ମାଲକାନଗିରି ୧୩/୦୫: ମଦ ନିଶା ହେଲା କାଳ ।  ରାତିରେ ଶୋଇଥିବା ବେଳେ ୩ ଶଳାଙ୍କ ତଣ୍ଟି କାଟି  ହତ୍ୟା କରିଛି ଭିଣୋଇ । ଆନ୍ଧ୍ର ପ୍ରଦେଶ ସିଲେରୁରେ  ଘଟିଛି ଏହି ହତ୍ୟାକାଣ୍ଡ । ମୃତକମାନେ ରାଜୁ ଖେମୁଡ଼ୁ,  କୁଞ୍ଜ ଖେମୁଡ଼ୁ, କ୍ରିଷ୍ଣା ଖେମୁଡ଼ୁ । ଘର ମାଲକାନଗିରି  ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦାରାଗୁଡ଼ା ପଞ୍ଚାୟତ  କୁପାଗୁଡ଼ା ଗାଁରେ । କୁପାଗୁଡ଼ାର ଏହି ତିନି ଭାଇ  ଗତକାଲି ଆନ୍ଧ୍ରପ୍ରଦେଶ ସିଲେରୁସ୍ଥିତ ଭଉଣୀ ଘରକୁ  ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିଲେ ।  ସେଠାରେ କୌଣସି କଥାକୁ ନେଇ ଭିଣୋଇ ଓ  ଶଳାମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସେହି  ଯୁକ୍ତିତର୍କକୁ ନେଇ ଭିଣୋଇ ଘେନୁ ହନ୍ତାଳ ଉତ୍ତ୍ୟକ୍ତ  ହୋଇ ପଡ଼ିଥିଲେ । 

ଗତ ରାତିରେ ଶୋଇଥିବା ସମୟରେ ତିନି ଶଳାଙ୍କ ଉପରେ ଘେନୁ ଆକ୍ରମଣ  କରିଥିଲେ । ୩ ଜଣଙ୍କର ତଣ୍ଟି କାଟି ଦେବାରୁ କ୍ରୀଷ୍ଣା  ଓ କୁଞ୍ଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ରାଜୁ ଗୁରୁତର ହୋଇଥିଲେ । ସେ ବିଶାଖାପାଟଣାରେ ଏକ  ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର  ମୃତ୍ୟୁ ଘଟିଛି । ସ୍ଥାନୀୟ ପୁଲିସ ଘଟଣାସ୍ଥଳକୁ ଯାଇ  ତଦନ୍ତ କରିଛି । ଏହି ଖବର ପ୍ରଚାରିତ ହେବା ପରେ  କୁପାଗୁଡ଼ା ଗାଁରେ ଶୋକର ବାତାବରଣ ଖେଳିଯାଇଛି।