ରାଷ୍ଟ୍ରୀୟ ବଜେଟ୍‌ ୨୦୨୫-୨୬ରେ କୃଷି,  ଏମ୍‌ଏସ୍‌ଏମ୍‌ଇ, ଶିକ୍ଷା ଏବଂ ଭିତ୍ତିଭୂମି  ଭଳି ପ୍ରମୁଖ କ୍ଷେତ୍ରଗୁଡିକରେ ପୁଞ୍ଜି  ବିନିଯୋଗ ଦିଗରେ ପର୍ଯ୍ୟାପ୍ତ ଅଭିବୃଦ୍ଧି  ପରିଲକ୍ଷିତ ହୋଇଛି । ବିଶେଷକରି  ମଧ୍ୟବିତ୍ତ ଶ୍ରେଣୀର ଖର୍ଚ୍ଚ ଶକ୍ତି ବୃଦ୍ଧି ଏବଂ  ଉଦ୍ୟୋଗିତା ବୃଦ୍ଧି ଉପରେ ଗୁରୁତ୍ୱ  ଦେଇ ଏହି ବଜେଟ୍‌ ଆଗାମୀ ବର୍ଷରେ  ଭାରତର ଅର୍ଥନୈତିକ ବିକାଶ ଦିଗରେ  ମାର୍ଗଦର୍ଶକ ହେବ ।

ରାଷ୍ଟ୍ରୀୟ ବଜେଟ୍‌ ୨୦୨୫-୨୬ ମୁଖ୍ୟତଃ  ଆତ୍ମନିର୍ଭର ଭାରତ ତଥା ବିକଶିତ ଭାରତ  ୨୦୪୭ର ଲକ୍ଷ୍ୟକୁ ଧ୍ୟାନ ଦେଇ ପ୍ରସ୍ତୁତ କରାଯାଇଛି। ଏହି ସଂସ୍କାରଧର୍ମୀ ବଜେଟ୍‌ର ଚାରିଟି ପ୍ରମୁଖ ଇଞ୍ଜିନ  ଯଥା: କୃଷି, ଏମ୍‌ଏସ୍‌ଏମ୍‌ଇ, ବିନିଯୋଗ ଏବଂ ରପ୍ତାନି  ଅଟେ । ଏହି ବଜେଟ୍‌ ବିଶେଷ ଭାବରେ ଉଲ୍ଲେଖନୀୟ,  କାରଣ ଏହା ଭାରତର ମଧ୍ୟବିତ୍ତ ଶ୍ରେଣୀର ଖର୍ଚ୍ଚ ଶକ୍ତି  ବୃଦ୍ଧି କରିବା, ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ  ବୃଦ୍ଧି କରିବା ଏବଂ ପରିବାରର ସର୍ବାଙ୍ଗୀନ  ଉନ୍ନତିକୁ ଗୁରୁତ୍ୱ ଦେଇଅଛି ।

ଏହି ବଜେଟରେ ଟ.୩୯.୪ ଲକ୍ଷ କୋଟି  ରାଜସ୍ୱ ବ୍ୟୟ ଆକଳନ କରାଯାଇଛି, ଯାହାକି  ୨୦୨୪-୨୫ ପାଇଁ ସଂଶୋଧିତ ଆକଳନ ଅପେକ୍ଷା  ଟ.୩୭ ଲକ୍ଷ କୋଟିରୁ ଅଧିକ । ଏହା ବିଭିନ୍ନ  ବିକାଶମୂଳକ ପଦକ୍ଷେପକୁ ସମର୍ଥନ କରିବାକୁ  ଲକ୍ଷ୍ୟ ରଖାଯାଇଥିବା ସୂଚିତ କରେ। ଏଥିରେ  ଆର୍ଥିକ ନିଅଣ୍ଟ ଜିଡିପିର ୪.୪%କୁ ହ୍ରାସ ପାଇବାର  ଆକଳନ କରାଯାଇଛି, ଯାହା ପୂର୍ବବର୍ଷର ଆକଳନ ସହିତ  କମ୍‌ ଅଟେ । ଏହା ବିଶ୍ୱସ୍ତରରେ ସମ୍ପ୍ରତି ଦେଖାଯାଉଥିବା  ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଆମର ସଫଳ ଆର୍ଥିକ  ପରିଚାଳନାକୁ ପ୍ରତିଫଳିତ କରିଥାଏ । 

