍ୟ କେବଳ କିଛି ଦେଶର ଲାଭ ହେବା ଉଚିତ୍ ନୁହେଁ, ବରଂ ସମସ୍ତଙ୍କ ପାଇଁ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ବିକାଶ ସୁନିଶ୍ଚିତ କରିବା ଉଚିତ। ବ୍ରାଜିଲ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଡା ସିଲଭାଙ୍କ ଦ୍ୱାରା ଆୟୋଜିତ ଶିଖର ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ, ଭାରତ ବିଶ୍ୱାସ କରେ ଯେ ଅନ୍ତର୍ଜାତୀୟ ବାଣିଜ୍ୟର ପଥ ଖୋଲା, ନିରପେକ୍ଷ, ସ୍ୱଚ୍ଛ ଏବଂ ଅଣ-ପାକ୍ଷିକ ହେବା ଉଚିତ। ଏହି ନିୟମ ଗୁଡ଼ିକୁ ସର୍ବଦା ସୁରକ୍ଷିତ ରଖିବା ଉଚିତ।
ସେ ସମସ୍ତ ଦେଶକୁ "ଗଠନାତ୍ମକ ଏବଂ ସହଯୋଗପୂର୍ଣ୍ଣ" ଆଭିମୁଖ୍ୟ ଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି। ବର୍ତ୍ତମାନ ବିଶ୍ୱ ବାଣିଜ୍ୟକୁ ସ୍ଥାୟୀ କରିବା ଆବଶ୍ୟକ ଯାହା ଦ୍ଵାରା ବିଶ୍ୱ ଅର୍ଥନୀତି ସ୍ଥିର ଭାବରେ ଆଗକୁ ବଢ଼ିପାରିବ। ଜୟଶଙ୍କର ତାଙ୍କ ଅଭିଭାଷଣରେ ଏହା ମଧ୍ୟ କହିଛନ୍ତି ଯେ, ବିଶ୍ୱ ବାଣିଜ୍ୟ ଏବଂ ଜଟିଳ କାରବାରରେ ବୃଦ୍ଧି ପାଉଥିବା ପ୍ରତିବନ୍ଧକ ଦ୍ୱାରା କୌଣସି ଲାଭ ହେବ ନାହିଁ। ସେ ବ୍ରିକ୍ସ ଦେଶଗୁଡ଼ିକୁ ବାଣିଜ୍ୟ ପ୍ରବାହ ସମୀକ୍ଷା କରି ଏକ ଉଦାହରଣ ସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଅଧିକ ପ୍ରତିବନ୍ଧକ କେବଳ ବାଣିଜ୍ୟକୁ କ୍ଷତି ପହଞ୍ଚାଇବ।