କଟକ,୨୪/୦୧: ଶୁକ୍ରବାର ବସ୍ ଧର୍ମଘଟ ନିଷ୍ପତ୍ତିରୁ ଓହରିଲା ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ସଂଘର ବୈଠକ ପରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି । ଫଳରେ ପୂର୍ବପରି ବସ୍ ସେବା ସ୍ୱାଭାବିକ ରହିବ ବୋଲି ଜଣାପଡ଼ିଛି ।
ରାଜ୍ୟ ସରକାର ଗ୍ରାମାଞ୍ଚଳରେ କିପରି ଅଧିକରୁ ଅଧିକ ବସ୍ ଚାଲିପାରିବ ସେଥିପାଇଁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଥିଲେ । ପରେ ଏହାର ନାମକରଣ ମୁଖ୍ୟମନ୍ତ୍ରୀ ବସ୍ ସେବା କରାଯାଇଥିଲା । ପ୍ରଥମେ ଗାଁରୁ ବ୍ଲକ୍ ମୁଖ୍ୟାଳୟ ପର୍ଯ୍ୟନ୍ତ ଏହି ବସ୍ ଚଳାଚଳ କରୁଥିଲା । ଏବେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ବସ୍ ସେବା ଗାଁରୁ ଜିଲ୍ଲା ମୁଖ୍ୟାଳୟକୁ ଚଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ଘରୋଇ ବସ୍ ମାଲିକମାନେ କ୍ଷତିଗ୍ରସ୍ତ ହେବେ ବୋଲି ରାଜ୍ୟ ସରକାରଙ୍କ ନିକଟରେ ସଂଘ ପକ୍ଷରୁ ଅଭିଯୋଗ କରାଯିବା ସହ ଏହାକୁ ବନ୍ଦ କରିବାକୁ ଦାବି କରାଯାଇଥିଲା । ଅପରପକ୍ଷରେ କିଛି ଜିଲ୍ଲାରେ ଗ୍ରାମାଞ୍ଚଳରୁ ଜିଲ୍ଲା ମୁଖ୍ୟାଳୟକୁ ସରକାରୀ ବସ୍ ଚାଲିବା ପାଇଁ ଜିଲ୍ଲାପାଳମାନେ ନିର୍ଦ୍ଦେଶ ଦେଇଥିଲେ । ଏହି ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ୨୪ତାରିଖରୁ ବସ୍ ଧର୍ମଘଟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।
ଏହି ଘୋଷଣା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟି ଏ) ପକ୍ଷରୁ ଗୁରୁବାର ବସ୍ ସଂଘ ସହ ଏକ ବୈଠକ ବସିଥିଲା । ଏଥିରେ ଗ୍ରାମାଞ୍ଚଳରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ସରକାରୀ ବସ୍ ରୁଟ୍ ସ୍ଥିର ପାଇଁ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ ପାଇଁ କୁହାଯାଇଥିଲା । କେଉଁସବୁ ରୁଟ୍ରେ ମୁଖ୍ୟମନ୍ତ୍ରୀ ବସ୍ ଚାଲିଲେ ଘରୋଇ ବସ୍ କ୍ଷତିଗ୍ରସ୍ତ ହେବ ନାହିଁ ସେନେଇ ସେହି କମିଟି ନିଷ୍ପତ୍ତି ନେବ ବୋଲି ସଂଘକୁ କୁହାଯାଇଥିଲା । ଏହି ପ୍ରସ୍ତାବ ସଂପର୍କରେ ଆଲୋଚନା ପାଇଁ ଶୁକ୍ରବାର ବସ୍ ସଂଘର ଏକ ବୈଠକ ବସିଥିଲା । ବୈଠକରେ ଏସ୍ଟିଏ ନିଷ୍ପତ୍ତିକୁ ସମ୍ମାନ ଦେଇ ବସ୍ ସଂଘ ଏହି ଧର୍ମଘଟରୁ ଓହରି ଯାଉଥିବା ଘୋଷଣା କରାଯାଇଥିଲା । ଏହି ନିଷ୍ପତ୍ତି ସଂକ୍ରାନ୍ତରେ ପରିବହନ ବିଭାଗ ମନ୍ତ୍ରୀ, ସଚିବ ଏବଂ ଏସ୍ଟିଏ କମିସନରଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି ।
ବୈଠକରେ ରାଜ୍ୟ ବସ୍ ମାଲିକ ସଂଘର ସଭାପତି ଲୋକନାଥ ପାଣି, ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, କଟକ ଘରୋଇ ବସ୍ ମାଲିକ ସଂଘର ସଭାପତି ପ୍ରିୟବ୍ରତ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଆଶିଷ କୁମାର ସାହୁ, ପିନାକପାଣି ଷଡ଼ଙ୍ଗୀ, ବିବେକାନନ୍ଦ ଖଣ୍ଡାଇ, କିଶୋର ଚନ୍ଦ୍ର ବିଶ୍ୱାଳ, ମୁରଲୀଧର ବେହେରା, ମନୀଷ ବାରିକ, ପବିତ୍ର ମୋହନ ଖଟୁଆ, ମୃତ୍ୟୁଞ୍ଜୟ ଦାସ, ରବିନ୍ଦ୍ର କୁମାର ସିଂହ, ମୀର୍ଜା ଆକ୍ୱିବ୍ ଅଲ୍ଲୀ ବେଗ୍, ରାଜା ଖାଁ, ଶିଶିର ପାତ୍ରଙ୍କ ସମେତ ସଂଘର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।