ଏହି ବଜେଟ୍‌ ପ୍ରତିରକ୍ଷା, ଗ୍ରାମୀଣ ବିକାଶ  ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ପ୍ରମୁଖ ଗୁରୁତ୍ୱ  ଦେଇଆସିଛି । ପୂର୍ବବର୍ଷ ତୁଳନାରେ ପ୍ରତିରକ୍ଷା  କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି (୨୬.୬୬%) ଘଟି  ଟ.୪,୯୧,୭୩୨ କୋଟି ସହିତ ଅଗ୍ରଣୀ ରହିଛି । ଗ୍ରାମୀଣ  ବିକାଶ ପାଇଁ ଟ.୨,୬୬,୮୧୭ କୋଟି (୧୪.୪୬%),  ଆଭ୍ୟନ୍ତରୀଣ ସୁରକ୍ଷାକୁ ଗୁରୁତ୍ୱ ପାଇଁ ଟ.୨,୩୩,୨୧୧  କୋଟି (୧୨.୬୪ ଧ)କୁ ବୃଦ୍ଧି କରାଯାଇଛି । କୃଷି ଏବଂ  ଆନୁସଙ୍ଗିକ କାର୍ଯ୍ୟକଳାପ ପାଇଁ ଟ.୧,୭୧,୪୩୭ କୋଟି  (୯.୨୯ ଧ) ବୃଦ୍ଧି କରାଯାଇଛି, ଯାହା କୃଷି ଅର୍ଥନୀତି  ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ । 

ଶିକ୍ଷା (ଟ.୧,୨୮,୬୫୦ କୋଟି, ୬.୯୭%) ଏବଂ  ସ୍ୱାସ୍ଥ୍ୟ (ଟ. ୯୮,୩୧୧ କୋଟି, ୫.୩୩%) ସାମାନ୍ୟ  ବୃଦ୍ଧିପାଇଛି, ଯଦିଓ ସେମାନଙ୍କ ଅଂଶଧନ ଅପେକ୍ଷାକୃତ  କମ୍‌ ରହିଛି । ସହରୀ ବିକାଶ (ଟ.୯୬,୭୭୭ କୋଟି,  ୫.୨୫%) ଏବଂ ଆଇଟି ଆଣ୍ଡ ଟେଲିକମ୍‌ (ଟ.୯୫,୨୯୮  କୋଟି, ୫.୧୭%) ନିରନ୍ତନ ପୁଞ୍ଜି ବିନିଯୋଗ ଜାରି  ରହିଛି । ଶକ୍ତି (ଟ.୮୧,୧୭୪ କୋଟି, ୪.୪୦%)  ଏବଂ ବାଣିଜ୍ୟ ଏବଂ ଶିଳ୍ପ (ଟ.୬୫,୫୫୩ କୋଟି,  ୩.୫୫%) ଅଭିବୃଦ୍ଧି ଉପରେ ଧ୍ୟାନ ଦେଉଥିବାବେଳେ  ସାମାଜିକ କଲ୍ୟାଣ (ଟ.୬୦,୦୫୨ କୋଟି, ୩.୨୬%)  ଏବଂ ବୈଜ୍ଞାନିକ ଗବେଷଣା (ଟ.୫୫,୬୭୯ କୋଟି,  ୩.୦୨%) ନିଶ୍ଚିତ ହୋଇଛି । 

