ଭୁବନେଶ୍ବର,୧୨/୦୧: କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିଲା ବସ୍ । ବିଭିନ୍ନ ଜିଲ୍ଲାରୁ ବସ୍ ପ୍ରୟାଗରାଜ ଅଭିମୁଖେ ବାହାରିଛି। ଭିଡିଓ କନଫରେନ୍ସିଂ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ମହାକୁମ୍ଭ ଉପଲକ୍ଷେ ଏହି ବସ୍‌ ସେବା ଆରମ୍ଭ କରାଯାଇଛି। ପୁରୀ-ଅଯୋଧ୍ୟା,ବ୍ରହ୍ମପୁର- ଅଯୋଧ୍ୟାକୁ ଏହି ସ୍ବତନ୍ତ୍ର ବସ ସେବା ଆରମ୍ଭ ହୋଇଛି। 

ଭୁବନେଶ୍ବର ଓ ସମ୍ବଲପୁରରୁ ମଧ୍ୟ ପ୍ରୟାଗରାଜକୁ ବସ୍‌ ଗଡିଛି। ଅଯୋଧ୍ୟା ସହ ପ୍ରୟାଗରାଜକୁ ଶ୍ରଦ୍ଧାଳୁ ଯିବାର ବ୍ୟବସ୍ଥା କରାଯାଇଛି।  ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ବସ୍ ସେବା ଆଜିଠାରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ । ବସରେ ସ୍ଲିପର ସିଟ୍ ରହିବା ସାଙ୍ଗକୁ ମୋବାଇଲ୍ ଚାର୍ଜିଂର ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଏହାଛଡ଼ା ବସରେ ସେଫ୍ଟି ସିଷ୍ଟମ, ପ୍ୟାନିକ୍ ବଟନ ଏବଂ ଜିପିଏସ୍ ଟ୍ରାକିଂର ବ୍ୟବସ୍ଥା ଅଛି । ସେହିପରି ଓଏସ୍‌ଆର୍‌ଟିସି ପକ୍ଷରୁ ବସ୍‌ ସେବା ମାର୍ଗ ବିବରଣୀ  ମଧ୍ୟ ଦିଆଯାଇଛି ।  ପୁରୀରୁ ବସ୍‌ଟି ବାହାରି ଭୁବନେଶ୍ୱର, ବାରିପଦା, ରାଞ୍ଚି, ଜାମସେଦପୁର,  ଔରଙ୍ଗାବାଦ୍‌, ବାରାଣସୀ, ପ୍ରୟାଗରାଜ ଦେଇ ଅଯୋଧ୍ୟାରେ ପହଞ୍ଚିବ । ସମ୍ବଲପୁରରୁ  ବାହାରିବାକୁ ଥିବା ବସ୍‌ଟି ରାଉରକେଲା, ରାଞ୍ଚି, ଔରଙ୍ଗାବାଦ, ବାରାଣାସୀ,  ପ୍ରୟାଗରାଜରୁ ଅଯୋଧ୍ୟାକୁ ଯିବ । ଭବାଣୀପାଟଣାରୁ ନୂଆପଡ଼ା-ବିଳାସପୁର ରୁଟ୍‌  ଦେଇ ଅମ୍ବିକାପୁର, ବାରାଣସୀ, ପ୍ରୟାଗରାଜରୁ ଅଯୋଧ୍ୟାକୁ ବସ୍‌ ଯିବ । ବ୍ରହ୍ମପୁରରୁ  ଫୁଲବାଣୀ ଝାରସୁଗୁଡ଼ା, ଅମ୍ବିକାପୁର ରୁଟ୍‌ ଦେଇ ଅଯୋଧ୍ୟାକୁ ବସ୍‌ ଗଡିବ । 

ଜାନୁଆରୀ ୧୨, ୧୩, ୧୮, ୨୦, ୨୪, ୨୭, ୩୦ ଓ ଫେବ୍ରୁଆରୀ ୨, ୫, ୯,  ୧୧, ୧୬, ୧୭, ୨୪, ୨୫ ତାରିଖରେ ୪ଟି ନିର୍ଦ୍ଧାରିତ ସହରରୁ ବସ୍‌ କୁମ୍ଭମେଳା  ଅଭିମୁଖେ ବାହାରିବ । ଯାତ୍ରୀମାନେ www.osrtc.org  ୱେବ୍‌ସାଇଟ୍‌  କିମ୍ବା ଓଏସ୍‌ଆର୍‌ଟିସି ଆପ୍‌ ଜରିଆରେ ଟିକେଟ୍‌ ବୁକିଂ କରି ପାରିବେ । ନଚେତ୍‌  ଏସବୁ ବସ୍‌ଷ୍ଟାଣ୍ଡରେ ଥିବା ଓଏସ୍‌ଆର୍‌ଟିସିର ଟିକେଟ୍‌ କାଉଣ୍ଟରରେ ମଧ୍ୟ ଟିକେଟ୍‌ କରିହେବ । ଯାତ୍ରୀଙ୍କ ସହାୟତା ପାଇଁ ୨୪ଘଣ୍ଟିଆ ହେଲ୍ପଲାଇନ୍‌ ନଂ ୧୮୦୦-୩୪୫- ୧୧୨୨ ଓ ଏକ ହ୍ୱାଟସ୍‌ଆପ୍‌ ନଂ ୭୮୪୯୦୦୫୨୨୦୫ ଜାରି କରାଯାଇଛି । ମହିଳା  ତୀର୍ଥଯାତ୍ରୀଙ୍କ ପାଇଁ ଟିକେଟ୍‌ ଦର ୫୦% କମ ରହିବ ବୋଲି ଓଏସ୍‌ଆର୍‌ଟିସି ସୂଚାଇଛି ।