ମାଲକାନଗିରି,୧୧/୧୧: ରକ୍ଷଣଶୀଳ ପୁରୁଷ ସମାଜରେ ନାରୀ ବି କିଛି କମ୍‌ ନୁହେଁ । ଇଛାଶକ୍ତି ଥିଲେ ସବୁକିଛି ଅସାଧ୍ୟ କାମକୁ ବି ସେ ସାଧନ  କରିପାରେ । ଏକଥାକୁ ପ୍ରମାଣକରି ଦେଖାଇଛନ୍ତି ବୁଲେଟ୍‌ ରାଣୀ ସ୍ନେହାଲ୍‌ ୱଙ୍ଖାଡେ(୩୪) । ମହାରାଷ୍ଟ୍ର  ନାଗପୁରରୁ ଏକ ବୁଲେଟ୍‌ରେ ଦୁର୍ଗମ ବଣ୍ଡାଘାଟିରେ ପହଞ୍ଚିଛନ୍ତି । ବଣ୍ଡା ମହିଳା, ଗ୍ରାମବାସୀଙ୍କ ସହ  ଦୁଇଦିନ ବିତାଇଛନ୍ତି । ଚିତ୍ରକୋଣ୍ଡା ଓ ମାଲକାନଗିରି ଦେଇ ଛତିଶଗଡ ସୁକ୍‌ମା ହୋଇ ଶନିବାର ନାଗପୁର  ଫେରିଛନ୍ତି । ମାଲକାନଗିରି ଆସିଥିବା ବେଳେ  ଆମ ପ୍ରତିନିଧି ରତ୍ନାକର ଦାଶ ତାଙ୍କୁ ଭେଟିଥିଲେ ।  

ରୋମାଞ୍ଚକର ବାଇକ୍‌ ଯାତ୍ରା ଏବଂ ଅନଭୂତି ସଂପର୍କରେ ପଚାରିବାରୁ ସ୍ନେହାଲ୍‌ କହିଥିଲେ,  ଭାରତର ବିଭିନ୍ନ ରାଜ୍ୟର ଆଦିବାସୀ ସଂସ୍କୃତି ଜାଣିବା, ପ୍ରକୃତି ପ୍ରତି ଆଗ୍ରହ ଥିବାରୁ ମହାରାଷ୍ଟ୍ରରୁ ବଣ୍ଡାଘାଟିର ମୁଦୁଲିପଡା ଆସିଥିଲେ । ସ୍ୱାମୀ ନିକେସ  ଜିଲ୍‌ଥେ ଜଣେ ସାମ୍ବାଦିକ ହୋଇଥିବାରୁ ତାଙ୍କ  ପ୍ରେରଣା ରହିଛି । ସେ( ସ୍ନେହାଲ୍‌) ନାଗପୁରର  ଏକ ଘରୋଇ ବ୍ୟାଙ୍କରେ ବରିଷ୍ଠ ମ୍ୟାନେଜର  ଭାବେ କାମ କରୁଛନ୍ତି । ବିଭିନ୍ନ ରାଜ୍ୟର ଆଦିବାସୀ  ଚାଲିଚଲଣି ଦେଖିବା ପାଇଁ ଏକାକୀ ବୁଲେଟ୍‌  ଡ୍ରାଇଭ୍‌ କରୁଛନ୍ତି । ଓଡିଶାକୁ ସେ କେବେ ଆସି  ନଥିଲେ । ଏଠାକାର ଆଦିବାସୀ ସଂସ୍କୃତି ପରମ୍ପରା  ଜାଣିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା ।  