କୃଷି ଏବଂ ଅନୁସଙ୍ଗିକ କାର୍ଯ୍ୟକଳାପ ପାଇଁ  ଆବଣ୍ଟନ ଗତବର୍ଷ ଟ.୧,୫୨ ଲକ୍ଷ କୋଟିରୁ ଚଳିତ ବର୍ଷ  ଟ.୧,୭୧,୪୩୭ କୋଟିକୁ ବୃଦ୍ଧିପାଇବା ଉଲ୍ଲେଖଯୋଗ୍ୟ ।  ଏହି ମହତ୍ତ୍ୱପୂର୍ଣ୍ଣ ବୃଦ୍ଧି, ଜାତୀୟ ବିକାଶ ତଥା ଖାଦ୍ୟ  ନିରାପତ୍ତା ପାଇଁ କୃଷିକୁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଭାବରେ  ସରକାରଙ୍କ ସ୍ୱୀକୃତି ପ୍ରଦାନ କରୁଛି । କୃଷି ଉତ୍ପାଦକତା  ବୃଦ୍ଧି ଏବଂ ଜଳବାୟୁ-ପ୍ରତିରୋଧକ ମଞ୍ଜି ବିକାଶ ପାଇଁ  ଜାତୀୟ ମିଶନ ଉପରେ କୃଷକମାନଙ୍କୁ ସହାୟତା କରିବା  ପାଇଁ ଅନେକ ପଦକ୍ଷେପ ପ୍ରବର୍ତ୍ତିତ ହୋଇଛି, ଯାହା  କୀଟନାଶକ ପ୍ରତିରୋଧକ ଏବଂ ଫସଲ ଅମଳର ଉନ୍ନତି  କରିବାରେ ସକ୍ଷମ । ଉଚ୍ଚମାନର ବିହନ ଉତ୍ପାଦନ ଉପରେ  ଧ୍ୟାନଦେଇ ସରକାର ଖାଦ୍ୟ ସୁରକ୍ଷା ଏବଂ କୃଷକଙ୍କ  ଆୟ ବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି । ଉତ୍ପାଦନ,  ପ୍ରକ୍ରିୟାକରଣ, ମାର୍କେଟିଂ ଏବଂ ମୂଲ୍ୟ ଯୋଗରେ ଉନ୍ନତି  କରି କୃଷି ଜିଲ୍ଲାଗୁଡ଼ିକର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଧନ- ଧାନ କୃଷ୍ଣ ଯୋଜନା ଘୋଷଣା କରିଛନ୍ତି । ଏହା ୧୦୦ଟି  ଜିଲ୍ଲାକୁ ଲକ୍ଷ୍ୟକରି ଏହା ପ୍ରାୟ ୧.୭କୋଟି ଚାଷୀଙ୍କୁ  ଉପକୃତ କରିବ ବୋଲି ଆଶା କରାଯାଉଛି । 

କିଷାନ  କ୍ରେଡିଟ୍‌ କାର୍ଡ (କେସିସି) ଯୋଜନା ଅନ୍ତର୍ଗତ ଚାଷୀଙ୍କ  ପାଇଁ ଋଣ ସୀମାକୁ ଟ.୫ ଲକ୍ଷକୁ ବୃଦ୍ଧି କରିବାର ବ୍ୟବସ୍ଥା  ରହିଛି । ଏହି ପଦକ୍ଷେପ କୃଷକ, ମତ୍ସ୍ୟଜୀବୀ ଏବଂ  ଦୁଗ୍‌ଧ ଚାଷୀଙ୍କ ପାଇଁ ସ୍ୱଳ୍ପମିଆଦି ଋଣକୁ ସୁଗମ କରିବ,  ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଭାର ହ୍ରାସ ହେବ । ବିରି,  ହରଡ଼, ଏବଂ ମସୁର ଭଳି ଡାଲି ଉପରେ ଧ୍ୟାନଦେଇ  ଡାଲିରେ ଆତ୍ମନିର୍ଭର ମିଶନ ଆରମ୍ଭ କରାଯାଇଛି । ଏହି  ପଦକ୍ଷେପ କୃଷକମାନଙ୍କ ପାଇଁ ଉତ୍ତମ ମୂଲ୍ୟକୁ ସୁନିଶ୍ଚିତ  କରିବା ପାଇଁ ଜଳବାୟୁ-ସ୍ଥାୟୀ ମଞ୍ଜିଗୁଡିକର ବିକାଶ  ଏବଂ ଅମଳ ପରବର୍ତ୍ତୀ ପରିଚାଳନାରେ ଉନ୍ନତି ଆଣିବା  ଉପରେ ଗୁରୁତ୍ୱ ଦେଇଛି । ଏହାସହିତ ବିମାନ କାର୍ଗୋ  ପାଇଁ ଉନ୍ନତ ଗୋଦାମ ସୁବିଧା, ଉଚ୍ଚ-ମୂଲ୍ୟର ନଷ୍ଟଶୀଳ  ସାମଗ୍ରୀ ପାଇଁ ଭିତ୍ତିଭୂମିକୁ ଉନ୍ନତ କରିବା ଦିଗରେ  ବ୍ୟବସ୍ଥା କରାଯାଉଛି । 

