ଖଜୁରୀପଡା,୧୧/୧୦: କନ୍ଧମା ଲାଞ୍ଜିଗରୁ କଟକ ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍ ଶୁକ୍ରବାର ବିଳମ୍ବିତ ରାତିରେ ଖଜୁରୀପଡା ନିକଟସ୍ଥ ଗାଡିଆପଡା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବସ୍‌ର କଣ୍ଡକ୍ଟରଙ୍କ ମୃତ୍ୟୁ ହେବା ସହିତ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୃତକ ଢେଙ୍କାନାଳ ଜିଲ୍ଲା କହ୍ନେଇପାଳର ସୌମ୍ୟ ଦାସ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ବସ୍‌ଟି ଗାଡିଆପଡା ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।ଫଳରେ ଘଟଣାସ୍ଥଳରେ ବସ୍‌ କଣ୍ଡକ୍ଟର ସୌମ୍ୟ ଦାସଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ । ଏସମ୍ପର୍କରେ ଖବର ପାଇ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ପୁଲିସ ଗାଡିରେ ନେଇ ଖଜୁରୀପଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅନ୍ୟ ଯାତ୍ରୀମାନଙ୍କୁ ବିଭିନ୍ନ ବସ୍‌ରେ ଗନ୍ତବ୍ୟ ସ୍ଥଳକୁ ପଠାଇବା ବ୍ୟବସ୍ଥା କରାଯାଇଥିଲା।