କଟକ,୦୮/୧୧: ୨୦୨୬  ମସିହା ବାର୍ଷିକ ହାଇସ୍କୁଲ୍‌ ସାର୍ଟିଫିକେଟ୍‌  ପରୀକ୍ଷା (ମାଟ୍ରିକ୍‌) ନିମନ୍ତେ ଫର୍ମ  ପୂରଣ ଚଳିତ ନଭେମ୍ବର ମାସ ୮  ତାରିଖ ଶନିବାରରୁ ଆରମ୍ଭ ହୋଇ ୨୨  ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିସହିତ  ଓଡ଼ିଶା ରାଜ୍ୟ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌  ପରୀକ୍ଷା(ଏସ୍‌ଓଏସ୍‌ସି) ଓ ମଧ୍ୟମା  (ସଂସ୍କୃତ) ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ  ଫର୍ମ ପୂରଣ ୧୨ ତାରିଖରୁ କରାଯିବ ।   

ମାଟ୍ରିକ୍‌ ପରୀକ୍ଷା ପାଇଁ ୪ଟି  ବର୍ଗରେ ଫର୍ମ ପୂରଣ କରାଯିବ । ସ୍କୁଲ୍‌ରେ ରେଗୁଲାର୍‌ ପାଠ ପଢୁଥିବା,  ସ୍କୁଲ୍‌ରେ ଥିବା କ୍ୱାସି ରେଗୁଲାର୍‌ ଓ ସ୍କୁଲ୍‌ର  ଏକ୍ସ ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ଫର୍ମ  ପୂରଣ ଅନ୍‌ଲାଇନ୍‌ରେ ବିଦ୍ୟାଳୟ  ମୁଖ୍ୟଙ୍କ ଦ୍ୱାରା କରାଯିବ । ସେହିପରି  ପତ୍ର ବିନିମୟ ପାଠ୍ୟକ୍ରମ ରେଗୁଲାର୍‌  ଓ ପତ୍ର ବିନିମୟ ପାଠ୍ୟକ୍ରମ ଏକ୍ସ  ରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ  ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପ  ସମ୍ପାଦକଙ୍କ ଦ୍ୱାରା କରାଯିବ । ଫର୍ମ  ପୂରଣର ଶେଷ ସମୟ ୨୨ ତାରିଖ  ରାତି ୧୧ଟା ୪୫ ରଖାଯାଇଛି । ରାଜ୍ୟ  ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା  ୨୦୨୬(ପ୍ରଥମ) ନିମନ୍ତେ ଫର୍ମପୂରଣ  ମଧ୍ୟ ୮ ତାରିଖରୁ ଆରମ୍ଭ ହେଉଛି ।  ଏହି ଫର୍ମପୂରଣ ଅନ୍‌ଲାଇନ୍‌ରେ  କରାଯିବ । ସମସ୍ତ ମୁକ୍ତ ବିଦ୍ୟାଳୟର  ବ୍ଳକ୍‌ ଓ ଜିଲ୍ଲା ଷ୍ଟଡି ସେଣ୍ଟର୍‌ର ମୁଖ୍ୟ  ଏହି ଫର୍ମ ପୂରଣର କାର୍ଯ୍ୟକୁ ନିର୍ଦ୍ଦିଷ୍ଟ  ସମୟରେ ଶେଷ କରାଇବେ ।  ଫର୍ମ ପୂରଣ ପରେ ରୋଲ୍‌ ସିଟ୍‌  ଡାଉନ୍‌ଲୋଡ୍‌ କରି ପ୍ରଧାନ ଶିକ୍ଷକ  ଓ ଶିକ୍ଷୟିତ୍ରୀ ଏହାର ଏକ ନକଲ  ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ  ୨୪ ତାରିଖ ସୁଦ୍ଧା ଦାଖଲ କରିବେ । 

ଏଥିସହିତ ୨୦୨୬ ମସିହା ଦଶମ  ଶ୍ରେଣୀ ମଧ୍ୟମା (ସଂସ୍କୃତ) ପରୀକ୍ଷା  ପାଇଁ ଫର୍ମ ପୂରଣ ଚଳିତ ମାସ ୧୨  ତାରିଖରୁ ଆରମ୍ଭ ହୋଇ ୨୨ରେ  ସରିବ । ଉଭୟ ରେଗୁଲାର୍‌ ଓ  ଏକ୍ସ ରେଗୁଲାର୍‌ ପରୀକ୍ଷାର୍ଥୀ ଏହି  ଫର୍ମ ପୂରଣ କରିବେ । ସଂପୃକ୍ତ  ଟୋଲ୍‌ର ହେଡ୍‌ ପଣ୍ଡିତମାନେ ନିଜ  ଟୋଲ୍‌ର ଡିଆର୍‌ ସିଟ୍‌ ସଂପୃକ୍ତ ଶାଖା  କାର୍ଯ୍ୟାଳୟରୁ ସଂଗ୍ରହ କରି ଫର୍ମ  ପୂରଣ କରିବା ପରେ ସଂପୃକ୍ତ ଶାଖା  କାର୍ଯ୍ୟାଳୟରେ ଦାଖଲ କରିବେ ।  ଏହାର ଶେଷ ଦିନ ଚଳିତ ମାସର ୨୪  ତାରିଖ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା  ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।