ସିଧାସଳଖ କୃଷି ସହାୟତା ସହିତ, ବଜେଟରେ  ଗ୍ରାମୀଣ ଭିତ୍ତିଭୂମି ତଥା ସେବା, ଯେପରିକି ଗ୍ରାମୀଣ  ସମ୍ପ୍ରଦାୟର ହବ୍‌ ଭଳି ଗ୍ରାମାଞ୍ଚଳର ମାଇକ୍ରା ଉଦ୍ୟାଗଗୁଡିକୁ ଋଣ ପ୍ରବେଶ, ବୀମା ଏବଂ ଡିଜିଟାଲ୍‌  ସେବା ତଥା ବର୍ଦ୍ଧିତ ପାଇଁ ବୀମା ଯୋଜନା ଭଳି ସେବା  ଯୋଗାଇବା ପାଇଁ ଲକ୍ଷ୍ୟ ରହିଛି । 

ଗତବର୍ଷର ବଜେଟ୍‌ ତୁଳନାରେ ବର୍ତ୍ତମାନର  ବଜେଟ୍‌, କୃଷି ଏବଂ ଗ୍ରାମୀଣ ବିକାଶକୁ ପ୍ରାଥମିକତା  ଦେଇଛି । ଆର୍ଥିକ ବୃଦ୍ଧି କେବଳ କୃଷକମାନେ  ସମ୍ମୁଖୀନ ହେଉଥିବା ଆହ୍ୱାନର ଏକ ସ୍ୱୀକୃତିକୁ ସୂଚିତ  କରେନାହିଁ ବରଂ ଉନ୍ନତ ଉତ୍ସ ଏବଂ ସହାୟତା ପ୍ରଣାଳୀ  ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି ।  କୃଷିକ୍ଷେତ୍ରରେ ଜଳବାୟୁ ସ୍ଥିରତା ଉପରେ ସରକାରଙ୍କ  ଧ୍ୟାନ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା  ପରିବେଶ ଆହ୍ୱାନର ମୁକାବିଲା ପାଇଁ ଏକ ସକ୍ରିୟ  ଆଭିମୁଖ୍ୟ ସୂଚାଉଛି । ଏହି ବଜେଟରେ, ଭାରତର ରପ୍ତାନି କ୍ଷମତା  ବୃଦ୍ଧି କରିବା ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳ ସହିତ  ସମନ୍ୱିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ  କରାଯାଇଛି । ଏହାର ଏକ ପ୍ରମୁଖ ଉପାଦାନ ହେଉଛି  ରପ୍ତାନି ପ୍ରୋତ୍ସାହନ ମିଶନ, ଯାହା ରପ୍ତାନି କ୍ରେଡିଟ୍‌  ଏବଂ ସୀମାପାର ଫ୍ୟାକ୍ଟରିଂ ସମର୍ଥନକୁ ସୁଗମ କରିବା  ପାଇଁ କ୍ଷେତ୍ରୀୟ ଏବଂ ମନ୍ତ୍ରୀସ୍ତରୀୟ ଲକ୍ଷ୍ୟ ରଖାଯାଇଛି ।  

