ଦିଗପହଣ୍ଡି, ୫।୬: ବୀଣାପାଣି ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଏକ ଯାତ୍ରୀ ବିଶ୍ରାମାଗାରକୁ ଧକ୍କା ଦେଇଥିବା ଜଣାପଡ଼ିଛି । ଫଳରେ ଘଟଣାସ୍ଥଳରେ ବସ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ବସ୍ କଣ୍ଡକ୍ଟର ଗୁରୁତର ଆହତ ହୋଇଛନ୍ତି । ଗୁରୁବାର ଭୋର ସମୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲଷ୍ମୀନାରାୟଣପୁର ଗାଁ ନିକଟରେ ଏଭଳି ଦୁଃଖଦ ଘଟଣା ଘଟିଛି ।
ଖବର ପାଇ ଦିଗପହଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବସ୍ ଚାଳକ ଓ କଣ୍ଡକ୍ଟରକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ, କଣ୍ଡକ୍ଟରଙ୍କୁ ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ମୃତ ବସ୍ ଚାଳକ ଜଣକ ଜଙ୍କିଆ ଥାନା ଅଞ୍ଚଳର ଦିବାକର ବେହେରା ଓ ଗୁରୁତର କଣ୍ଡକ୍ଟର ଜଣକ ଗଞ୍ଜାମ ପୁରୁଷୋତ୍ତମପୁର ଗ୍ରାମର ପ୍ରଫୁଲ୍ଲ କୁମାର ଦାସ ବୋଲି ପୁଲିସ୍ ସୂଚନାରୁ ଜଣାପଡ଼ିଛି । ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁରପୁର ବଡ଼ ମେଡିକାଲକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରୁଥିବା ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।