ମାଲକାନଗିରି ୧୩/୦୫: ମଦ ନିଶା ହେଲା କାଳ । ରାତିରେ ଶୋଇଥିବା ବେଳେ ୩ ଶଳାଙ୍କ ତଣ୍ଟି କାଟି ହତ୍ୟା କରିଛି ଭିଣୋଇ । ଆନ୍ଧ୍ର ପ୍ରଦେଶ ସିଲେରୁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକମାନେ ରାଜୁ ଖେମୁଡ଼ୁ, କୁଞ୍ଜ ଖେମୁଡ଼ୁ, କ୍ରିଷ୍ଣା ଖେମୁଡ଼ୁ । ଘର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦାରାଗୁଡ଼ା ପଞ୍ଚାୟତ କୁପାଗୁଡ଼ା ଗାଁରେ । କୁପାଗୁଡ଼ାର ଏହି ତିନି ଭାଇ ଗତକାଲି ଆନ୍ଧ୍ରପ୍ରଦେଶ ସିଲେରୁସ୍ଥିତ ଭଉଣୀ ଘରକୁ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିଲେ । ସେଠାରେ କୌଣସି କଥାକୁ ନେଇ ଭିଣୋଇ ଓ ଶଳାମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସେହି ଯୁକ୍ତିତର୍କକୁ ନେଇ ଭିଣୋଇ ଘେନୁ ହନ୍ତାଳ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ ।
ଗତ ରାତିରେ ଶୋଇଥିବା ସମୟରେ ତିନି ଶଳାଙ୍କ ଉପରେ ଘେନୁ ଆକ୍ରମଣ କରିଥିଲେ । ୩ ଜଣଙ୍କର ତଣ୍ଟି କାଟି ଦେବାରୁ କ୍ରୀଷ୍ଣା ଓ କୁଞ୍ଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ରାଜୁ ଗୁରୁତର ହୋଇଥିଲେ । ସେ ବିଶାଖାପାଟଣାରେ ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି । ଏହି ଖବର ପ୍ରଚାରିତ ହେବା ପରେ କୁପାଗୁଡ଼ା ଗାଁରେ ଶୋକର ବାତାବରଣ ଖେଳିଯାଇଛି।