ଏହି ମିଶନର ଲକ୍ଷ୍ୟ ହେଉଛି, ଏହି ଉଦ୍ୟୋଗଗୁଡ଼ିକୁ  ଅନ୍ତର୍ଜାତୀୟ ବଜାରରେ ଅଣ-ଶୁଳ୍କ ପଦକ୍ଷେପଗୁଡ଼ିକୁ  ନେଭିଗେଟ୍‌ କରିବାରେ ସାହାଯ୍ୟ କରିବା, ଯାହାଦ୍ୱାରା  ସେମାନଙ୍କର ପ୍ରତିଯୋଗିତା ବୃଦ୍ଧିପାଇବ । ଆଉ ଏକ  ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି, ଭାରତ ବାଣିଜ୍ୟ ନେଟ୍‌  ପ୍ରତିଷ୍ଠା, ଏକ ଡିଜିଟାଲ୍‌ ସାର୍ବଜନୀନ ଭିତ୍ତିଭୂମି ଯାହା  ବାଣିଜ୍ୟ ଡକ୍ୟୁମେଣ୍ଟେସନ୍‌ ଏବଂ ଆର୍ଥିକ ସମାଧାନ ପାଇଁ  ଏକୀକୃତ ପ୍ଲାଟଫର୍ମ ଭାବରେ ଡିଜାଇନ୍‌ କରାଯାଇଛି,  ଯାହା ସୁଗମ ଅନ୍ତର୍ଜାତୀୟ ବାଣିଜ୍ୟ କାର୍ଯ୍ୟକୁ ସହଜ  କରିବ । ଏହା ସହିତ ନ୍ୟାସନାଲ୍‌ ଫ୍ରେମୱାର୍କ ଫର  ଗ୍ଲୋବାଲ୍‌ କ୍ୟାପାବିଲିଟି ସେଣ୍ଟର ଉଦୀୟମାନ ସ୍ତର ଦୁଇ  ସହରରେ ଏହାକୁ ପ୍ରୋତ୍ସାହିତ କରିବାରେ ରାଜ୍ୟଗୁଡ଼ିକୁ  ମାର୍ଗଦର୍ଶନ କରିବ । ସାମୂହିକ ଭାବରେ ଏହି  ପଦକ୍ଷେପଗୁଡ଼ିକ ବିଶ୍ୱ ବାଣିଜ୍ୟରେ ଭାରତର ସ୍ଥିତିକୁ  ମଜବୁତ କରିବା ସହିତ ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼  କରିବ । ବୀମା କ୍ଷେତ୍ର ପାଇଁ ପ୍ରତ୍ୟକ୍ଷ ବିଦେଶୀ ନିବେଶ  ସୀମା ୭୪ ରୁ ୧୦୦ ପ୍ରତିଶତକୁ ବୃଦ୍ଧି ହେବ ଓ ଏହି ବଜେଟର ଏକ ଉଲ୍ଲେଖନୀୟ ଘୋଷଣା । 

