ବ୍ରହ୍ମପୁର : ଖରା ବଢିବାରେ ଲାଗିଛି। ମୁଖ୍ୟ ବସ୍‌ଷ୍ଟପ୍‌ ଗୁଡିକରେ ଯାତ୍ରୀ ବିଶ୍ରାମାଗାର ନାହିଁ। ଯେଉଁଠି ଅଛି ତାହାର ଅବସ୍ଥା ଦୟନୀୟ। କେଉଁଠି ଛାତ ନାହିଁ ତ, କେଉଁଠି ବସିବା ପାଇଁ ଚୌକି ନାହିଁ। କେଉଁଠି ରାସ୍ତାକୁ ଉଠା ଦୋକାନୀ ମାଡ଼ି ବସିଛନ୍ତି। କେଉଁଠି ଆବର୍ଜନାରେ ଭରି ରହିବା ସହ ଚୌକି ଭାଙ୍ଗି ପଡିଛି। ସହରର ଅଧିକାଂଶ ଯାତ୍ରୀ ବିଶ୍ରାମାଗାରରେ ଏହି ଅବସ୍ଥା। ଖୁବ୍‌ ଶୀଘ୍ର ଏହାର ମରାମତି କରା ନଗଲେ ଖରାରେ ଯାତ୍ରୀ କଲବଲ ହେବେ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି। 

ବ୍ରହ୍ମପୁର ମହାନଗର ନିଗମ କମିଶନର ଭବାନୀ ପ୍ରସାଦ ମିଶ୍ର କହିଛନ୍ତି, ଖରା ପୂର୍ବରୁ ମରାମତି ପାଇଁ ଯନ୍ତ୍ରୀଙ୍କୁ କୁହାଯାଇଛି। ଦକ୍ଷିଣ ଓଡ଼ିଶାର ବ୍ୟବସାୟୀକ ପେଣ୍ଠ ସ୍ଥଳୀ ହେଉଛି ବ୍ରହ୍ମପୁର। ସହରକୁ ପ୍ରତିଦିନ ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲା ଓ ରାଜ୍ୟରୁ ହଜାର ହଜାର ଲୋକ ଆସୁଛନ୍ତି। ଗ୍ରାମାଞ୍ଚଳରୁ ସ୍ୱାସ୍ଥ୍ୟ ସମସ୍ୟା ହେଉ କିମ୍ବା ଜିଲ୍ଲା ଶିକ୍ଷାଧିକାରୀ, ଚିକିତ୍ସା ଅଧିକାରୀ, ଆର୍‌ଡିସି, କୋର୍ଟ ଆଦି କାମରେ ବସ୍‌ ଯୋଗେ ଲୋକ ଯାତାୟାତ କରୁଛନ୍ତି। ଏହି ସମୟରେ ବସ୍‌କୁ ଅପେକ୍ଷା କରିବା ପାଇଁ ମୁଖ୍ୟ ବସ୍‌ ଷ୍ଟପ ଗୁଡିକରେ ଯାତ୍ରୀ ବିଶ୍ରାମାଗାର ନାହିଁ। ଅନ୍ୟ ଯେଉଁଠି ଅଛି ତାହା ଭାଙ୍ଗି ଯାଇଛି। ଫାଷ୍ଟ ଗେଟ୍‌ ଠାରୁ ଗେଟ୍‌ ବଜାର ୩ କିଲୋମିଟର ରାସ୍ତା। ଏହାମଧ୍ୟରେ ୩ଟି ଯାତ୍ରୀ ବିଶ୍ରାମାଗାର ରହିଛି। ଫାଷ୍ଟ ଗେଟ୍‌ରେ ଥିବା ବିଶ୍ରାମାଗାର ଉପଯୋଗୀ ହେଉଥିବା ବେଳେ ହରିଡ଼ାଖଣ୍ଡି ଛକରେ ଥିବା ବିଶ୍ରାମାଗାରରେ ଚୌକି ଭାଙ୍ଗି ପଡିଛି ଓ ଆବର୍ଜନାରେ ଭରି ରହିଛି। 

