ଭୁବନେଶ୍ୱର,୧୩/୦୬: କନ୍ଧମାଳ ଜଙ୍ଗଲରେ ଏକ ବଡ଼ ମାଓ ଆକ୍ରମଣକୁ ରୋକିପାରିଛି ବିଏସ୍ଏଫ୍ । ଏକ ସ୍ୱତନ୍ତ୍ର କମ୍ବିଂ ଅପରେସନ ବେଳେ କନ୍ଧମାଳ ବାଲିଗୁଡ଼ା ଥାନା ଅଧୀନ ଖମନଖୋଲ ନିକଟ ଜଙ୍ଗଲରୁ ବିପୁଳମାତ୍ରାରେ ବିସ୍ଫୋରକ ଜବତ କରିଛି । କିନ୍ତୁ ମାଓବାଦୀଙ୍କ କୌଣସି ସନ୍ଧାନ ମିଳି ନାହିଁ । କିଛି ବିସ୍ଫୋରକରେ ଆଲୁମିନିୟମ ପେପର ଗୁଡ଼ା ହୋଇଥିବାରୁ ମାଓବାଦୀମାନେ ଆକ୍ରମଣ ପାଇଁ ସଜାଗ ଥିବା ସନ୍ଦେହ କରାଯାଉଛି ।
ବିଏସ୍ଏଫ ଆଇଜି ଅବତାର ସିଂ ସାହିଙ୍କ ସୂଚନା ମୁତାବକ, ଉକ୍ତ ଜଙ୍ଗଲ ଓ ପାହାଡ଼ ଇଲାକାରେ ମାଓ ଉପଦ୍ରବ ବଢ଼ିଥିବା ନେଇ ସୂଚନା ମିଳିଥିଲା । ବିଏସ୍ଏଫ୍ ୧୩୬ ବାଟାଲିୟନ ଯବାନମାନେ ସେହି ଇଲାକାରେ ସ୍ୱତନ୍ତ୍ର କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଗୁରୁବାର ଭୋର୍ ସମୟରେ କିଛି ଯବାନ ଏକ ପଥରରେ ଧଳା ରଙ୍ଗ ଲାଗିଥିବାର ଦେଖିଥିଲେ । ପଥର ଘେରରେ ଲୁଚାଯାଇଥିବା କିଛି ରୋଷେଇ ଉପକରଣ ଦେଖି ଯବାନମାନଙ୍କ ସନ୍ଦେହ ଉପୁଜିଥିଲା । ସେଠାକାର ଆଖପାଖ ଇଲାକା ଖୋଜିବାରୁ ଏସବୁ ବିସ୍ଫୋରକ ମାଟି ତଳେ ପୋତା ହୋଇଥିବା ଦେଖିବାକୁ ମିଳିଥିଲା ।
ବିଏସ୍ଏଫ୍ ପକ୍ଷରୁ ୮ଟି ଡେଟୋନେଟର, ଆଲୁମିନିୟମ ପେପରରେ ରୋଲ୍ ହୋଇଥିବା ୯ଟି ବିସ୍ଫୋରକ, ଗୋଟିଏ ପାୱାର ବ୍ୟାଙ୍କ, ୧୦ ମିଟର କେବୁଲ୍, ୨ଟି ୧୨ ଭୋଲ୍ଟ ବ୍ୟାଟେରୀ, ଗୋଟିଏ ଟିଫିନ୍, ଗୋଟିଏ ଜୋତା ଜବତ କରାଯାଇଛି । ଏସବୁ ବିସ୍ଫୋରକ ଓ ଅନ୍ୟାନ୍ୟ ମାରାତ୍ମକ ସାମଗ୍ରୀକୁ ବାଲିଗୁଡ଼ା ଥାନାକୁ ହସ୍ତାନ୍ତର କରାଯାଇଛି । ଏହି ବିସ୍ଫୋରକ ମିଳିବା ପରେ ମାଓବାଦୀମାନେ ଉକ୍ତ ଜଙ୍ଗଲରେ ସକ୍ରିୟ ଥିବା ଅନୁମାନ କରାଯାଉଛି । ଯାହାଫଳରେ ସ୍ଥାନୀୟ ବାସିନ୍ଦା ଓ ବିଏସ୍ଏଫ୍ ଯବାନ ଉପରେ ମାଓ ହମ୍ଲାର ଆଶଙ୍କା ବଢ଼ିଛି । ଉକ୍ତ ଇଲାକାରେ ସନ୍ଧାନ ଅପରେସନ ଜାରି ରହିଛି । ଏହାସହ କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ମୁତୟନ ଥିବା ବିଏସ୍ଏଫ୍ ଯବାନମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।