ଉଦ୍ୟମ ପୋର୍ଟାଲରେ ପଞ୍ଜୀକୃତ ମାଇକ୍ରୋ  ଉଦ୍ୟୋଗଗୁଡ଼ିକ ପାଇଁ କଷ୍ଟୋମାଇଜ୍‌ କ୍ରେଡିଟ୍‌ କାର୍ଡ  ସହିତ ଏମ୍‌ଏସ୍‌ଏମ୍‌ଇ ପାଇଁ ସଂଶୋଧିତ ବର୍ଗୀକରଣ  ମାନଦଣ୍ଡ ପ୍ରବର୍ତ୍ତିତ ହୋଇଛି । ବଜେଟରେ ପୁଞ୍ଜି ବ୍ୟୟ  ପାଇଁ ରାଜ୍ୟମାନଙ୍କୁ ଟ.୧.୫ ଲକ୍ଷ କୋଟି ସୁଧମୁକ୍ତ  ଋଣ ଆବଣ୍ଟନ କରାଯାଇଛି, ଯାହା ଭିତ୍ତିଭୂମି ବିକାଶକୁ  ବୃଦ୍ଧି କରିବାରେ ଲକ୍ଷ୍ୟ ସମର୍ଥ ହେବ । ଗତବର୍ଷର  ଏମଏସଏମଇ’ରେ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ  ପାଞ୍ଚକୋଟି କ୍ରେଡିଟ୍‌ ଗ୍ୟାରେଣ୍ଟି କଭର ବ୍ୟବସ୍ଥା  କରାଯାଇଥିଲା । ସାମ୍ପ୍ରତିକ ବଜେଟ୍‌ରେ ‘ଗ୍ରାମୀଣ  କ୍ରେଡିଟ୍‌ ସ୍କୋର' ଢାଞ୍ଚାରେ ଏସଏଚଜି ସଦସ୍ୟ ଏବଂ  ଗ୍ରାମାଞ୍ଚଳର ଲୋକଙ୍କ ଋଣ ଆବଶ୍ୟକତାକୁ ଯଥେଷ୍ଟ  ବିସ୍ତାର କରାଯାଇଛି, ଯାହା ଉଦ୍ୟୋଗୀମାନଙ୍କ ପ୍ରତି ଏକ  ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ । 

ମାନବ ସମ୍ବଳ ବିକାଶ, ବିଶେଷକରି ଶିକ୍ଷା ଏବଂ  ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଅନେକ  ପଦକ୍ଷେପ ଗ୍ରହଣ କରିଛନ୍ତି । ସକ୍ଷମ ଅଙ୍ଗନବାଡି  ଏବଂ ପାଶନ ୨.୦ ପଦକ୍ଷେପ ଗ୍ରାମାଞ୍ଚଳରେ ପୁଷ୍ଟିକର  ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ଫଳାଫଳକୁ ସୁଦୃଢ଼ କରିବା ପାଇଁ  ଯଥେଷ୍ଟ ଅର୍ଥର ପ୍ରାବଧାନ କରାଯାଇଛି । ଶିକ୍ଷାଗତ  ଭିତ୍ତିଭୂମି ଦୃଷ୍ଟିରୁ ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ସରକାରୀ  ବିଦ୍ୟାଳୟରେ ୫୦ହଜାର ଅଟଳ ଟିଙ୍କରିଂ ଲ୍ୟାବ  ପ୍ରତିଷ୍ଠା ମାଧ୍ୟମରେ ସମଗ୍ର ଭାରତରେ ଯୁବକମାନଙ୍କ  ପାଇଁ ଏସଟିଇଏମ ଶିକ୍ଷାରେ ବୈପ୍ଳବିକ ପରିବର୍ତ୍ତନ  କରାଯାଇଛି । 

ଗ୍ରାମାଞ୍ଚଳର ସମସ୍ତ ସରକାରୀ ମାଧ୍ୟମିକ  ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ରଡବ୍ୟାଣ୍ଡ  ସଂଯୋଗ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ଏହି ବଜେଟର ମୂଳଦୁଆ ହିସାବରେ ଭିତ୍ତିଭୂମି  ପାଇଁ ସହରାଞ୍ଚଳ ଚ୍ୟାଲେଞ୍ଜ ପାଣ୍ଠି ଅଧୀନରେ  ସହରଗୁଡିକର ଅଭିବୃଦ୍ଧି କେନ୍ଦ୍ର ପାଇଁ ଟ.୧ ଲକ୍ଷ  କୋଟି ବ୍ୟବସ୍ଥା କରାଯାଇଛି, ଏହା ସହିତ ଜଳ  ଜୀବନ ମିଶନ ଅଧୀନରେ ୨୦୨୮ ସୁଦ୍ଧା ୧୦୦  ପ୍ରତିଶତ କଭରେଜ୍‌ ପାଇଁ ଲକ୍ଷ୍ୟ ରଖାଯାଇଛି ।  ତୁଳନାତ୍ମକ ଭାବରେ ଗତବର୍ଷର ଭିତ୍ତିଭୂମି ଖର୍ଚ୍ଚ  ଟ.୧.୨ଲକ୍ଷ କୋଟିରେ ଧାର୍ଯ୍ୟ କରାଯାଇଥିଲା । ଏହି  ବର୍ଷର ବୃଦ୍ଧି ସହରୀ ବିକାଶ ଏବଂ ସ୍ଥିରତା ପ୍ରତି ଏକ  ଉଚ୍ଚାଭିଳାଷୀ ଆଭିମୁଖ୍ୟ ପ୍ରତିଫଳିତ କରେ । 

