କଟକ,୧୯/୦୩: ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ରାଜ୍ୟର  ୧୧ ହଜାର ୮ ଶହ ହାଇସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ  ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି । ୫୧ଟି ମୂଲ୍ୟାୟନ  କେନ୍ଦ୍ରରେ ସବଜେକ୍ଟିଭ୍‌ ଉତ୍ତର ଖାତା କଡ଼ା ସୁରକ୍ଷା ବ୍ୟବସ୍ଥାରେ ପହଞ୍ଚିଛି । ମୂଲ୍ୟାୟନ ବ୍ୟବସ୍ଥାରେ ସ୍ୱଚ୍ଛତା  ବଜାୟ ରଖିବା ଓ ତ୍ରୁଟିଶୂନ୍ୟ କରିବା ଲାଗି ବୋର୍ଡ  କର୍ତ୍ତୃପକ୍ଷ ସୋମବାର ୩୦ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହ  ସମୀକ୍ଷା ବୈଠକ କରିଛନ୍ତି । ଖାତା ଦେଖାରେ ନିୟୋଜିତ  ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ମଙ୍ଗଳବାର ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ  କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଅବହେଳା କଲେ ଜିଲ୍ଲା ଶିକ୍ଷାଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସତର୍କ କରାଇ ଦିଆଯାଇଛି । ମୂଲ୍ୟାୟନ  ବ୍ୟବସ୍ଥାକୁ ନେଇ ମଙ୍ଗଳବାର ଡିଇଓମାନେ ଜିଲ୍ଲା ସ୍ତରରେ  ସମୀକ୍ଷା କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।  

୧୯ ତାରିଖରୁ ଖାତା ଦେଖା ସକାଳ ୯ଟାରୁ  ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ । ପ୍ରାୟ ୧୨ ଦିନ ବ୍ୟାପୀ ମୂଲ୍ୟାୟନ ଚାଲିବ । ଖାତା ଦେଖାରେ ନିୟୋଜିତ ଶିକ୍ଷକ  ଓ ଅନ୍ୟ କର୍ମଚାରୀମାନେ ଏହି ସମୟରେ କେନ୍ଦ୍ର  କ୍ୟାମ୍ପସ୍‌ ବାହାରକୁ ଯାଇପାରିବେ ନାହିଁ । ସେହିପରି କେନ୍ଦ୍ରକୁ ମୋବାଇଲ୍‌ ନେବା ମଧ୍ୟ ବାରଣ ରହିଛି । ଏଥିରେ ଖିଲାପ କଲେ ସମ୍ପୃକ୍ତ ମୂଲ୍ୟାୟନକାରୀଙ୍କ  ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ  ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । 

ଖାତା ଦେଖା  ଲାଗି ଗୋଟିଏ ୟୁନିଟ୍‌ରେ ଜଣେ ଚିଫ୍‌ ଏକଜାମିନର,  ଦୁଇ ଜଣ ଡେପୁଟି ଚିଫ୍‌ ଏକଜାମିନର, ଦୁଇ ଜଣ  ସ୍କୃଟିନାଇଜର, ବୋର୍ଡ ପକ୍ଷରୁ ନିୟୋଜିତ ଜଣେ  କ୍ୟାମ୍ପ ଅଫିସର, ମୂଲ୍ୟାୟନ କେନ୍ଦ୍ର ହୋଇଥିବା  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବା ସୁପରଭାଇଜର ନିୟୋଜିତ ହୋଇଛନ୍ତି । ଏହାବାଦ୍‌ ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୧୦ ଜଣ ମୂଲ୍ୟାୟନକାରୀଙ୍କୁ ରିଜର୍ଭରେ  ରଖାଯାଇଛି । ଆବଶ୍ୟକସ୍ଥଳେ ଡିଇଓମାନେ ଅଧିକ  ଶିକ୍ଷକଙ୍କୁ ଏହି ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ୍‌  କରିପାରିବାର ସୁବିଧା ରହିଥିବା ବୋର୍ଡର ଜଣେ  ଅଧିକାରୀ କହିଛନ୍ତି । ସବଜେକ୍ଟିଭ୍‌ ପ୍ରଶ୍ନରୁ ଜଣେ  ଶିକ୍ଷକଙ୍କୁ କେବଳ ନିର୍ଦ୍ଦିଷ୍ଟ ଗୋଟିଏ ପ୍ରଶ୍ନର ଉତ୍ତର  ମୂଲ୍ୟାୟନ କରିବାର ବ୍ୟବସ୍ଥା ରହିଛି । ଏପରି ସମ୍ପୃକ୍ତ  ଶିକ୍ଷକ ଦିନକୁ ୧୦୦ଟି ପ୍ରଶ୍ନର ଉତ୍ତର ମୂଲ୍ୟାୟନ  କରିବେ ବୋଲି ସୂଚନା ମିଳିଛି । ସେହିପରି ମୂଲ୍ୟାୟନ  ପରେ ପ୍ରତିଦିନ ମାର୍କ ଅପଲୋଡ୍‌ କରାଯିବ । ଏଥିଲାଗି  ବୋର୍ଡ ପକ୍ଷରୁ ୩ ଶହ ଡାଟା ଏଣ୍ଟ୍ରି ଅପରେଟରଙ୍କୁ  ନିୟୋଜିତ କରାଯାଇଛି । 

ମାଟ୍ରିକ୍‌ ପରୀକ୍ଷାର୍ଥୀମାନେ  ୬ଟି ବିଷୟରେ ୬୦୦ ନମ୍ବରରେ ପରୀକ୍ଷା ଦେଇଥିଲେ  ହେଁ ଏଥିରୁ ୫୦ ନମ୍ବର ସବଜେକ୍ଟିଭ୍‌ ଓ ୫୦ ନମ୍ବର ଅବଜେକ୍ଟିଭ୍‌ ପ୍ରଶ୍ନରେ ପରୀକ୍ଷା ଦେଇଥିଲେ । ମାଟ୍ରିକ୍‌  ସହ ଷ୍ଟେଟ୍‌ ଓପନ ସ୍କୁଲ୍‌ ସାର୍ଟିଫିକେଟ୍‌ (ଏସ୍‌ଓଏସ୍‌ସି)  ପରୀକ୍ଷାର ମୂଲ୍ୟାୟନ ମଧ୍ୟ ୧୯ ତାରିଖରୁ ହେବ।