ରାଉରକେଲା,୧୯/୧୧: ନାବାଳିକାକୁ ଦୁଷ୍କର୍ମ କରିଥିବା ଆସାମୀକୁ ରାଉରକେଲା ଫାଷ୍ଟ ଟ୍ରାକ୍‌ ପୋକ୍ସୋ କୋର୍ଟର ବିଚାରପତି ପି.ସୁରିୟା ରାଓ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । 

୨୦୧୭ ମସିହା ମାର୍ଚ୍ଚ ମାସ ୨୨ ତାରିଖ ଦିନ ଜଣେ ଯୁବତୀ ଏକ ବସ୍‌  ଯୋଗେ ପଟ୍ଟାମୁଣ୍ଡାଇରୁ ରାଉରକେଲା ଆସୁଥିଲେ । ଯୁବତୀ ଜଣଙ୍କ ସିଟ୍‌ରେ ଶୋଇ ପଡିଥିବା ବେଳେ ଭୋର ୩ଟାରୁ୫ଟା ମଧ୍ୟରେ ବସ୍‌ର କଣ୍ଡକ୍ଟର ପଙ୍କଜ  ମୁନା ତାଙ୍କ ସହ ଦୁଷ୍କର୍ମ କରିଥିଲା । ନାବାଳିକା ଜଣଙ୍କ ଏ ନେଇ ମହିଳା  ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ  ଅଭିଯୁକ୍ତ କଣ୍ଡକ୍ଟରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବିଚାରପତି  ଆଠ ଜଣ ସାକ୍ଷୀ, ଜଣେ ସଫେଇ ସାକ୍ଷୀ, ୧୦ଟି ଦସ୍ତାବେଜ୍‌କୁ ଆଧାର କରି  ଭାରତୀୟ ପିଙ୍ଗଳ କୋଡର ୩୫୪, ୩୫୪(କ) ଏବଂ ୩୭୬ ଆଧାରରେ  ଅଭିଯୁକ୍ତ ପଙ୍କଜକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାସହ ୩୫୪ ଦଫାରେ  ୨ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା, ୩୫୪(କ)  ଦଫାରେ ୨ବର୍ଷ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା, ୩୭୬  ଦଫାରେ ୧୦ବର୍ଷ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ  ଦେଇଛନ୍ତି । ଜରିମାନା ଅନାଦେୟ ୩୫୪ ଓ ୩୫୪(କ)ରେ ଅତିରିକ୍ତ ୬ମାସ  ଲେଖାଏଁ କାରାଦଣ୍ଡ ଓ ୩୭୬ରେ ଜରିମାନା ଅନାଦେୟ ଅତିରିକ୍ତ ଏକ ବର୍ଷ  କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ  ଆଇନଜୀବୀ ସୁଦାମ ଚନ୍ଦ୍ର ଦାଶ ଏହି ମାମଲା ପରିଚାଳନା କରିଥିଲେ ।