ସିଧାସଳଖ କରରେ ଉଲ୍ଲେଖନୀୟ ପରିବର୍ତ୍ତନ  ପ୍ରସ୍ତାବିତ ହୋଇଛି, ବିଶେଷକରି ଏହା ମଧ୍ୟବିତ୍ତ  କରଦାତାମାନଙ୍କ ପାଇଁ ଉଦ୍ଦିଷ୍ଟ । ବରିଷ୍ଠ ନାଗରିକଙ୍କ  ପାଇଁ ବ୍ୟକ୍ତିଗତ ଆୟକର ରିହାତି ସୀମା ଟ.୫୦,୦୦୦ରୁ  ଟ.୧ ଲକ୍ଷକୁ ବୃଦ୍ଧି ପାଇଛି । ଅଧିକନ୍ତୁ, ଟିକସଦାତାମାନେ ବର୍ତ୍ତମାନ ବିନା ସର୍ତ୍ତରେ ଦୁଇଟି ସ୍ୱ-ଅଧିକୃତ ସମ୍ପତ୍ତିର  ବାର୍ଷିକ ମୂଲ୍ୟ ଦାବି କରିପାରିବେ । ବଜେଟରେ ଏକ  ସରଳୀକୃତ ଟିକସ ବ୍ୟବସ୍ଥା ମଧ୍ୟ ପ୍ରବର୍ତ୍ତିତ ହୋଇଛି,  ଯାହା ଟିକସଦାତାଙ୍କ ମଧ୍ୟରେ ସ୍ୱେଚ୍ଛାକୃତ ଅନୁପାଳନକୁ  ପ୍ରୋତ୍ସାହିତ କରୁଥିବାବେଳେ ଛୋଟ ବ୍ୟବସାୟ ଉପରେ ଅନୁପାଳନ ଭାର ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି । 

ରାଷ୍ଟ୍ରୀୟ ବଜେଟ୍‌ ୨୦୨୫-୨୬ରେ କୃଷି,  ଏମ୍‌ଏସ୍‌ଏମ୍‌ଇ, ଶିକ୍ଷା ଏବଂ ଭିତ୍ତିଭୂମି ଭଳି ପ୍ରମୁଖ  କ୍ଷେତ୍ରଗୁଡିକରେ ପୁଞ୍ଜି ବିନିଯୋଗ ଦିଗରେ ପର୍ଯ୍ୟାପ୍ତ  ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ବିଶେଷକରି ମଧ୍ୟବିତ୍ତ  ଶ୍ରେଣୀର ଖର୍ଚ୍ଚ ଶକ୍ତି ବୃଦ୍ଧି ଏବଂ ଉଦ୍ୟୋଗିତା ବୃଦ୍ଧି  ଉପରେ ଗୁରୁତ୍ୱ ଦେଇ ଏହି ବଜେଟ୍‌ ଆଗାମୀ ବର୍ଷରେ  ଭାରତର ଅର୍ଥନୈତିକ ବିକାଶ ଦିଗରେ ମାର୍ଗଦର୍ଶକ  ହେବ । ଏହି ପଦକ୍ଷେପଗୁଡ଼ିକର ସଫଳ ରୂପାୟନ  ଦ୍ୱାରା ଆମେ ସମସ୍ତେ ଆଗକୁ ବଢ଼ିବା ସହିତ ୨୦୪୭  ସୁଦ୍ଧା ଏକ ବିକଶିତ ଭାରତର ଆକାଂକ୍ଷାକୁ ସଫଳ  କରିବାରେ ବ୍ରତୀ ହୋଇପାରିବା ।