ସେହିପରି ନେଳିଆ ବନ୍ଧ ଛକ ଯାତ୍ରୀ ବିଶ୍ରାମାଗାର ରାସ୍ତା କଡ଼ ବ୍ୟବସାୟୀ ମାଡ଼ି ବସିଛନ୍ତି। ବସିବାକୁ ଚୌକି ନାହିଁ। ସେହିପରି ଗେଟ୍‌ ବଜାର ଛକରୁ ପାଣି ଟାଙ୍କି, ସୁବାରାଓ ଛକ, ଟାଟା ବେଞ୍ଜ ଛକ ହୋଇ କୋର୍ଟପେଟା ଛକ ୨.୪ କିଲୋମିଟର ରାସ୍ତା । ଏହାରି ମଧ୍ୟରେ ଦୁଇଟି ବିଶ୍ରାମାଗାର ରହିଛି । ସିଟି ହସ୍‌ପିଟାଲ ଛକ ନୂଆଁ ବସ୍‌ଷ୍ଟାଣ୍ଡ ପରେ ପ୍ରମୁଖ ବସ୍‌ ଷ୍ଟପ୍‌ ଏଠାରେ ଗୋଟିଏ ମାତ୍ରା ଯାତ୍ରୀ ବିଶ୍ରାମାଗାର ରହିଛି ଯାହାକି ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ। ଏହାକୁ ଛାଡିଲେ କମାପଲ୍ଲୀ ଛକ ବିଶ୍ରାମାଗାର ଭାଙ୍ଗି ରୁଜି ଗଲାଣି। ବହୁ ବସ୍‌ଷ୍ଟପ୍‌ ରହିଥିଲେ ମଧ୍ୟ ଯାତ୍ରୀ ବିଶ୍ରାମାଗାର ନାହିଁ। କୋର୍ଟପେଟା ଛକରୁ ଆମ୍ବପୁଆ ୪ କିଲୋମିଟର ରାସ୍ତା। ଏହି ମଧ୍ୟରେ ୫ଟି ଯାତ୍ରୀ ବିଶ୍ରାମାଗାର ରହିଛି। ଏମ୍‌କେସିଡି ଗେଟ୍‌ ସମ୍ମୁଖରେ ଦୁଇଟି ରହିଛି । ଗୋଟିଏ ଯାତ୍ରୀଙ୍କ କାମରେ ଲାଗୁଛି। 

ଏହି ମଧ୍ୟରେ ଇଂଜିନିୟରିଂ ସ୍କୁଲ ଛକ ପ୍ରମୁଖ ବସ୍‌ ଷ୍ଟପ୍‌ । ସେଠାରେ ବିଶ୍ରାମାଗାର ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ରହିଛି। ଉପରୁ ଅଧା ଛାତ ଉଡ଼ି ଯାଇଛି। ଲୁହାରଡ ଗୁଡ଼ିକ ଜଙ୍କ୍‌ ଲାଗିଛି। ମୁଣ୍ଡ ଉପରେ ବିପଦ ଶଙ୍କୁଳ  ଅବସ୍ଥାରେ ଇଲେକ୍ଟ୍ରି ମିଟର ବକ୍ସ ସହ ବିଦ୍ୟୁତ୍‌ ତାର ଝୁଲି ରହିଛି। ଛକ ଦେଇ ଅନେକ ଗାଡ଼ି ଦ୍ରୁତ ଗତିରେ ଯାଉଥିବାରୁ ରାସ୍ତା କଡ଼ରେ ଛିଡ଼ା ହେବାକୁ ଯାତ୍ରୀ ଭୟ କରୁଛନ୍ତି। ଫଳରେ ଅଳ୍ପ ଜାଗାରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି । ବୁଦ୍ଧିଜୀବୀ କହିଛନ୍ତି, ଆଗକୁ ଗ୍ରୀଷ୍ମ ଋତୁ ଆସୁଛି। ଚଳିତ ବର୍ଷ ଅଧିକ ଖରା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ମରାମତି ନହେଲେ ଖରାରେ ଯାତ୍ରୀ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ପାଇବେ ନାହିଁ।