ଓଡିଶାର ଶେଷ ସୀମା ମାଲକାନଗିରି ଜିଲ୍ଲା ଓ  ସେଠାରେ ରହୁଥିବା ଆଦିମ ବଣ୍ଡା ଜନଜାତିଙ୍କ  ଜୀବନ, ସେମାନଙ୍କ ପରିବେଶ, ଅଞ୍ଚଳର  ମନୋରମ ଦୃଶ୍ୟ, କୋରାପୁଟର ଦେଓମାଳି  ସମ୍ପର୍କରେ ବହିରୁ ପଢିଥିଲେ । ଇଣ୍ଟରନେଟ୍‌ରୁ  ଜାଣିଥିଲେ । ନିଜେ ଆଖିରେ ଦେଖି ଲୋକଙ୍କ ସହିତ ମିଶିବାକୁ ମନ ବଳିଥିଲା । ଏଥିପାଇଁ  ନଭେମ୍ବର ୧ତାରିଖରେ ବୁଲେଟ୍‌ରେ ଏକାକୀ  ବାହାରି ପଡ଼ିଥିଲେ ଦୁର୍ଗମ ପାହାଡିଆ ଯାତ୍ରାରେ।  ଛତିଶଗଡ଼ ଧନତରୀ ଓ ଓଡ଼ିଶାର ଉମରକୋଟ  ଦେଇ ଜୟପୁରରେ ପହଞ୍ଚିଥିଲେ ୨ତାରିଖରେ ।  ଦେଓମାଳି, ରାଣୀଡୁଡୁମା, ମାଛକୁଣ୍ଡ ଜଳପ୍ରପାତ  ବୁଲି ଦେଖିଥିଲେ । ଭିନ୍ନ ଭିନ୍ନ ଆଦିବାସୀ ସଂପ୍ରଦାୟ  ସହିତ ମିଶିବା ସୁଯୋଗ ପାଇଲେ । ଏହାପରେ ଖଇରପୁଟ ବ୍ଲକ ବଣ୍ଡାଘାଟି ମୁଦୁଲିପଡାକୁ ଏକାକୀ  ବୁଲେଟ ଯାତ୍ରା କରିଥିଲେ । ତାଙ୍କୁ ଦେଖି ସମସ୍ତେ  ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ମୁଦୁଲିପଡା ପଞ୍ଚାୟତର ବଣ୍ଡାଗାଁ ବୁଲିବା ପରେ ୧୦କିମି ଦୂର  ଅଣ୍ଡ୍ରାହଲ ପଞ୍ଚାୟତକୁ ଯାତ୍ରା କରିଥିଲେ । ଦୁର୍ଗମ  ଘାଟିରେ ଚାଲିଚାଲି ଯାଇ ବଣ୍ଡା ମହିଳା ଓ ପୁରୁଷଙ୍କୁ  ଭେଟି ସେମାନଙ୍କ ସଂସ୍କୃତି ଓ ପର୍ବପର୍ବାଣି ପରମ୍ପରା  କଥା ପଚାରି ବୁଝିଥିଲେ । ବଣ୍ଡାଘାଟିରେ ୨ ଦିନ  ବୁଲିବା ପରେ ଚିତ୍ରକାଣ୍ଡା ସ୍ୱାଭିମାନ ଅଞ୍ଚଳକୁ ଯାତ୍ରା  କରିଥିଲେ । ଗୁରୁପ୍ରିୟା ସେତୁ, ପାପରମେଟଲା  ପଞ୍ଚାୟତ ଅଞ୍ଚଳ, ଆନ୍ଧ୍ରପ୍ରଦେଶ ସୀମାରେ ଥିବା ତରାବୁ ବୃହତ ଜଳପ୍ରପାତ ବୁଲି ଦେଖିଥିଲେ । କୋରାପୁଟ ଓ ମାଲକାନଗିରିର ପାହାଡ, ନଦୀ,  ଜଳପ୍ରପାତ, ସୂର୍ଯ୍ୟୋଦୟ, ସୁର୍ଯ୍ୟାସ୍ତ ନିଜ ଆଖିରେ  ନଦେଖିଲେ ଶବ୍ଦରେ ବର୍ଣ୍ଣନା କରିବା କାଠିକର ପାଠ ।  

ସ୍ନେହାଲ କହିଛନ୍ତି, ପୂର୍ବରୁ ଶୁଣିଥିଲେ ଓ  ଗଣମାଧ୍ୟମରୁ ଜାଣିଥିଲେ ଏସବୁ ମାଓବାଦୀ ଇଲାକା ।  ପାଦେ ପାଦେ ବିପଦ ଥାଏ । ହେଲେ ସନ୍ଧ୍ୟା ୭ଟା  ପର୍ଯ୍ୟନ୍ତ ସେ ଏକାକୀ ଏସବୁ ଅଞ୍ଚଳରେ ବୁଲିଛନ୍ତି ।  ସେମିତି କିଛି ତାଙ୍କ ଅସୁବିଧା ହୋଇ ନାହିଁ କି  ଭୟ ଲାଗିନାହିଁ । ବଣ୍ଡାଘାଟିର ଗାଁରେ ଜଣେ ବଣ୍ଡା  ଲୋକଙ୍କ ଘରେ ଖାଇଛନ୍ତି । ବଣ୍ଡାଘଟିର ମନୋରମ  ଦୃଶ୍ୟ ଓ ସୁଉଚ୍ଚ ପାହାଡ଼ ବେଶ ଚମତ୍କାର । ବଣ୍ଡା ପୁରୁଷଙ୍କଠାରୁ ମହିଳାମାନେ ଅଧିକ ପରିଶ୍ରମୀ ।  ଚୋରି ନାହିଁ । ଅଧିକାଂଶ ଲୋକଙ୍କ ଘରେ କବାଟ  ନାହିଁ । ବଣ୍ଡାମାନେ ବହୁତ ସରଳ ଓ ନିଷ୍କପଟ ।  ମାଲକାନଗିରିରେ ବୁଲିବା ଭିତରେ ବିଏସଏଫ  ଯବାନଙ୍କ ସହିତ ଆଦିବାସୀଙ୍କ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କ  ରହିଥିବା ଜାଣିବାକୁ ପାଇଛନ୍ତି । ମାଲକାନଗିରି ଓ  କୋରାପୁଟ ଜିଲ୍ଲାର ଆଦିବାସୀ ସଂସ୍କୃତି, ଜନଜୀବନ  ତାଙ୍କ ମନକୁ ଜିଣି ନେଇଛି । ବାସ୍ତବରେ ଜଣେ କମ  ବୟସର ମହିଳା ସ୍ନେହାଲ ଏକାକୀ ବୁଲେଟ୍‌ରେ  ପ୍ରାୟ ୨ହଜାର କିଲୋମିଟରର ଦୁଃସାହସିକ ଯାତ୍ରା  କରିବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।