ମାଲକାନଗିରି,୨୦/୧୧: ୪୦ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇ ହୃଦଘାତରେ ଚାଲିଗଲେ ବସ ଡ୍ରାଇଭର । ମୃତ ବସ୍ ଡ୍ରାଇଭରଙ୍କ ପାଇଁ ମାଲକାନଗିରି ସହରରେ ଶୋକର ଛାୟା ଖେଳିଯାଇଛି । ମାଲକାନଗିରି ଓଏସଆରଟି କାର୍ଯାଳୟ କର୍ମଚାରୀ ପାଳନ କରିଛନ୍ତି ଶୋକସଭା। ମୃତକ ହୋଇଛନ୍ତି ମାଲକାନଗିରି ବାଲିସାଗର ସାହିର ପି. ସାଇକ୍ରିଷ୍ଣା (୪୫ ବର୍ଷ) ।
ସୂଚନା ମୁତାବକ, ବୁଧବାର ରାତ୍ର ୧୦ ଟାରେ ଆନ୍ଦ୍ରପ୍ରଦେଶର ବିଜୟନଗରମ ବସଷ୍ଟାଣ୍ଡ ଠାରୁ ମାଲକାନଗିରି ଅଭିମୁଖେ ଓଏସଆରଟିସି ବସ ଛାଡିଥିଲା । ରାତ୍ର ଦୁଇଟାରେ ବସ୍ଟି କୋରାପୁଟ ଜିଲ୍ଲା କୁନ୍ଦୁଲି ଶିମିଳିଗୁଡା ରାସ୍ତାରେ ଚାଲୁ ଥିବାବେଳେ ହଠାତ ବସ୍ ଡ୍ରାଇଭର ପି. ସାଇ କ୍ରିଷ୍ଣା ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଅସହ୍ୟ ଯନ୍ତ୍ରଣା ହେବା ସତ୍ତ୍ୱେ ଗାଡ଼ିଟିକୁ ଜଙ୍ଗଲ ରାସ୍ତା ପାର କରି ରାସ୍ତା କଡ଼ରେ ଥିବା ଏକ ଦୋକାନ ନିକଟରେ ରଖିଥିଲେ । କାରଣ ବସ୍ରେ ଥିବା ୪୦ ଜଣ ଯାତ୍ରୀ ରାତ୍ର ଅଧରେ ଯେପରି କେହି ହଇରାଣ ନ ହୁଅନ୍ତୁ । ବସ୍ଟିକୁ ଅଟକାଇ ବସ୍ ମଧ୍ୟରେ ଶୋଇଥିବା ଅନ୍ୟ ଜଣେ ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ରାୟଙ୍କୁ ଉଠାଇ କହିଥିଲେ, ଭାଇ ମୋ ଛାତି ବିନ୍ଧୁଚି । ଗାଡ଼ି ଚଲାଇବା ସମ୍ଭବ ନୁହଁ । ଯାତ୍ରୀମାନେ ଯେପରି ହଇରାଣ ନ ହୁଅନ୍ତି ତୁମେ ଗାଡ଼ି ଚଲାଇ ନେଇ ସୁରକ୍ଷିତ ଭାବେ ମାଲକାନଗିରିରେ ଛାଡିବ କହି ଆଚେତ ହୋଇପଡି ଯାଇଥିଲେ। ବସ୍ କଣ୍ଡକ୍ଟର ବାଲାଜୀ ନାୟକ ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ପି. ସାଇ କ୍ରିଷ୍ଣାଙ୍କୁ କୋରାପୁଟ ହସ୍ପିଟାଲକୁ ନେଇ ଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ପି.ସାଇ କ୍ରିଷ୍ଣାଙ୍କର ବୁଧବାର ମଧ୍ୟ ରାତ୍ରରେ ମୃତ୍ୟୁ ହୋଇଯାଇଛି । ଯାତ୍ରୀ ଯେପରି ହଇରାଣ ନ ହୁଅନ୍ତି ଅନ୍ୟ ଜଣେ ଡ୍ରାଇଭର ସୁରକ୍ଷିତ ଅବସ୍ଥା ରେ ଆଜି ସକାକେ ବସ ଟିକୁ ମାଲକାନଗିରି ରେ ପହଞ୍ଚାଇଛନ୍ତି। ଆଜି ସକାଳେ କୋରାପୁଟ ରୁ ପି.ସାଇ କ୍ରିଷ୍ଣା ଙ୍କ ମୃତଶରୀର ମାଲକାନଗିରି ରେ ପହଁଚିବା ପରେ ସହର ବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମାଲକାନଗିରି ଓଏସଆରଟି କାର୍ଯ୍ୟାଳୟ ଡିଟିଏମ ଅରୋଷି ସାହୁ, ଏଟିଏମ ନିଖିଲ ଓଝା ଓ ଅନ୍ୟାନ କର୍ମଚାରୀ କାର୍ଯାଳୟ ରେ ଏକ ଶୋକ ସଭା ପାଳନ କରି ସାଇ କ୍ରିଷ୍ଣା ଙ୍କୁ ଶେଷ ଦର୍ଶନ କରି ମୃତପରିବାର ଙ୍କୁ ଭେଟି ସ୍ଵନ୍ତ୍ୱନା ଦେବା ସହ ସମବେଦନା ଜଣାଇଛନ୍ତି।ସାଇକ୍ରିଷ୍ଣା ଙ୍କର ଦୁଇଟି ପୁଅ ଓ ପତ୍ନୀ ଅଛନ୍ତି, ସେ ଘରକୁ ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ,ସରକାର ଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି।